ସାରସକଣାରେ ହଷ୍ଟେଲରୁ ୬ ଛାତ୍ର ଫେରାର
ମୟୂରଭଞ୍ଜ ସାରସକଣାରେ ରାତିଅଧରେ ହଷ୍ଟେଲ ପାଚେରୀ ଡେଇଁ ୬ ଛାତ୍ର ଫେରାର, CCTVରେ କଏଦ ଦୃଶ୍ୟ । ଛାତ୍ରଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ପୁଲିସର ତଦନ୍ତ ଜାରି ।
ସାରସକଣା: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ହଷ୍ଟେଲରୁ ରାତିଅଧରେ ୬ ଜଣ ଅନ୍ତେବାସୀ ଛାତ୍ର ନିଖୋଜ ହୋଇଯାଇଥିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନିଖୋଜ ଛାତ୍ରମାନଙ୍କ ମଧ୍ୟରେ ଦଶମ ଶ୍ରେଣୀର ୪ ଜଣ ଏବଂ ନବମ ଶ୍ରେଣୀର ୨ ଜଣ ରହିଛନ୍ତି। ନିଖୋଜ ଛାତ୍ରମାନେ ହେଲେ ଦଶମ ଶ୍ରେଣୀର ନିର୍ମାଲ୍ୟ ସାହୁ, ଶୁଭମ ପତି, ଶୁଭରାଂଶୁ ନାଏକ ଓ ରୋହିତ ବେହେରା। ସେହିପରି ନବମ ଶ୍ରେଣୀର ଶୁଭମ ବେନିକ ଏବଂ ଓମପ୍ରସାଦ ମହାନ୍ତି ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ବେହେରାଙ୍କ ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟା ୧୫ରୁ ୧୨ଟା ୨୦ ମଧ୍ୟରେ ଛାତ୍ରମାନେ ହଷ୍ଟେଲରୁ ବାହାରିଥିବା କଥା CCTV ଫୁଟେଜରୁ ଜଣାପଡ଼ିଛି। ହଷ୍ଟେଲ ପାଚେରୀ ଡେଇଁ ସେମାନେ ବାହାରକୁ ଯାଇଥିବା ଆଶଙ୍କା କରାଯାଉଛି। ଘଟଣା ଜଣାପଡ଼ିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଆଖପାଖ ଅଞ୍ଚଳରେ ଛାତ୍ରମାନଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି। ଏଥିସହ ଛାତ୍ରମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରାଯାଇଛି।
ଅନ୍ୟପଟେ, ସୂଚନା ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବିଦ୍ୟାଳୟ ପରିସର ସମେତ ଆଖପାଖ ଅଞ୍ଚଳର CCTV ଫୁଟେଜ ଯାଞ୍ଚ କରାଯାଉଛି। ଛାତ୍ରମାନେ ବ୍ୟବହାର କରୁଥିବା ମୋବାଇଲ ଫୋନ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଥିବା ଜଣାପଡ଼ିଛି। ରାତିରେ ହଷ୍ଟେଲରୁ ଏକାଥରକେ ୬ ଜଣ ଛାତ୍ର ବାହାରିଯିବା ଘଟଣା ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଅନ୍ତେବାସୀ ଛାତ୍ରମାନଙ୍କ ସୁରକ୍ଷା ପାଇଁ ହଷ୍ଟେଲରେ କିଭଳି ବ୍ୟବସ୍ଥା ରହିଛି, ତାହାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ତେବେ ୬ ଛାତ୍ର କେଉଁଆଡ଼େ ଗଲେ, କାହିଁକି ହଷ୍ଟେଲ ଛାଡ଼ିଲେ ଏବଂ ଘଟଣା ପଛରେ ପ୍ରକୃତ କାରଣ କଣ—ତାହା ଛାତ୍ରମାନଙ୍କ ସନ୍ଧାନ ମିଳିବା ପରେ ହିଁ ସ୍ପଷ୍ଟ ହେବ। ବର୍ତ୍ତମାନ ପୁଲିସ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଖୋଜ ଛାତ୍ରମାନଙ୍କୁ ଯଥାଶୀଘ୍ର ଖୋଜି ବାହାର କରିବାକୁ ଗୁରୁତ୍ୱ ଦେଇଛନ୍ତି।
