ସୌରଭ ଗାଙ୍ଗୁଲି ଓ ପତ୍ନୀ ଡୋନାଙ୍କୁ ହତ୍ୟା ଧମକ: ଠାକୁରପୁକୁର ଥାନାରେ ଏତଲା, ତଦନ୍ତ ଆରମ୍ଭ କଲା ପୋଲିସ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଏବଂ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ଜୀବନରୁ ମାରିଦେବାକୁ ଧମକପୂର୍ଣ୍ଣ ଚିଠି ମିଳିଛି। ଘଟଣାକୁ ନେଇ କୋଲକାତାର ଠାକୁରପୁକୁର ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରାଯାଇଛି।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ଜୀବନରୁ ମାରିଦେବାକୁ ଧମକପୂର୍ଣ୍ଣ ଚିଠି ମିଳିଛି। ଏହି ଘଟଣାକୁ ନେଇ ଗାଙ୍ଗୁଲିଙ୍କ ପରିବାର ଓ ତାଙ୍କ ବ୍ୟକ୍ତିଗତ ସହକାରୀଙ୍କ ପକ୍ଷରୁ କୋଲକାତାର ଠାକୁରପୁକୁର ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରାଯାଇଛି। ପୋଲିସରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଗତ କିଛି ମାସ ହେବ ସୌରଭ ଗାଙ୍ଗୁଲିଙ୍କ ନାମରେ କିଛି ଆପତ୍ତିଜନକ ଓ ଅଜ୍ଞାତ ଚିଠି ଆସୁଥିଲା। ପ୍ରଥମେ ଏହାକୁ କୌଣସି ଅସନ୍ତୁଷ୍ଟ ପ୍ରଶଂସକଙ୍କ କାମ ଭାବି ଗାଙ୍ଗୁଲିଙ୍କ ପରିବାର ଗୁରୁତ୍ୱ ଦେଇନଥିଲେ। ମାତ୍ର ସାମ୍ପ୍ରତିକ ଅଗଷ୍ଟ ୧୦ ତାରିଖରେ ଇଡେନ୍ ଗାର୍ଡେନ୍ସସ୍ଥିତ ସିଏବି (କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ) କାର୍ଯ୍ୟାଳୟକୁ ଦୁଇଟି ଚିଠି ଆସିଥିଲା, ଯେଉଁଥିରେ ସୌରଭ, ତାଙ୍କ ପତ୍ନୀ ଡୋନା ଏବଂ ତାଙ୍କ ସହଯୋଗୀମାନଙ୍କୁ ଜୀବନରୁ ମାରିଦେବା ପାଇଁ ସ୍ପଷ୍ଟ ଧମକ ଦିଆଯାଇଛି।
ଚିଠିଗୁଡ଼ିକ କୋଲକାତାର ବେଲଘରିଆ ଅଞ୍ଚଳର 'ଅରୁଣ କୁମାର' ନାମକ ଜଣେ ବ୍ୟକ୍ତିଙ୍କ ନାମରେ କୁରିୟର ମାଧ୍ୟମରେ ପଠାଯାଇଥିବା ଜଣାପଡ଼ିଛି। ତେବେ ସମ୍ପୃକ୍ତ ବ୍ୟକ୍ତି ନିଜେ ଏହି ଚିଠି ପଠାଇଛନ୍ତି କିମ୍ବା ତାଙ୍କ ନାମ ବ୍ୟବହାର କରି ଅନ୍ୟ କେହି ଏପରି କାଣ୍ଡ ଭିଆଇଛନ୍ତି, ସେ ନେଇ ପୋଲିସ ଛାନ୍ଭିନ୍ ଚଳାଇଛି। ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାସହ ପଶ୍ଚିମବଙ୍ଗ ସରକାରଙ୍କ ସୁରକ୍ଷା ବିଭାଗକୁ ଏହି ବିଷୟରେ ଅବଗତ କରାଯାଇଛି ଏବଂ ସୌରଭ ଗାଙ୍ଗୁଲି ଓ ତାଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ସମୀକ୍ଷା କରାଯାଉଛି।
