ବହି ଡାଉନଲୋଡ କରିବା କୌଣସି ଅପରାଧ କି ?
ଟିସ୍ ର ହଷ୍ଟେଲ ନମ୍ୱର ୪ ପାଖରେ ୧୦ରୁ ୧୨ଜଣ ଛାତ୍ର ବିନା ଅନୁମତିରେ ଏକ ସଭା କରିଥିଲେ। ଅଭିଯୋଗ ଥିଲା ଯେ, ଛାତ୍ରମାନେ ମହମବତୀ ଜଳାଇଲେ। ପୋଷ୍ଟର ଲଗାଇଲେ। କବିତା ପଢ଼ିଲେ ଓ ଉମର ଖାଲିଦ୍ ଓ ସରଜିଲ ଇମାମଙ୍କୁ ମୁକ୍ତି କରିବାକୁ ନାରା ଲଗାଇଥିଲେ।

ବହି ଡାଉନଲୋଡ କରିବା କୌଣସି ଅପରାଧ ନୁହେଁ। ଜାମିନ ଦାବି କରି ଟିସ୍ ଛାତ୍ର ଏଭଳି ଅପିଲ୍ କରିଛନ୍ତି ବମ୍ୱେ ହାଇକୋର୍ଟରେ। ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସର ଜଣେ ପୂର୍ବତନ ଛାତ୍ର ଅଗ୍ରୀମ ଜାମିନ ଆବେଦନରେ ଏଭଳି ଆଧାର ଦର୍ଶାଇଛନ୍ତି। ଏହି ପିଟିସନ ଗଲା ବର୍ଷ ଦିଲ୍ଲୀ ୟୁନିଭରସିଟିର ଦିବଂଗତ ପ୍ରଫେସର ଜିଏନ ସାଇବାବାଙ୍କ ସ୍ମୃତିରେ କ୍ୟାମ୍ପସରେ ହୋଇଥିବା ଅନଧିକୃତ ସଭା ସହ ଜଡ଼ିତ ଏତଲା ବିରୁଦ୍ଧରେ ହୋଇଛି। କୋର୍ଟରେ ଦଲିଲ ଦେଇ ତର୍କ ରଖାଯାଇଛି ଯେ, ବହି ଡାଉନଲୋଡ କରିବା ବା ସାହିତ୍ୟ ଉପରେ ଚର୍ଚ୍ଚା କରିବା ଅପରାଧ ନୁହେଁ। ଏ ମାମଲାରେ ଗିରଫଦାରିରୁ ବଞ୍ଚିବାକୁ ଛାତ୍ର ଏଭଳି ଆଗୁଆ ଜାମିନ୍ କରି ଏହି ପୃଷ୍ଠଭୂମି ଦେଇଛନ୍ତି। ମୁମ୍ୱାଇର ଏକ ସେସନ କୋର୍ଟ ତାଙ୍କ ଆଗୁଆ ଜାମିନ୍ ଖାରଜ କରିବା ପରେ ଛାତ୍ର ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏବେ ପୁରା ମାମଲା ଜାଣନ୍ତୁ। ଗଲା ବର୍ଷ ଅକ୍ଟୋବର ୧୨ ତାରିଖର ଘଟଣା। ଟିସ୍ ର ହଷ୍ଟେଲ ନମ୍ୱର ୪ ପାଖରେ ୧୦ରୁ୧୨ଜଣ ଛାତ୍ର ବିନା ଅନୁମତିରେ ଏକ ସଭା କରିଥିଲେ। ଅଭିଯୋଗ ଥିଲା ଯେ, ଛାତ୍ରମାନେ ମହମବତୀ ଜଳାଇଲେ। ପୋଷ୍ଟର ଲଗାଇଲେ। କବିତା ପଢ଼ିଲେ ଓ ଉମର ଖାଲିଦ୍ ଓ ସରଜିଲ ଇମାମଙ୍କୁ ମୁକ୍ତି କରିବାକୁ ନାରା ଲଗାଇଥିଲେ। ଏ ମାମଲାରେ ଟିସ୍ ର ଆସୋସିଏସେଟ୍ ଡିନ୍ ଡାକ୍ତର ବୈଶାଳୀ ବାଣଦାସ କୋହ୍ଲେଙ୍କ ଅଭିଯୋଗ ଉପରେ ଅକ୍ଟୋବର ୧୩, ୨୦୨୫ରେ ଟ୍ରାମ୍ୱେ ପୁଲିସ ଥାନାରେ ଏତଲା ରୁଜୁ କରାଗଲା। ଏହା ପରେ ମାମଲାକୁ କ୍ରାଇମବ୍ରାଞ୍ଚ ସିଆଇଡିକୁ ଦିଆଗଲା। ଏହି ମାମଲାରେ ସେସନ କୋର୍ଟ ଅନ୍ୟ ସହ ଅଭିଯୁକ୍ତଙ୍କୁ ଜାମିନ ଦେଇଥିଲେ। କିନ୍ତୁ ୨୪ ବର୍ଷୀୟ ଡେଭଲପମେଣ୍ଟ ଷ୍ଟଡିଜ୍ ଗ୍ରାଜୁଏଟ ଛାତ୍ରଙ୍କ ଅଗ୍ରୀମ ଜାମିନ ଖାରଜ କରିଦେଇଥିଲେ। ଏହା ପରେ ଅନ୍ୟ ଜଣେ ଅଭିଯୁକ୍ତ ଛାତ୍ରଙ୍କୁ ପୁଲିସ ଗିରଫ କରିଥିଲା। ଯିଏ ଏବେ ବି ନ୍ୟାୟିକ ହେପାଜତରେ ଅଛନ୍ତି। ହାଇକୋର୍ଟରେ ଦାଏର ଅଗ୍ରୀମ ଜାମିନ ପିଟିସନରେ ଛାତ୍ର କହିଛନ୍ତି, ଛାତ୍ର ଏକାଠି ହେବା, ବିଚାର ସେୟାର କରିବା ବା ରାଜନୈତିକ ମୁଦ୍ଦା ଉପରେ ଆଲୋଚନା କରିବା କୌଣସି ଅପରାଧିକ କାର୍ଯ୍ୟକଳାପ ନୁହେଁ। ଏହି ଆଧାରରେ ତାଙ୍କ ଉପରେ ଏତେବଡ଼ ଗମ୍ଭୀର ଆରୋପ ଲଗାଯାଇପାରିବନି। ଜଣେ ଯୁବକ ହିସାବରେ ଭଲ ଲାଗୁଥିବା କାହାର ବିଚାରାଧାରାର ବହି ପଢ଼ିବା ସାମ୍ୱିଧାନିକ ଅଧିକାର ଅଟେ। କେବଳ ବହି ଡାଉନଲୋଡ୍ କରିଦେଲେ ବା ପାଖରେ ରଖିଲେ କୌଣସି ଅପରାଧ ନୁହେଁ। ଛାତ୍ରଙ୍କର ବି କୌଣସି ପୁରୁଣା ଅପରାଧିକ ରେକର୍ଡ ନାହିଁ। ସେ କ୍ୟାମ୍ପସରେ ବି କେବେ କୌଣସି ଉପଦ୍ରବ କରିନାହାନ୍ତି। ଶିକ୍ଷାନୁଷ୍ଠାନ ପକ୍ଷରୁ ବି ତାଙ୍କୁ କେବେ ବି କୌଣସି ନୋଟିସ ହୋଇନି। ଏତଲାରେ ମିଛ କାହାଣୀ କୁହାଯାଇଛି। ସଭାରେ ଉମର ଖାଲିଦ ବା ସରଜିଲ ଇମାମଙ୍କ ମୁକ୍ତି ନେଇ କୌଣସି ନାରାବାଜି ହୋଇନଥିଲା। ମାମଲାର ଗମ୍ଭୀରତାକୁ ଦେଖି ଏହାର ଜରୁରୀ ଶୁଣାଣୀ ଲାଗି ଦାବି କରିଛନ୍ତି ଛାତ୍ରଙ୍କ ଓକିଲ। ସେସନ କୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିବା ପରେ ଛାତ୍ରଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଥିଲା। କାରଣ ଏହା ଛାତ୍ରଙ୍କ କ୍ୟାରିଅର ବର୍ବାଦ କରିଦେବ।
