ସାରସକଣାରେ ବିଭିନ୍ନ ଶିକ୍ଷାଭିତ୍ତିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ
ସାରସକଣାରେ ଶିକ୍ଷା କ୍ଷେତ୍ରକୁ ମିଳିଲା ନୂଆ ଭିତ୍ତିଭୂମି । ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ । ୧୨୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସର ଉଦ୍ଘାଟନ ।
ସାରସକଣା: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରାଯାଇଛି। ସାରସକଣା ବିଧାୟକ ଭାଦବ ଚନ୍ଦ୍ର ହାଁସଦାଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହୋଇଛି। ବୀଣାପାଣି ବାଳିକା ଉଚ୍ଚ ବିଦ୍ୟାଳୟରେ ୧୨୦ ଶଯ୍ୟା ବିଶିଷ୍ଟ ନୂତନ ଛାତ୍ରୀନିବାସର ଉଦ୍ଘାଟନ କରାଯାଇଥିବାବେଳେ, ଏଠାରେ ରହୁଥିବା ଛାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ବହି, ପୋଷାକ ଏବଂ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ସେହିପରି, ଝାରପୋଖରିଆ ସୀମାନ୍ତ ମହାବିଦ୍ୟାଳୟରେ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଡାଇନିଙ୍ଗ ହଲ୍ ଓ ଅଧ୍ୟୟନ କକ୍ଷର ଶିଳାନ୍ୟାସ କରାଯାଇଛି। ଏହା ସହ ପୁରୁଣାପାଣି ସୀମାନ୍ତ ନୂତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ଝାରପୋଖରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୫୦ ଶଯ୍ୟା ବିଶିଷ୍ଟ ନୂତନ ଛାତ୍ରାବାସ ନିର୍ମାଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳରେ ଶିକ୍ଷାର ବିକାଶ, ଛାତ୍ରଛାତ୍ରୀଙ୍କ ସୁବିଧା ଏବଂ ସାକ୍ଷରତା ହାର ବୃଦ୍ଧିରେ ସହାୟକ ହେବ ବୋଲି ବିଧାୟକ ଭାଦବ ଚନ୍ଦ୍ର ହାଁସଦା କହିଛନ୍ତି।
