ଅଶୋକଧାମ ମନ୍ଦିରରେ ଗୁଜବରୁ ଦଳାଚକଟା- ୭ ମହିଳା ଶ୍ରଦ୍ଧାଳୁ ମୃତ
ମନ୍ଦିର ପରିସରରେ ବିଜୁଳି ତାର ପଡ଼ିଯାଇ ସେଠାରେ କରେଣ୍ଟ ପ୍ରବାହିତ ହେବାର ଗୁଜବରୁ ଭୟରେ ଧାଁଧଉଡ଼ କରିଥିଲେ ଶ୍ରଦ୍ଧାଳୁ। ବ୍ୟାରିକେଡ ଭାଙ୍ଗି ଯିଏ ପାରିଲା ଯାହା ଉପରେ କୁଦିଲା। ଫଳରେ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସହ ୧୨ରୁ ଅଧିକ ଆହତ ହୋଇଛନ୍ତି।

ଶ୍ରାବଣ ମାସର ତୃତୀୟ ସୋମବାରରେ ଅଘଟଣ। ବିହାରର ଲକିସରାଇସ୍ଥିତ ପ୍ରସିନ୍ଧ ଅଶୋକଧାମ ମନ୍ଦିରରେ ଜଳାଭିଷେକ ବେଳେ ଦଳାଚକଟା। ଦଳାଚକଟାରେ ୭ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଅନେକ ଗୁରୁତର ଅଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ମନ୍ଦିର ପରିସରରେ ବିଜୁଳି ତାର ପଡ଼ିଯାଇ ସେଠାରେ କରେଣ୍ଟ ପ୍ରବାହିତ ହେବାର ଗୁଜବରୁ ଭୟରେ ଧାଁଧଉଡ଼ କରିଥିଲେ ଶ୍ରଦ୍ଧାଳୁ। ବ୍ୟାରିକେଡ ଭାଙ୍ଗି ଯିଏ ପାରିଲା ଯାହା ଉପରେ କୁଦିଲା। ଫଳରେ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସହ ୧୨ରୁ ଅଧିକ ଆହତ ହୋଇଛନ୍ତି। ଘଟଣାସ୍ଥଳକୁ ତୁରନ୍ତ ପୁଲିସ, ପ୍ରଶାସନିକ ଅଧିକାରୀଙ୍କ ସହ ମେଡିକାଲ ଟିମ୍ ପହଞ୍ଚିଥିଲା। ଆହତଙ୍କୁ ଲଖିସରାଇ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ବୟସ ୪୪ରୁ ୫୫ ଭିତରେ। ଲକିସରାଇ ଜିଲ୍ଲାପାଳ ଶୈଳେନ୍ଦ୍ର କୁମାର କହିଛନ୍ତି, ଭିଡ଼ ନିୟନ୍ତ୍ରଣ ଲାଗି ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ରାତି ସାଢ଼େ ୩ଟାରୁ ପ୍ରଶାସନିକ ଟିମ୍ ଉପସ୍ଥିତ ଥିଲେ। ସମସ୍ତ ବ୍ୟବସ୍ଥା ବି ସୁରୁଖୁରୁରେ ଚାଲିଥିଲା। କିନ୍ତୁ ଦୁଇଟି ଟ୍ରେନ ଏକା ସାଙ୍ଗରେ ଆସି ରୋକିବାରୁ ପ୍ରବଳ ଭିଡ଼ ମନ୍ଦିର ପରିସର ଯାଏ ପହଞ୍ଚିଥିଲା। ଶ୍ରଦ୍ଧାଳୁଙ୍କ ଲାଇନ ଅଶୋକଧାମ ହଲଟ ଯାଏ ପହଞ୍ଚିଗଲା। ଯେଉଁ ହଲଟରେ ଦୁଇଟି ଟ୍ରେନ୍ ଅଟକିଥିଲା। ଏମିତିରେ ମନ୍ଦିର ପୂର୍ବରୁ କାଉଡ଼ିଆଙ୍କ ସମାଗମରେ ଭିଡ଼ ଥିଲା। ସେଥିଲାଗି ଅପ୍ରତ୍ୟାଶିତ ଘଟଣା ଘଟିଗଲା। ଭୋର୍ ସାଢ଼େ ୬ଟାରେ ଭିଡ଼ ବଢ଼ିବାରୁ ବିଲ ଆଡ଼କୁ ଥିବା ବ୍ୟାରିକେଡ୍ ଭାଙ୍ଗିଗଲା। ଆଉ ଲୋକ ପରସ୍ପର ଉପରେ ପଡ଼ିଗଲେ। ତୁରନ୍ତ ୧୦ରୁ ୧୫ ଜଣଙ୍କୁ ଆମ୍ୱୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଗଭୀର ଶୋକବ୍ୟକ୍ତ କରିବା ସହ ଆହତଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବାକୁ ନିର୍ଦେଶ ଦେଇଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ପ୍ରବେଶ ଦ୍ୱାରରେ ଯେଉଁଠି ବାଉଁଶର ବ୍ୟାରିକେଡ୍ ଥିଲା। ସେଠାରେ ପ୍ରାୟ ଶହେ ଲୋକ ବାହାରୁ ଜବରଦସ୍ତି ପଶିବାକୁ ଉଦ୍ୟମ କରିଥିଲେ। ସେମାନେ ହିଁ ଭିଡ଼କୁ ଧକା ଦେବାରୁ ଲୋକେ ପଡ଼ିଯାଇଥିଲେ। ଏ ଘଟଣା ଅଶୋକଧାମ ଷ୍ଟେସନରୁ ମନ୍ଦିର ଯିବା ବାଟରେ ହୋଇଛି। ଯେଉଁଠି ରାତିରେ ବିଜୁଳି ଖୁଣ୍ଟ ତାର ସହ ପଡ଼ିଯାଇଥିଲା। ସୋମବାର ସକାଳୁ ମନ୍ଦିରରେ ଜଳାଭିଷେକ ଲାଗି ଆସିଥିବା କାଉଡ଼ିଆଙ୍କ ଭିତରେ ପୋଲରେ କରେଣ୍ଟ ଚାଲିଥିବାର ଗୁଜବ ପରିସ୍ଥିତିକୁ ବିଗାଡ଼ିଦେଲା। ଏ ସବୁ ଘଟଣା ମାତ୍ର ୨ ମିନିଟରେ ଘଟିଗଲା।
