Ramp Controversy Puri: ଶ୍ରୀମନ୍ଦିରରେ ରାମ୍ପ ନିର୍ମାଣକୁ ଦଇତାପତି ସେବକଙ୍କ ଆପତ୍ତି
ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ରାମ୍ପ ନିର୍ମାଣକୁ ନେଇ ଚର୍ଚ୍ଚା। ନାଟମଣ୍ଡପରେ ରାମ୍ପ ସ୍ଥାପନକୁ ଦଇତାପତି ସେବକଙ୍କ ଆପତ୍ତି, ସାହାଣମେଳା ଦର୍ଶନ ପୁନଃ ଆରମ୍ଭ ଦାବି।
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ଅଧିକ ଶୃଙ୍ଖଳିତ, ସୁଗମ ଓ ସୁରକ୍ଷିତ କରିବା ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ନିମନ୍ତେ ଚାଲିଛି ନିର୍ମାଣ କାର୍ଯ୍ୟ। ନାଟମଣ୍ଡପରେ ରାମ୍ପ ନିର୍ମାଣକୁ ନେଇ ଗୋଟିଏ ପଟେ ସରକାରଙ୍କ ପ୍ରସ୍ତୁତି ଜାରି ରହିଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ବରିଷ୍ଠ ଦଇତାପତି ସେବକ। ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦେଇ ଓବିସିସି ପକ୍ଷରୁ ଏହି ରାମ୍ପ ନିର୍ମାଣ କରାଯାଉଛି। ଏହାର ଅଗ୍ରଗତି ସମୀକ୍ଷା କରିବା ସହ କାର୍ଯ୍ୟସ୍ଥଳ ପରିଦର୍ଶନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଧାର୍ଯ୍ୟ ସମୟସୀମା ମଧ୍ୟରେ ଉଚ୍ଚ ଗୁଣବତ୍ତା ସହ କାର୍ଯ୍ୟ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ନାଟମଣ୍ଡପରେ ରାମ୍ପ ସ୍ଥାପନ ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ହେବା ସହ ଅଧିକ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବରିଷ୍ଠ ଦଇତାପତି ସେବକ ଜଗନ୍ନାଥ ସ୍ୱାଇଁ ଦାସମହାପାତ୍ର ଓ ବିନାୟକ ଦାସମହାପାତ୍ର।
ବରିଷ୍ଠ ସେବାୟତଙ୍କ ସହ ଆଲୋଚନା ନକରି ଏଭଳି ପଦକ୍ଷେପ ନିଆଯାଉଥିବା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସାଧାରଣ ଭକ୍ତଙ୍କ ସୁବିଧା ପାଇଁ ପୁଣି ସାହାଣମେଳା ଦର୍ଶନ ଆରମ୍ଭ କରିବାକୁ ମଧ୍ୟ ଦାବି କରିଛନ୍ତି। ଅନ୍ୟପଟେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ପ୍ରଥମେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ସେବାୟତମାନେ ରାମ୍ପର ସମୀକ୍ଷା କରିବେ। ଆବଶ୍ୟକ ହେଲେ ପରିବର୍ତ୍ତନ କରାଯିବ। ଏହାପରେ ଛତିଶା ନିଯୋଗ ଓ ସେବାୟତଙ୍କ ସହମତିରେ ଛଅ ଲେନ୍ ବିଶିଷ୍ଟ ଧାଡ଼ି ଦର୍ଶନ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ ଲାଗୁ ହେବ। ଭକ୍ତଙ୍କ ସୁବିଧା ସହ ଶ୍ରୀମନ୍ଦିରର ପରମ୍ପରା ଓ ନୀତିକାନ୍ତିର ସୁରକ୍ଷା କିପରି ସୁନିଶ୍ଚିତ ହେବ, ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।
