ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ: ବିଦ୍ୟାଳୟ ସମ୍ମୁଖରେ ଅନଶନ
ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ତେଜିଲା ଅସନ୍ତୋଷ, ପୁନଃଅବସ୍ଥାପନ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଅନଶନ।
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧୀନ ପାଣିସାଉଁଳିସ୍ଥିତ ଦର୍ଶନ ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଲତିକା ଖଟୁଆଙ୍କ ବଦଳିକୁ ବିରୋଧ କରି ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଅନଶନ ଆରମ୍ଭ ହୋଇଛି। ଶିକ୍ଷୟିତ୍ରୀ ଲତିକା ଖଟୁଆଙ୍କୁ ରୁଢିଙ୍ଗିଆ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଥିବାରୁ ଏହାର ପ୍ରତିବାଦରେ ବିଦ୍ୟାଳୟ ସମ୍ମୁଖରେ ପରିଚାଳନା କମିଟି ଓ ଅଭିଭାବକମାନେ ଧାରଣାରେ ବସିଛନ୍ତି। ପରିଚାଳନା କମିଟିର ସଭାପତି ଅନନ୍ତ ପ୍ରସାଦ ବାରିକଙ୍କ ନେତୃତ୍ୱରେ ୱାର୍ଡ ସଭ୍ୟା ଚନ୍ଦ୍ରମଣି ମହାନ୍ତିଙ୍କ ସମେତ କମିଟି ସଦସ୍ୟ ଓ ଶତାଧିକ ଅଭିଭାବକ ଏହି ଅନଶନରେ ସାମିଲ ହୋଇଛନ୍ତି। ଅନଶନକାରୀଙ୍କ କହିବା ଅନୁଯାୟୀ, ଶ୍ରୀମତୀ ଖଟୁଆ ଜଣେ ବିଇଡି ତାଲିମପ୍ରାପ୍ତ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟରେ ଇଂରାଜୀ ଶିକ୍ଷାଦାନ କରୁଥିଲେ। ତାଙ୍କ ବଦଳି ହେବା ଫଳରେ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ପ୍ରଭାବିତ ହେବ ବୋଲି ଅଭିଭାବକମାନେ ଦାବି କରିଛନ୍ତି। ଏନେଇ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଖଇରା ଗୋଷ୍ଠୀ ଶିକ୍ଷାଧିକାରିଣୀଙ୍କ ନିକଟରେ ଶିକ୍ଷୟିତ୍ରୀଙ୍କୁ ପୁନଃ ଅବସ୍ଥାପିତ କରିବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଫଳରେ ଦାବି ପୂରଣ ପାଇଁ ଅନଶନରେ ବସିବାକୁ ବାଧ୍ୟ ହୋଇଥିବା ଆନ୍ଦୋଳନକାରୀମାନେ କହିଛନ୍ତି।
