Heavy Rain Disrupts : ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ! ଜଳମଗ୍ନ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ
ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ! ଦକ୍ଷିଣ ଓଡ଼ିଶା ଜଳମଗ୍ନ। ଋଷିକୂଲ୍ୟା ନଦୀରେ ବଢ଼ୁଛି ଜଳସ୍ତର, ବନ୍ୟା ଆଶଙ୍କାରେ ଲୋକେ ଆତଙ୍କିତ। ପ୍ରବଳ ବର୍ଷା ଯୋଗୁଁ ୧୪ଟି ଟ୍ରେନ୍ ପ୍ରଭାବିତ, ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳବାଇର ପଦକ୍ଷେପ।

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। ବିଶେଷକରି ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ପାତ୍ରପୁରରେ ସର୍ବାଧିକ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। କନ୍ଧମାଳରେ ୪୬୨ ମିଲିମିଟର ବର୍ଷା ହୋଇଛି। ଦକ୍ଷିଣ ଓଡ଼ିଶାର ୪୭ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି।
ଋଷିକୂଲ୍ୟା ଓ ବଂଶଧାରାରେ ବଢ଼ୁଛି ଜଳସ୍ତର
ପ୍ରବଳ ବର୍ଷା ଯୋଗୁଁ ଋଷିକୂଲ୍ୟା ଓ ବଂଶଧାରା ନଦୀ ଅଧିକ ପ୍ରଭାବିତ ହୋଇଛନ୍ତି। ଋଷିକୂଲ୍ୟା ନଦୀର ଜଳସ୍ତର ବିପଦ ସଂକେତ ଉପରେ ରହିଥିବା ବେଳେ ଆଗକୁ ଜଳସ୍ତର ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଇଛି। ତେବେ ପରବର୍ତ୍ତୀ ସମୟରେ ଜଳସ୍ତର ହ୍ରାସ ପାଇବା ଆଶା କରାଯାଉଛି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାୟତଙ୍କ ସୂଚନା ଅନୁସାରେ, ଗଞ୍ଜାମରେ ବନ୍ୟା ସ୍ଥିତି ଆଉ କିଛି ଘଣ୍ଟା ରହିପାରେ। ଅପରାହ୍ନ ୪ଟା ପରେ ଜଳସ୍ତର ହ୍ରାସ ପାଇବା ଆଶା ରହିଛି। ଆସନ୍ତାକାଲି ସୁଦ୍ଧା ସ୍ଥିତିରେ ସୁଧାର ଆସିପାରେ।
ହୀରାକୁଦରେ ଜଳ ସଂରକ୍ଷଣ ପାଇଁ ଯଥେଷ୍ଟ ସ୍ଥାନ
ବାତ୍ୟାର ଗତିପଥ ଛତିଶଗଡ଼ ଆଡ଼କୁ ରହିଥିବାରୁ ବରଗଡ଼ ଓ ଝାରସୁଗୁଡ଼ା ଅଞ୍ଚଳରେ ବର୍ଷା ହେବାର ଆଶଙ୍କା ରହିଛି। ହୀରାକୁଦ ଜଳଭଣ୍ଡାରରେ ପ୍ରାୟ ୩ ଫୁଟ୍ ସ୍ଥାନ ଥିବାରୁ ଆସୁଥିବା ଜଳ ସଂରକ୍ଷଣରେ ବର୍ତ୍ତମାନ ସମସ୍ୟା ହେବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ଅକ୍ଟୋବର ୩୦ ପରେ ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ। ତେବେ ମହାନଦୀରେ ବନ୍ୟା ଆଶଙ୍କା ନଥିବା ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଉତ୍ତର ଓଡ଼ିଶାରେ ବିଶେଷ ବର୍ଷା ହୋଇନଥିବାରୁ ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ ଓ ଜଳକା ନଦୀରେ ବନ୍ୟା ସ୍ଥିତି ନାହିଁ। ଦକ୍ଷିଣ ଓଡ଼ିଶା ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଥିଲା।
ରେଳ ଚଳାଚଳ ବାଧାପ୍ରାପ୍ତ, ୧୪ଟି ଟ୍ରେନ୍ ପ୍ରଭାବିତ
ପ୍ରବଳ ବର୍ଷା ଓ ରେଳ ଧାରଣା ନିକଟରେ ଜଳସ୍ତର ବୃଦ୍ଧି ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ପଲାସା ଅଭିମୁଖେ ଯାଉଥିବା ୩ଟି ଟ୍ରେନ୍ ବାତିଲ ହୋଇଥିବା ବେଳେ ୪ଟି ଟ୍ରେନ୍ର ଯାତ୍ରା ଆଂଶିକ ଭାବେ ବାତିଲ କରାଯାଇଛି। ଏହାସହ ୮ଟି ଟ୍ରେନ୍ର ଯାତ୍ରାପଥ ନିୟନ୍ତ୍ରଣ ଏବଂ ୬ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଥିବା ସୂଚନା ଦିଆଯାଇଛି।ପୂର୍ବତଟ ରେଳବାଇର CPRO ଦୀପକ ରାଉତଙ୍କ ସୂଚନା ଅନୁସାରେ, ଫସି ରହିଥିବା ଯାତ୍ରୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସ୍ୱତନ୍ତ୍ର କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆବଶ୍ୟକସ୍ଥଳେ ଟ୍ରେନ୍ଗୁଡ଼ିକର ଗତିପଥ ପରିବର୍ତ୍ତନ କରି ଯାତ୍ରୀଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉଛି।
ଜଳସ୍ତର ହ୍ରାସ ପାଇବା ପରେ ରେଳ ଚଳାଚଳ ସ୍ୱାଭାବିକ କରିବାକୁ ପ୍ରୟାସ କରାଯିବ। ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ରେଳ ଧାରଣାରେ ଜଳସ୍ତର ଅଧିକ ଥିବା ସ୍ଥାନରେ ଚଳାଚଳ ବନ୍ଦ ରଖାଯାଇଛି। ଅଭିଯୋଗ ଓ ଯାତ୍ରୀଙ୍କ ସମସ୍ୟା ସମାଧାନ ପାଇଁ ସୋସିଆଲ ମିଡିଆ ଏବଂ ଅନଲାଇନ୍ ମାଧ୍ୟମରେ ମଧ୍ୟ ସୂଚନା ଗ୍ରହଣ କରାଯାଉଛି।
