ପୁଣି ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଙ୍କେତ ଉପରେ ଜଳକା
ଫୁଲୁଛି ସୁବର୍ଣ୍ଣରେଖା। ବିପଦ ସଙ୍କେତ ଉପରେ ଜଳକା, ପାଣି ଘେରରେ ୧୦୦ରୁ ଅଧିକ ଗାଁ। ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ।
ଜଳେଶ୍ଵର: ପୁଣି ଫୁଲୁଛି ସୁବର୍ଣ୍ଣରେଖା ନଦୀ। ଭୋର ୪ଟା ସମୟରେ ଜଳସ୍ତର ସ୍ଥିର ଥିବା ବେଳେ ସକାଳ ୬ଟା ପରଠାରୁ ପୁଣି ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ନଦୀ ବର୍ତ୍ତମାନ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିଲେ ମଧ୍ୟ ବନ୍ୟା ପରିସ୍ଥିତି ଯୋଗୁଁ ଭୋଗରାଇ ବ୍ଲକ୍ର ୧୦ଟି ପଞ୍ଚାୟତର ୮୦ରୁ ଅଧିକ ଗାଁ ଏବେ ବି ପାଣି ଘେରରେ ରହିଛି। ବିଭିନ୍ନ ଗାଁର ରାସ୍ତା ଉପରେ ପାଣି ଚାଲୁଥିବା ବେଳେ ଘରର ଦାଣ୍ଡଦୁଆରେ ମଧ୍ୟ ପାଣି ଜମି ରହିଛି। ହଜାର ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ି ରହିଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଅନେକ ସ୍ଥାନରେ ଘରୁ ବାହାରିବାକୁ ଲୋକଙ୍କୁ ଛାତିଏରୁ ଅଣ୍ଟେ ପର୍ଯ୍ୟନ୍ତ ପାଣିରେ ଯିବାକୁ ପଡ଼ୁଛି। କିଛି ଗାଁରେ ଯାତାୟାତ ପାଇଁ ଡଙ୍ଗା ହିଁ ଏକମାତ୍ର ଭରସା ପାଲଟିଛି। ସେହିପରି ବାଲିଆପାଳ ବ୍ଲକ୍ର ୮ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ମଧ୍ୟ ଏବେ ବି ପାଣି ଘେରରେ ରହିଛି। ଲଗାଣ ବର୍ଷା ଓ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଅଞ୍ଚଳବାସୀଙ୍କ ଦୁଃଖ ଓ ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି। ଅନ୍ୟପଟେ ଜଳକା ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନିଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬.୫୨ ମିଟରରେ ପହଞ୍ଚିଛି। ଫଳରେ ବସ୍ତା ବ୍ଲକ୍ର ୧୦ଟି ପଞ୍ଚାୟତ ଓ ସଦର ବ୍ଲକ୍ର ୨ଟି ପଞ୍ଚାୟତର ଶତାଧିକ ଗାଁ ପ୍ରଭାବିତ ହୋଇଛି। ବିଭିନ୍ନ ଅଞ୍ଚଳରେ ଘରଦ୍ୱାର ଓ ରାସ୍ତାଘାଟରେ ପାଣି ଜମି ରହିଥିବା ବେଳେ ଶହ ଶହ ହେକ୍ଟର ଚାଷଜମି ମଧ୍ୟ ଜଳମଗ୍ନ ହୋଇଛି। ନଦୀଗୁଡ଼ିକର ଜଳସ୍ତର ପୁଣି ବଢ଼ୁଥିବାରୁ ତଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି।
