ଚର୍ଚ୍ଚାକୁ ଆସ- ମୁଁ ସଂସଦରେ ଅଛି ବୋଲି କହିଲେ ଶାହ
ଯେବେ ଚର୍ଚ୍ଚା ହେଉନି, ଗୃହ ମୁଲତବୀ ହେଉଛି। ତାହେଲେ ଗୃହକୁ ଯାଇ କଅଣ କରିବି। ସବୁ ଚର୍ଚ୍ଚାକୁ ମୋଦି ସରକାର ପ୍ରସ୍ତୁତ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାହୁଲ ଗାନ୍ଧୀ କହିଛନ୍ତି, ସେମାନେ ଶାହଙ୍କ ଲେକଚର ଶୁଣିବାକୁ ଚାହୁଁନାହାନ୍ତି। ପୁଲିସ ଛାତ୍ରଙ୍କ ଉପରକୁ ଗୁଳି କଲା। କିଏ ଅର୍ଡର ଦେଲା।

ଲାପତ୍ତା, ପଳାତକ ଭଳି ଶବ୍ଦ କେତେ ରୁଚିହୀନ। ଭାରତର ସଂସଦରେ ଏ ପ୍ରକାର ଭାଷା ଏବେ ନୂଆ କରି ଶୁଭୁଛି। ସତେ ଯେମିତି ଏ ଶବ୍ଦ ବିରୋଧୀଙ୍କ ଦେହସୁହା ହୋଇଗଲାଣି। ହେଲେ ମୁଁ ସଂସଦରେ ଅଛି। କୁଆଡ଼େ ଯାଇନି। ନିରନ୍ତର ସଂସଦକୁ ଆସି ଚାମ୍ୱରରେ ବସୁଛି। ହଙ୍ଗାମା କରି ତ ଗୃହକୁ ଚଳାଇଦେଉନାହାନ୍ତି ବିରୋଧୀ। ନା ଲୋକସଭା ନା ରାଜ୍ୟସଭାରେ ସ୍ୱାଭାବିକ ହେବାକୁ ଦେଉଛନ୍ତି ବିରୋଧୀ ଦଳ। ଯେବେ ଚର୍ଚ୍ଚା ହେଉନି, ଗୃହ ମୁଲତବୀ ହେଉଛି। ତାହେଲେ ଗୃହକୁ ଯାଇ କଅଣ କରିବି। ମୋଦି ସରକାର ସବୁ ଚର୍ଚ୍ଚାକୁ ପ୍ରସ୍ତୁତ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି ଅପରାହ୍ନ ୨ଟା ଯାଏ ଲୋକସଭା ବାଚସ୍ପତିଙ୍କୁ ବିରୋଧୀ ପତ୍ର ଦିଅନ୍ତୁ। ଆଜି ଦ୍ୱିପ୍ରହର ୩ଟାରୁ ଚର୍ଚ୍ଚା ଆରମ୍ଭ ହୋଇଯିବ। କାଲି ଦ୍ୱିପ୍ରହର ୩ଟା ଯାଏ ଚର୍ଚ୍ଚା କରିବାକୁ ପ୍ରସ୍ତୁତ। ସମସ୍ତଙ୍କ କଥା ଶୁଣିବି। ଆସନ୍ତାକାଲି ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବି। ତାପରେ ଜନତା ବିଚାର କରିବେ- କିଏ ଚର୍ଚ୍ଚା ଚାହୁଁଛି ଆଉ କିଏ ପଳାୟନପଂଥୀ ସାଜିଛି। ନିଟ ପେପର ଲିକ୍ ମାମଲା ପ୍ରସଙ୍ଗରେ ଯେତେ କଥା ଅଛି, ସେ ସବୁ କଥାର ଜବାବ ଦେବାକୁ ପ୍ରସ୍ତୁତ। ଛାତ୍ର ଆନ୍ଦୋଳନ ସନ୍ଦର୍ଭରେ ଯାହା ବି ଅଛି, ସବୁ କଥାର ଜବାବ ରଖିବେ ସରକାର। ଯଦି ବାଚସ୍ପତି ଅନୁମତି ଦେବେ, ପ୍ରଶ୍ନୋତ୍ତର କାଳ ବି ସସପେଣ୍ଡ କରିବାକୁ ସରକାର ରାଜି। ଏବେ ବିରୋଧୀ ନିଷ୍ପତ୍ତି ନିଅନ୍ତୁ। ସେମାନେ ଚର୍ଚ୍ଚା କରିବେ ନା ହଙ୍ଗାମା ଜାରି ରଖିବେ। ସେପଟେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ସେମାନେ ଶାହଙ୍କ ଲେକଚର ଶୁଣିବାକୁ ଚାହୁଁନାହାନ୍ତି। ପୁଲିସ ଛାତ୍ରଙ୍କ ଉପରକୁ ଗୁଳି କଲା। କିଏ ଅର୍ଡର ଦେଲା। କିଏ ଛାତ୍ରଙ୍କୁ ଅନ୍ଧ କରିଦେଲା। କିଏ ଲାଠି ଚାର୍ଜ ଓ ପେଲେଟ ଗନ ଚଳାଇବାକୁ କହିଲା। ଗୋଟିଏ କଥା ସ୍ପଷ୍ଟ, ଏ ନିର୍ଦେଶ ଗୃହ ମନ୍ତ୍ରାଳୟରୁ ଆସିଛି। ସତ କଥା ହେଲା ଯେ, ଅମିତ ଶାହଙ୍କ ଭାବମୂର୍ତ୍ତି ମଳିନ ପଡ଼ିସାରିଛି। ସେଥିଲାଗି ସଂସଦ ଭିତରକୁ ଆସିବାକୁ ତାଙ୍କର ସାହସ ନାହିଁ।
