Winter Session: ନଭେମ୍ବର ୧୮ରୁ ଶୀତକାଳୀନ ଅଧିବେଶନ, ଡିସେମ୍ବର ୩୦ରେ ପାରିତ ହେବ ଅତିରିକ୍ତ ବଜେଟ୍
ନଭେମ୍ବର ୧୮ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ୧୮ରେ ଆସିବ ଅତିରିକ୍ତ ବଜେଟ୍, ୨୫ରୁ ୨୭ ଯାଏଁ ଖର୍ଚ୍ଚ ଦାବି ଉପରେ ଆଲୋଚନା।

ଭୁବନେଶ୍ୱର: ନଭେମ୍ବର ୧୮ରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ ତଥା ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ। ମୋଟ ୪୪ ଦିନ ମଧ୍ୟରେ ୩୩ଟି କାର୍ଯ୍ୟଦିବସ ରହିଛି। ନଭେମ୍ବର ୧୮ ତାରିଖରେ ଗୃହରେ ଉପସ୍ଥାପିତ ହେବ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍। ଏନେଇ ସୂଚନା ଦେଇଛନ୍ତି ବିଧାନସଭା ବାଚସ୍ପତି ସୁରମା ପାଢ଼ୀ। ନଭେମ୍ବର ୨୫ରୁ ୨୭ ତାରିଖ ମଧ୍ୟରେ ଅତିରିକ୍ତ ବ୍ୟୟବରାଦର ଖର୍ଚ୍ଚ ଦାବି ଉପରେ ଆଲୋଚନା ଓ ବିତର୍କ ହେବ।
ଏହାପରେ ନଭେମ୍ବର ୩୦ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟବରାଦ ସମ୍ପର୍କିତ ବିନିଯୋଗ ବିଲ୍ ଗୃହରେ ଉପସ୍ଥାପନ କରାଯିବ। ଅଧିବେଶନର କାର୍ଯ୍ୟସୂଚୀ ସମ୍ପର୍କରେ ଅବଗତ କରାଇବା ସହ ଗୃହର କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ଶାସକ ଓ ବିରୋଧୀ ଦଳର ସମସ୍ତ ବିଧାୟକଙ୍କୁ ଆହ୍ୱାନ ଦେଇଛନ୍ତି ବାଚସ୍ପତି। ଅତିରିକ୍ତ ବ୍ୟୟମଞ୍ଜୁରି ବିଲ୍ର ଆଗତ ଓ ଗୃହୀତ ପ୍ରକ୍ରିୟା ଯେପରି ସୁଚାରୁରୂପେ ସମ୍ପନ୍ନ ହେବ, ସେଥିପାଇଁ ସମସ୍ତ ସଦସ୍ୟ ସହଯୋଗ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
