କୁଆଡ଼େ ଗଲେ ଅଦୈତ- ଟ୍ରେକିଂରେ ଯିବାପରଠୁ ମିଳୁନି ପତ୍ତା
ଯଦି ୪ ତାରିଖରେ ପାହାଡ଼କୁ ଯାଇଥିଲେ। ତାହେଲେ ୭ ତାରିଖରେ ପୁଣି ଯିବାର କାରଣ କଅଣ ଥିଲା। ଏଆଇ ଟୁଲରେ ପାହାଡ଼ରୁ ପଡ଼ିବା ପରେ ମଣିଷ ଜୀବିତ ରହିବାର ଅବଧି ଓ ଶରୀର ଉପରେ ପଡ଼ିଥିବା ପ୍ରଭାବ ବାବଦରେ ବି ତଥ୍ୟ ହାସଲ କରୁଛି ପୁଲିସ। କଲ ଡିଟେଲ ରେକର୍ଡ ବା ସିଡିଆର ଅନୁସାରେ ୬ ଓ ୭ ତାରିଖରେ ସେ ନିଜର ବାନ୍ଧବୀଙ୍କ ବ୍ୟତୀତ ଆଉ କାହା ସହ କଥା ହୋଇଥିଲେ।

କୁଆଡ଼େ ଗଲେ ଅଦୈତ ଉପାଧ୍ୟାୟ। ବେଙ୍ଗାଲୁରୁର ନେଲାମଙ୍ଗଲା ସ୍ଥିତ ଶିବଗଙ୍ଗା ପାହାଡ଼ରେ ନିଖୋଜ ଇନ୍ଦୋରର ଇଞ୍ଜିନିୟର ୩୧ ବର୍ଷୀୟ ଅଦୈତଙ୍କ ପତ୍ତା ମିଳୁନି। ମଙ୍ଗଳବାର ସଂଧ୍ୟାରେ ଅନ୍ଧାର ହେତୁ ୬୦ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ସର୍ଚ୍ଚ ଅପରେସନକୁ ରୋକିଦିଆଯାଇଥିଲା। ଆଜି ପୁଣି ସକାଳୁ ପୁଲିସ, ଏସଡିଆରଏଫ ଓ ଅଗ୍ନିଶମ ବିଭାଗର ଟିମ୍ ପାହାଡ଼ିଆ ଏରିଆର ଦୁର୍ଗମ ଏରିଆରେ ତଲାସି ଅଭିଯାନ ଜାରି ରଖିଛନ୍ତି। ତଲାସି ଅଭିଯାନ ବେଳେ ଶାନ୍ତାଲା ଡ୍ରପ୍ ପାଖରେ ଅଦୈତଙ୍କ ମୋବାଇଲ ଫୋନ ଓ ଡ୍ରୋନ୍ ମିଳିଛି। ଏହା ପୂର୍ବରୁ ରବିବାର ପ୍ରତିବନ୍ଧିତ ଶାନ୍ତାଲା ପଏଣ୍ଟ ପାଖରୁ ତାଙ୍କର ବ୍ୟାଗ୍ ଓ ସ୍ୱିଟର ମିଳିଥିଲା। ପୁଲିସ ଏବେ ଏ ସବୁ ସାମଗ୍ରୀ ମିଳିଥିବା ଜାଗା ଓ ଅଦୈତଙ୍କ ଡିଜିଟାଲ ଗତିବିଧିକୁ ଯୋଡ଼ି ତାଙ୍କର ମୁଭମେଣ୍ଟର ଟାଇମଲାଇନ ପ୍ରସ୍ତୁତ କରୁଛି। ପୁଲିସ ଅନୁସାରେ, ମୋବାଇଲ ବନ୍ଦ ହେବା ଆଗରୁ କିଛି ସମୟ ଯାଏ ଚାଲୁ ଥିଲା। ସେଥିଲାଗି ଏହା ବି ଯାଞ୍ଚ ହେଉଛି, ଫୋନ କୌଣସି ଅଲଗା ହାତରେ ନଥିଲା ତ। ଯେଉଁ ଜାଗାରୁ ମୋବାଇଲ ଓ ଡ୍ରୋନ ମିଳିଛି, ସେଠାରେ ଅଦୈତଙ୍କ ବ୍ୟତୀତ ଆଉ କାହାର ଉପସ୍ଥିତି ଥିଲା ନା ନାହିଁ। ତଦନ୍ତ ବେଳେ ଜଣେ ପର୍ଯ୍ୟଟକଙ୍କ ଦ୍ୱାରା ଉଠାଯାଇଥିବା ଅଦୈତଙ୍କ ଫଟୋ ବି ମିଳିଥିଲା। ଅଗଷ୍ଟ ୭ରେ ଅଦୈତ ଶିବଗଙ୍ଗା ପାହାଡ଼କୁ ଯାଇଥିଲେ। ହେଲେ ଲାପଟପର ଅନଲାଇନ ସର୍ଚ୍ଚ ହିଷ୍ଟ୍ରି ଓ ଡିଜିଟାଲ ଗତିବିଧି ତଦନ୍ତରୁ ଅଗଷ୍ଟ ୪ରେ ବି ଅଦୈତ ପାହାଡ଼ରେ ପହଞ୍ଚିଥିବାର ସଙ୍କେତ ମିଳୁଛି। ସେଥିଲାଗି