ବନ୍ୟା ବିପନ୍ନଙ୍କୁ ପାଲ ବଣ୍ଟନରେ ପାତର ଅନ୍ତର ଅଭିଯୋଗ
ପ୍ରଥମ ବନ୍ୟାର ଦୁଃଖ ନସରୁଣୁ ଦ୍ୱିତୀୟ ବନ୍ୟାରେ ଉବୁଟୁବୁ ଚାନ୍ଦବାଲି। ବନ୍ୟାଜଳରେ ଅନେକ ଗାଁ ଜଳମଗ୍ନ, ପାଲ ବଣ୍ଟନରେ ଅନିୟମିତତା ଅଭିଯୋଗ।
ଭଦ୍ରକ: ପ୍ରଥମ ବନ୍ୟାର ଦୁଃଖ ନସରୁଣୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକକୁ ପୁଣି ଘାରିଛି ଦ୍ୱିତୀୟ ବନ୍ୟା। ବନ୍ୟାଜଳରେ ଅନେକ ଗାଁ ଜଳମଗ୍ନ ହୋଇଥିବା ବେଳେ ଘର ଓ ଗୋରୁ ଗୁହାଳରେ ପାଣି ପଶି ଲୋକଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି। ଏଭଳି ସ୍ଥିତିରେ ବିପନ୍ନଙ୍କୁ ଆବଶ୍ୟକ ଜରିପାଲ ଯୋଗାଣ ନେଇ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ବନ୍ୟା ବିପନ୍ନଙ୍କ ଅଭିଯୋଗ ଅନୁସାରେ, ଏପର୍ଯ୍ୟନ୍ତ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ଚୟନ ହୋଇପାରିନାହିଁ। ଫଳରେ ପାଲ ବଣ୍ଟନରେ ବିଭିନ୍ନ ସ୍ଥାନରେ ଅନିୟମିତତା ଦେଖାଦେଇଛି। ଯେଉଁମାନଙ୍କ ଘର ଓ ଗୁହାଳ ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଛି, ସେମାନଙ୍କୁ ପାଲ ମିଳୁନଥିବା ବେଳେ ଅଯୋଗ୍ୟ ଲୋକଙ୍କୁ ପାଲ ଦିଆଯାଉଥିବା ଅଭିଯୋଗ କରିଛନ୍ତି ବିପନ୍ନମାନେ। ଏପରିକି ପାଲ ବଣ୍ଟନକୁ ନେଇ ତେନ୍ତୁଳିଡ଼ିହି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଯୋଗ୍ୟ ହିତାଧିକାରୀଙ୍କୁ ପାଲ ନଦେଇ ଅଯୋଗ୍ୟଙ୍କୁ ଦିଆଯାଉଥିବା ଅଭିଯୋଗରେ ଲୋକେ ଜୋରଜବରଦସ୍ତ ପାଲ ନେଇଯାଇଥିବା କୁହାଯାଉଛି। ସେହିପରି ମତୋ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ମଧ୍ୟ ପାଲ ପାଇଁ ଲୋକଙ୍କ ହୋହାଲ୍ଲା ଦେଖିବାକୁ ମିଳିଛି। ଘର ଘର ବୁଲି ସର୍ଭେ କରି ଯେଉଁମାନଙ୍କୁ ଯୋଗ୍ୟ ଭାବେ ଚିହ୍ନଟ କରାଯାଉଛି, ସେହି ହିତାଧିକାରୀମାନେ କାଗଜପତ୍ରରେ କିପରି ଅଯୋଗ୍ୟ ହୋଇଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବନ୍ୟା ବିପନ୍ନ । ତେବେ ଏହି ଅଭିଯୋଗର ସତ୍ୟତା ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।
