ପ୍ରେମ ସମ୍ପର୍କକୁ ନେଇ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ
ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଗାନ୍ଧୀ କଲେଜ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ପ୍ରେମ ସମ୍ପର୍କକୁ ନେଇ ମାନସିକ ଚାପରେ ରହିଥିବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି।
ବ୍ରହ୍ମପୁର : ପ୍ରେମ ବ୍ୟାପାରକୁ ନେଇ ଛାତ୍ରୀଙ୍କ ଆତ୍ମହତ୍ୟା । ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଗାନ୍ଧୀ କଲେଜ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଛାତ୍ରୀ ହେଲେ ସ୍ମୃତି ଭଳ। ପ୍ରେମ ସମ୍ପର୍କକୁ ନେଇ ମାନସିକ ଚାପରେ ରହିଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସ୍ମୃତି ତାଙ୍କ ସମ୍ପର୍କୀୟ ଭଉଣୀ ଓ ଅନ୍ୟାନ୍ୟ ଛାତ୍ରୀଙ୍କ ସହ କଲେଜ ହଷ୍ଟେଲର ଏକ ରୁମରେ ରହୁଥିଲେ। ଶନିବାର ଭୋର ପ୍ରାୟ ୩ଟାରୁ ୪ଟା ମଧ୍ୟରେ ସେ ଅନ୍ୟ ଏକ ରୁମକୁ ଯାଇ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସକାଳେ ସହପାଠୀ ଓ ଭଉଣୀ ଏହା ଦେଖି କଲେଜ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ପରେ ସ୍ମୃତିଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସ୍ମୃତିଙ୍କ ମୃତ୍ୟୁକୁ ତାଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ, ବିଶ୍ୱଜିତ ଜେନା ନାମକ ଜଣେ ଯୁବକଙ୍କ ସହ ସ୍ମୃତିଙ୍କ ଦୀର୍ଘ ଚାରି ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ସେହି ଯୁବକଙ୍କ ଦ୍ୱାରା ମାନସିକ ଚାପ ସୃଷ୍ଟି ହେବାରୁ ସ୍ମୃତି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଦାବି କରିଛନ୍ତି। ଏହାସହ ସ୍ମୃତିଙ୍କ କଲ୍ ରେକର୍ଡ ଯାଞ୍ଚ କରି ବିଶ୍ୱଜିତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ସ୍ମୃତିଙ୍କ ମାମୁଁ। ଅନ୍ୟପଟେ, କଲେଜ କର୍ତ୍ତୃପକ୍ଷ କହିଛନ୍ତି ଯେ ସ୍ମୃତିଙ୍କ ପ୍ରେମ ସମ୍ପର୍କ ବିଷୟରେ ସେମାନଙ୍କର କୌଣସି ସୂଚନା ନଥିଲା। ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା ଭଳି ପଦକ୍ଷେପ ନ ନିଅନ୍ତୁ ସେଥିପାଇଁ ନିୟମିତ କାଉନସେଲିଂ କରାଯାଉଥିବା ସେମାନେ କହିଛନ୍ତି। ପୋଲିସ ତଦନ୍ତ ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କଲେଜ ପ୍ରଶାସନ ପକ୍ଷରୁ କୁହାଯାଇଛି। ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ଗୋଳନ୍ଥରା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବ୍ରହ୍ମପୁର ଏସ୍ପିଙ୍କ ସୂଚନା ଅନୁସାରେ, ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ସମସ୍ତ ଦିଗରୁ ତଦନ୍ତ ଚାଲିଛି ଏବଂ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ।