ପୁଲିସ ଅଗଷ୍ଟ ୪ରୁ ୭ ଭିତରେ ତାଙ୍କର ଗତିବିଧିର ଡିଜିଟାଲ ରେକର୍ଡକୁ ତନାଘନା କରୁଛି। ଯଦି ୪ ତାରିଖରେ ପାହାଡ଼କୁ ଯାଇଥିଲେ। ତାହେଲେ ୭ ତାରିଖରେ ପୁଣି ଯିବାର କାରଣ କଅଣ ଥିଲା। ଏଆଇ ଟୁଲରେ ପାହାଡ଼ରୁ ପଡ଼ିବା ପରେ ମଣିଷ ଜୀବିତ ରହିବାର ଅବଧି ଓ ଶରୀର ଉପରେ ପଡ଼ିଥିବା ପ୍ରଭାବ ବାବଦରେ ବି ତଥ୍ୟ ହାସଲ କରୁଛି ପୁଲିସ। କଲ ଡିଟେଲ ରେକର୍ଡ ବା ସିଡିଆର ଅନୁସାରେ ୬ ଓ ୭ ତାରିଖରେ ସେ ନିଜର ବାନ୍ଧବୀଙ୍କ ବ୍ୟତୀତ ଆଉ କାହା ସହ କଥା ହୋଇଥିଲେ। ଏହାର ତଥ୍ୟ ହାସଲ କରାଯାଉଛି। ଅଦୈତ ଯାହାକୁ ବାହା ହେବେ, ସେ ଅଗଷ୍ଟ ୭ ରାତି ୮ଟାରେ ହ୍ୱାଇଟଫିଲ୍ଡ ସବଡିଭିଜନର କଡ୍ଡୁଗୋଡ଼ି ଥାନାରେ ନିଖୋଜ ଏତଲା ଦେଇଥିଲେ। ଅଗଷ୍ଟ ୭ ସକାଳ ପ୍ରାୟ ସାଢ଼େ ୭ଟାରେ ଅଦୈତ ଫୋନରେ ଶିବଗଙ୍ଗା ପାହାଡ଼ରେ ଟ୍ରେକିଂ ଲାଗି ଯିବାକୁ କହିଥିଲେ। ଏହା ପରେ ଆଉ ଫେରିନାହାନ୍ତି। ଦ୍ୱିପ୍ରହର ସୁଦ୍ଧା ଟ୍ରେକିଂରୁ ଫେରିବାର ଥିଲା। ଫୋନ କଲେ ବି ସମ୍ପର୍କ ହୋଇପାରୁନି। ଏବେ ମାମଲା ନେଲାମଙ୍ଗଲା ପୁଲିସକୁ ରେଫର କରାଯାଇଛି। ବର୍ଷା କାରଣରୁ ପଥୁରିଆ ରାସ୍ତାରେ ଖସିଯିବାର ଭୟ ଓ ଦୁର୍ଗମ ଏରିଆରେ ପହଞ୍ଚିବାକୁ ଉଦ୍ଧାରକାରୀ ଦଳକୁ କଷ୍ଟ ହେଉଛି। ଅଦୈତ ପରିବାରର ଏକମାତ୍ର ପୁଅ। ତାଙ୍କ ବାପା ପ୍ରମୋଦ ଉପାଧ୍ୟାୟଙ୍କର ୨୦୧୬ରେ ହୃଦଘାତରେ ପରଲୋକ ହୋଇସାରିଛି। ଏହା ପରେ ତାଙ୍କ ମାଆଙ୍କୁ ଆକାଉଣ୍ଟ ବିଭାଗରେ ଅନୁକମ୍ପାମୂଳକ ନିଯୁକ୍ତି ମିଳିଥିଲା। କିଛି ମାସ ପୂର୍ବରୁ ସେ ଭିଆରଏସ ନେଇସାରିଛନ୍ତି। ଇନ୍ଦୋରରେ ଏକୁଟିଆ ରୁହନ୍ତି। ଅଦୈତ ଲମ୍ୱା ସମୟ ଧରି ବେଙ୍ଗାଲୁରୁରେ ଏକ ଫାଇନାନ୍ସ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଛନ୍ତି। ଏହା ପୂର୍ବରୁ ସେ ସଫ୍ଟଓ୍ୱେର ପ୍ରଫେସନାଲ ଭାବେ କାମ କରୁଥିଲେ। ମାମଲାର ଗମ୍ଭୀରତା ଦୃଷ୍ଟିରୁ ଇନ୍ଦୋର କ୍ରାଇମବ୍ରାଞ୍ଚ ଟିମ ବି ବେଙ୍ଗାଲୁରୁ ପୁଲିସ ସହ ସମ୍ପର୍କରେ ଅଛି। ୬ ଦିନ ହୋଇଗଲାଣି। ହେଲେ ଅଦୈତଙ୍କ ପତ୍ତା ପାଉନି ଉଦ୍ଧାରକାରୀ ଦଳ। ଜାନୁଆରୀରେ ବିବାହ ହେବାର ଥିଲା। ଅଦୈତଙ୍କ ଅଚାନକ ଗାଏବକୁ ନେଇ ସବୁଠି ହଇଚଇ ଖେଳିଛି।
