ସ୍କୁଲରେ ବନ୍ୟା ପାଣି: ବାହାରେ ଉଡ଼ିଲା ତ୍ରିରଙ୍ଗା
ଜଳକାରେ ବନ୍ୟା: ୪ ଫୁଟ ପାଣି ଘେରରେ କୁଡ଼ିଆ ପ୍ରାଥମିକ ବିଦ୍ୟାଳୟ, ସୁରକ୍ଷିତ ସ୍ଥାନରେ ହେଲା ପତାକା ଉତ୍ତୋଳନ।
ବସ୍ତା: ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେବା ଫଳରେ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକର ୧୮ଟି ପଞ୍ଚାୟତ ବନ୍ୟା ପ୍ରଭାବିତ ହୋଇଛି। ଅନେକ ଗାଁ ଜଳମଗ୍ନ ହୋଇଥିବା ବେଳେ ଜନଜୀବନ ସହ ଶିକ୍ଷା ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ବନ୍ୟା ପାଣିରେ ବୁଡ଼ି ରହିଛି ବସ୍ତା ବ୍ଲକର କୁଡ଼ିଆ ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟ ପରିସରରେ ୪ ଫୁଟରୁ ଅଧିକ ପାଣି ଜମି ରହିଥିବାରୁ ପାଠପଢ଼ା ବନ୍ଦ ରହିଛି। ବନ୍ୟା ପରିସ୍ଥିତି ଯୋଗୁଁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସ୍କୁଲକୁ ଯାଇପାରିନାହାନ୍ତି। ଅନ୍ୟପଟେ ଆଜି ସାରା ଦେଶରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହେଉଥିବା ବେଳେ ବନ୍ୟା ପାଣି ଯୋଗୁଁ କୁଡ଼ିଆ ପ୍ରାଥମିକ ବିଦ୍ୟାଳୟ ଏଥିରୁ ବାଦ ପଡ଼ିଛି। ତେବେ ସ୍ୱାଧୀନତା ଦିବସର ପରମ୍ପରାକୁ ବଜାୟ ରଖିବା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ମହାନ୍ତି ଏକ ଭିନ୍ନ ପଦକ୍ଷେପ ନେଇଛନ୍ତି। ସ୍କୁଲ ପରିସରରେ ପାଣି ଜମିଥିବାରୁ ସେଠାରେ ପତାକା ଉତ୍ତୋଳନ ସମ୍ଭବ ହୋଇନଥିଲା। ତେଣୁ ପ୍ରଧାନଶିକ୍ଷକ ନିକଟସ୍ଥ ଏକ ସୁରକ୍ଷିତ ସ୍ଥାନରେ ସହକାରୀ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟି (SMC) ସଦସ୍ୟଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଗୋଟିଏ ପଟେ ବନ୍ୟାର ଭୟ, ଅନ୍ୟପଟେ ସ୍ୱାଧୀନତା ଦିବସର ଉତ୍ସାହ। ଏଭଳି ପରିସ୍ଥିତିରେ ସ୍କୁଲ ପାଣି ଘେରରେ ରହିଥିଲେ ମଧ୍ୟ ସୁରକ୍ଷିତ ସ୍ଥାନରେ ତ୍ରିରଙ୍ଗା ଉଡ଼ାଇ ଦେଶପ୍ରେମର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ପ୍ରଧାନଶିକ୍ଷକ ଓ SMC ସଦସ୍ୟମାନେ।
