କେନ୍ଦୁଝରରେ ବନ୍ୟା ସ୍ଥିତିରେ ନିୟନ୍ତ୍ରଣ
କେନ୍ଦୁଝରରେ ବନ୍ୟା ସ୍ଥିତିରେ ନିୟନ୍ତ୍ରଣ, କମିଲା ବୈତରଣୀର ଜଳସ୍ତର। ୧୩ ବ୍ଲକ୍ର ୯୪ ଗ୍ରାମପଞ୍ଚାୟତ ବନ୍ୟା ପ୍ରଭାବିତ, କ୍ଷୟକ୍ଷତିର ସର୍ଭେ ଆରମ୍ଭ ହେଵା ନେଇ ଜିଲ୍ଲାପାଳଙ୍କ ସୂଚନା।
କେନ୍ଦୁଝର: ଗତ ସପ୍ତାହର ଲଗାଣ ବର୍ଷା ଓ ବନ୍ୟା ପରେ କେନ୍ଦୁଝର ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ପ୍ରାଥମିକ ଚିତ୍ର ସାମ୍ନାକୁ ଆସିଛି। ଜିଲ୍ଲାପାଳ ବିଶାଲ ସିଂ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜିଲ୍ଲାର ୧୩ଟି ବ୍ଲକ୍ର ୯୪ଟି ଗ୍ରାମପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ଆନନ୍ଦପୁର, ହାଟଡିହି ଓ ପାଟଣା ବ୍ଲକ୍ ସର୍ବାଧିକ ପ୍ରଭାବିତ ହୋଇଛି। ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ଗତ ଦୁଇ ଦିନ ଧରି ବର୍ଷା କମିଥିବାରୁ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇଛି। ଚମ୍ପୁଆ, ସ୍ୱାମପାଟଣା ଓ ଆନନ୍ଦପୁର ଅଞ୍ଚଳରେ ନଦୀ ବର୍ତ୍ତମାନ ଵିପଦ ସଂକେତ ତଳେ ପ୍ରବାହିତ ହେଉଥିବାରୁ ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ପ୍ରାଥମିକ ଆକଳନ ଅନୁଯାୟୀ, ବନ୍ୟାରେ ପ୍ରାୟ ୩୦୦ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫୨୫ଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ରେଭେନ୍ୟୁ ଓ କୃଷି ବିଭାଗ ମିଳିତ ଭାବେ ଖୁବ୍ ଶୀଘ୍ର ସର୍ଭେ ଆରମ୍ଭ କରିବେ। ସର୍ଭେ ଶେଷ ପରେ ପ୍ରକୃତ କ୍ଷୟକ୍ଷତିର ରିପୋର୍ଟ ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ଓ ଜିଲ୍ଲା ପ୍ରଶାସନର ସୂଚନା ଉପରେ ନଜର ରଖିବା ସହ ନଦୀକୁ ଗାଧୋଇବା କିମ୍ବା ବନ୍ୟା ଦେଖିବା ପାଇଁ ନଦୀକୂଳକୁ ନଯିବାକୁ ଅନୁରୋଧ କରାଯାଇଛି। ଆବଶ୍ୟକ ପଡ଼ିଲେ ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନ ଓ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ସେହିପରି ଅଫବାହରେ ବିଶ୍ୱାସ ନକରି ପ୍ରଶାସନକୁ ସହଯୋଗ କରିବାକୁ ମଧ୍ୟ ଜିଲ୍ଲାବାସୀଙ୍କୁ ଅପିଲ୍ କରାଯାଇଛି।
