ଗାଈଗୋରୁଙ୍କ ଉତ୍ପାତକୁ ନେଇ ହନ୍ତସନ୍ତ ସହରଵାସୀ
ରାସ୍ତା ମଝିରେ ଗାଈଗୋରୁଙ୍କ ଆଡ୍ଡା, ରାତିର ଅନ୍ଧାରରେ ବଢ଼ିଚାଲିଛି ଦୁର୍ଘଟଣା। ଏ ହେଉଛି ମାଲକାନଗିରି ଜିଲ୍ଲା ସଦର ମହକୁମାର ଚିତ୍ର। ସହରର ପ୍ରମୁଖ ରାସ୍ତା ମାନଙ୍କରେ ଵଢୁଛି ଗାଇଗୋରୁ ଓ କୁକୁରଙ୍କ ଉତ୍ପାତ। ଗାଈଗୋରୁଙ୍କ ଉତ୍ପାତକୁ ନେଇ ହନ୍ତସନ୍ତ ସହରଵାସୀ।
ମାଲକାନଗିରି: ରାସ୍ତା ମଝିରେ ଗାଈଗୋରୁଙ୍କ ଆଡ୍ଡା, ରାତି ହେଲେ ଅନ୍ଧାରରେ ବୁଡ଼ିଯାଉଛି ସହର, ଆଉ ଏହାରି ଭିତରେ ବଢ଼ିଚାଲିଛି ଦୁର୍ଘଟଣା। ଏ ହେଉଛି ମାଲକାନଗିରି ଜିଲ୍ଲା ସଦର ମହକୁମାର ଚିତ୍ର। ସହରର ପ୍ରମୁଖ ରାସ୍ତା ଭୈରବ ମନ୍ଦିରଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବସ୍ ଷ୍ଟାଣ୍ଡଠାରୁ ସୁବାଷ ବୋଷ ଛକ, ବାଲିମେଳା ଛକଠାରୁ କଲେକ୍ଟର ଓ ଏସପି ଅଫିସ ପର୍ଯ୍ୟନ୍ତ ସବୁଠି ଵଢୁଛି ଗାଇଗୋରୁ ଓ କୁକୁରଙ୍କ ଉତ୍ପାତ। ରାସ୍ତା ମଝିରେ ଅନେକ ସମୟ ଧରି ଗାଇଗୋରୁ ଵସି ରହୁଥିଵାରୁ ଯାତାୟାତ କରୁଥିବା ଲୋକେ ନିୟମିତ ଦୁର୍ଘଟଣାର ଶିକାର ହେଉଛନ୍ତି। ଅନ୍ଯପଟେ, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କାଞ୍ଜିଆହାଉସ୍ ତିଆରି କରାଯାଇଥିଲେ ବି କାର୍ଯ୍ୟକାରୀ ହୋଇପାରୁନାହିଁ। ଏହା ସହ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଲାଗିଥିବା ଷ୍ଟ୍ରୀଟ୍ ଲାଇଟ୍ ଗୁଡ଼ିକ ରାତିରେ ଜଳୁନଥିବାରୁ ଅନ୍ଧାରରେ ଦୁର୍ଘଟଣା ବୃଦ୍ଧି ପାଉଛି। ବାରମ୍ବାର ଅଭିଯୋଗ କରିଥିଲେ ମଧ୍ଯ କୌଣସି ସମାଧାନ ହୋଇନଥିଵା କହିଛନ୍ତି ସ୍ଥାନୀୟ ଲୋକେ।
ସେପଟେ ଏହି ସମସ୍ୟା ସମ୍ପର୍କରେ ପୌରପାଳିକାର ଅଧିକାରୀଙ୍କୁ ପଚାରିବାରୁ, ସେ କହିଛନ୍ତି ଯେ ଏନ୍ଫୋର୍ସମେଣ୍ଟ ଟିମ୍ ଗାଈଗୋରୁଙ୍କୁ ଉଠାଇ କାଞ୍ଜିଆହାଉସରେ ରଖିଵା ସହ ଜରିମାନା କାଟୁଛନ୍ତି। ଏହାସହ ୧୯ଟି ୱାର୍ଡରେ ମାଇକ୍ ଯୋଗେ ସଚେତନତା ପ୍ରଚାର ମଧ୍ୟ କରାଯାଉଛି। ବର୍ଷା ଦିନେ ଗୋରୁଗାଈଙ୍କୁ ରାସ୍ତାକୁ ନଛାଡ଼ି ଘରେ ରଖିବାକୁ ଲୋକମାନଙ୍କୁ ନିବେଦନ କରାଯାଇଛି। ସେହିପରି ଷ୍ଟ୍ରୀଟ୍ ଲାଇଟ୍ର ମରାମତି କାମ ଚାଲିଥିବା ମଧ୍ୟ ଅଧିକାରୀ କହିଛନ୍ତି। ସମସ୍ଯାକୁ ନେଇ ପଦକ୍ଷେପ ନିଆଯାଉଥିବା ପୌରପାଳିକା କର୍ତ୍ତୃପକ୍ଷ ଦାବି କରୁଥିଲେ ବି ବଦଳୁନାହିଁ ସହରର ସ୍ଥିତି। ଏବେ ଦେଖିବାକୁ ବାକି ରହିଲା, କେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେଉଛି।
