ବଢ଼ିଲା ବନ୍ୟା ଦୁର୍ଦ୍ଦଶା; ଭାଙ୍ଗିଗଲା ଘର, ବେଘର ହେଲେ ପରିବାର
ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଗମ୍ଭୀର, ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କମିବାର ନାଁ ନେଉନି। ଘର ହରାଇଥିବା ପରିବାରକୁ ତୁରନ୍ତ ଥଇଥାନ ସହ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି।
ଭଣ୍ଡାରିପୋଖରୀ: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ବର୍ତ୍ତମାନ ବନ୍ୟାଜଳ ଧୀରେ ଧୀରେ କମିବାକୁ ଲାଗିଥିଲେ ମଧ୍ୟ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କମିବାର ନାଁ ନେଉନି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ସାମ୍ନାକୁ ଆସୁଛି କରୁଣ ଚିତ୍ର। ଭଣ୍ଡାରିପୋଖରୀ ବ୍ଲକ୍ ଷୋଳମପୁର ପଞ୍ଚାୟତ ଅଧୀନ ମଣିନାଥପୁର ଗାଁରୁ ଆସିଛି ଏଭଳି ଏକ ଦୁଃଖଦ ଖବର। ସୂଚନା ଅନୁଯାୟୀ, ଗତ ଦୁଇ ଦିନ ଧରି ବନ୍ୟାଜଳର ପ୍ରବଳ ସ୍ରୋତରେ ମଣିନାଥପୁର ଗାଁର ସନ୍ତୋଷ ବେଉରିଆଙ୍କ କଚ୍ଚା ନଡ଼ାଛପର ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର୍ ହୋଇଯାଇଛି। ଆଖି ଆଗରେ ନିଜ ଘର ଭାଙ୍ଗିଯିବା ପରେ ସନ୍ତୋଷଙ୍କ ପରିବାର ଏବେ ବେଘର ହୋଇପଡ଼ିଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଆଉ ଟିକିଏ ଛାତ ମଧ୍ୟ ନାହିଁ। ଘର ଭାଙ୍ଗିଯିବା ପରେ ପରିବାର ଲୋକେ ଖୋଲା ଆକାଶ ତଳେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ଅନ୍ୟପଟେ ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଥିବାରୁ ଖୋଲା ଆକାଶ ତଳେ ପରିବାରର ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି। ବନ୍ୟାରେ ଘର ହରାଇଥିବା ପରିବାରକୁ ତୁରନ୍ତ ଥଇଥାନ ସହ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
