Odisha Double Rain: ଓଡ଼ିଶାକୁ ଡବଲ୍ ବର୍ଷା ବିପଦ!
ଓଡ଼ିଶା ଉପରେ ଘନେଇଲା ବର୍ଷାର ବିପଦ! ଗୋଟିଏ ପଟେ ଦକ୍ଷିଣ ଆଣ୍ଡାମାନ ସାଗରରେ ନୂଆ ଲଘୁଚାପ, ଅନ୍ୟପଟେ ବାତ୍ୟା ଅର୍ଣ୍ଣବର ଅବଶିଷ୍ଟାଂଶ ଯୋଗୁଁ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି, ତ ଆଉ କେଉଁଠି ବନ୍ୟା ଆଶଙ୍କା। ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ? ବାତ୍ୟା ଅର୍ଣ୍ଣବ କ’ଣ ବଦଳାଇଛି ତାର ଗତିପଥ? ଏନେଇ ପାଣିପାଗ ବିଭାଗ ଦେଇଛି ସ୍ପଷ୍ଟୀକରଣ।
ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଖାପାଖି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁସ୍ପଷ୍ଟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏପଟେ ବାତ୍ୟା ଅର୍ଣ୍ଣବର ଅବଶିଷ୍ଟାଂଶ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହା ଦକ୍ଷିଣ ଛତିଶଗଡ଼ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଓଡ଼ିଶା ନିକଟରେ କେନ୍ଦ୍ରୀଭୂତ ହୋଇଛି। ଆଗାମୀ ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାକୁ ଜାରି ହୋଇଛି ରେଡ୍ ଆଲର୍ଟ। ଏହି ଦୁଇ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ଗୋଟିଏ-ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ସେହିପରି କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଅନ୍ୟପଟେ ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।
ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ୧୫ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୨୧ଟି ସ୍ଥାନରେ ଅତି ପ୍ରବଳ ଏବଂ ୭୧ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସୋରଡ଼ାରେ ୫୦୩.୮ ମିଲିମିଟର, କନ୍ଧମାଳର ଜି. ଉଦୟଗିରିରେ ୪୬୨.୪ ମିଲିମିଟର ଏବଂ ଗଜପତିର ମହେନ୍ଦ୍ରଗଡ଼ରେ ୪୫୮.୮ ମିଲିମିଟର ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ସ୍ଥିତି ଦେଖାଦେଇଛି।
ବାତ୍ୟା ଅର୍ଣ୍ଣବର ଗତିପଥକୁ ନେଇ ସ୍ପଷ୍ଟୀକରଣ
ବାତ୍ୟା ଅର୍ଣ୍ଣବ ତାର ଗତିପଥ ପରିବର୍ତ୍ତନ କରିନାହିଁ। ବରଂ ଲ୍ୟାଣ୍ଡଫଲ୍ ସମୟରେ ପ୍ରାୟ ୯୦ ଡିଗ୍ରୀ ମୋଡ଼ ନେବା ପ୍ରକ୍ରିୟାରେ ଏହାର ଗତି ଧୀର ହୋଇଥିଲା। ଏହି ପ୍ରକ୍ରିୟାକୁ ଷ୍ଟିୟରିଂ କରେଣ୍ଟ୍ କୁହାଯାଏ। ବାତ୍ୟାକୁ ଏହି ଦିଗରେ ଗତି କରାଇବା ପାଇଁ ସମୟ ଲାଗୁଥିବାରୁ ଏହାର ଗତି ମନ୍ଥର ହୋଇଥିଲା। ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି।
