କଲମ୍ବିଆରେ ଭୂମିକମ୍ପର ତାଣ୍ଡବ: ୧୩୨ ମୃତ, ୫୭୦ରୁ ଅଧିକ ଆହତ
୭.୪ ତୀବ୍ରତାର ଭୂମିକମ୍ପରେ ଥରିଲା କଲମ୍ବିଆ, ଶତାଧିକ କୋଠା ଧ୍ୱଂସ। ଧ୍ୱଂସସ୍ତୂପ ତଳେ ଅନେକ ଜୀବନ, ଚାଲିଛି ରେସ୍କ୍ୟୁ ଅପରେସନ୍।
କଲମ୍ବିଆ: କଲମ୍ବିଆରେ ଭୟଙ୍କର ଭୂମିକମ୍ପ। ୭.୪ ତୀବ୍ରତାର ଏହି ଶକ୍ତିଶାଳୀ ଭୂମିକମ୍ପରେ ଦେଶର ବିଭିନ୍ନ ସହରରେ ଶତାଧିକ କୋଠା ଭୁଶୁଡ଼ି ପଡ଼ିଛି। ଧ୍ୱଂସାବଶେଷ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଚାଲିଛି ବ୍ୟାପକ ସର୍ଚ୍ଚ ଅପରେସନ୍। ଏପର୍ଯ୍ୟନ୍ତ ୧୩୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୫୭୦ ଜଣ ଆହତ ହୋଇଛନ୍ତି। ଧ୍ୱଂସସ୍ତୂପ ତଳେ ଆହୁରି ଅନେକ ଲୋକ ଫସିଥିବା ଆଶଙ୍କା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ଭୂମିକମ୍ପ ପରେ ମଧ୍ୟ ଏକାଧିକ ଥର ଝଟକା ଅନୁଭୂତ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ୫ଟି ସହରରେ ରେଡ ଆଲର୍ଟ ଜାରି ହୋଇଛି । ସୂଚନାନୁଯାୟୀ, କେବଳ ପେରେଇରା ସହରରେ ଭୂମିକମ୍ପ ଯୋଗୁଁ ୬୦ ଜଣଙ୍କ ଜୀବନ ଯାଇଛି। ସହରରେ ୮୬ଟି ବଡ଼ କୋଠା ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଥିବା ବେଳେ ଧ୍ୱଂସସ୍ତୂପ ତଳେ ଆହୁରି ଅନେକ ଲୋକ ଫସିଥିବା ଆଶଙ୍କା କରାଯାଉଛି। ଭୂମିକମ୍ପର ପ୍ରଭାବରେ ଦେଶର ଯୋଗାଯୋଗ ଓ ପରିବହନ ବ୍ୟବସ୍ଥା ମଧ୍ୟ ବିଗିଡ଼ିଛି। ୭ଟି ବିମାନବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ମାନିଜାଲେସ୍, କ୍ୱିବ୍ଡୋ, ଆର୍ମେନିଆ, କାର୍ଟାଗୋ, ବୁଏନାଭେନ୍ତୁରା ଓ ପେରେଇରା ବିମାନବନ୍ଦରରେ ବିମାନ ଚଳାଚଳ ସ୍ଥଗିତ ରହିଛି। ଭୂମିକମ୍ପର ଝଟକାରେ କଲମ୍ବିଆର ୨୦ରୁ ଅଧିକ ମ୍ୟୁନିସିପାଲିଟି ପ୍ରଭାବିତ ହୋଇଛି। କେବଳ ଘରବାଡ଼ି ନୁହେଁ, ହସ୍ପିଟାଲ୍ ଓ ସ୍କୁଲ୍ ଭଳି ଅତ୍ୟାବଶ୍ୟକ ଓ ଗୁରୁତ୍ୱପୂର୍ଣ୍ଣ କୋଠାଗୁଡ଼ିକ ମଧ୍ୟ ଭୂମିକମ୍ପରେ କ୍ଷତିଗ୍ରସ୍ତ ହୋଇଛି। ପରିସ୍ଥିତି ଗମ୍ଭୀର ଥିବାରୁ ଧ୍ୱଂସସ୍ତୂପ ହଟାଇ ଜୀବିତ ଲୋକଙ୍କୁ ଖୋଜିବାରେ ଉଦ୍ଧାରକାରୀ ଦଳ ଜୋରଦାର ଅଭିଯାନ ଚଳାଇଛନ୍ତି।
ଅନ୍ୟପଟେ ରାଷ୍ଟ୍ରପତି ଅବେଲାର୍ଡୋ ଦେଲା ଏସପ୍ରିଏଲା ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। କଲମ୍ବିଆ ଜିଓଲଜିକାଲ୍ ସର୍ଭିସ୍ ଅନୁସାରେ ମୁଖ୍ୟ ଭୂମିକମ୍ପ ପରେ ୨.୮ ଓ ୪.୮ ତୀବ୍ରତାର ଦୁଇଟି ଆଫ୍ଟରସକ୍ ରେକର୍ଡ ହୋଇଛି । ଭୂମିକମ୍ପରେ ଅତି କମରେ ୧,୫୭୫ଟି ଘର, ୧୮ଟି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୫୨ଟି ସ୍କୁଲ୍ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ୬୧ଟି କୋଠା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବାରୁ ଆହୁରି କିଛି ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି । ଲଗାତାର ଛୋଟ ଛୋଟ ଭୂକମ୍ପ ହେଉଥିବାରୁ କଲମ୍ବିଆର ଭୂବିଜ୍ଞାନ ସଂସ୍ଥା ଲୋକଙ୍କୁ ସତର୍କ ରହିବାକୁ ଓ ଘରର କାନ୍ଥରେ ଫାଟ ଥିଲେ ଭିତରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି। କଲମ୍ବିଆର ପ୍ରଶାନ୍ତ ଅଞ୍ଚଳ ଭୂମିକମ୍ପର କେନ୍ଦ୍ରସ୍ଥଳ ନିକଟରେ ରହିଛି। ଏହି ଅଞ୍ଚଳ ବିଶ୍ୱର ଅତ୍ୟଧିକ ଭୂମିକମ୍ପପ୍ରବଣ ଅଞ୍ଚଳ। ବିଶେଷଜ୍ଞଙ୍କ ମତରେ, ଭୂମିକମ୍ପର ଅତ୍ୟଧିକ ତୀବ୍ରତା, ଏହାର ଭୂମିଭାଗ ଭିତରେ ଅବସ୍ଥାନ ଏବଂ ଟେକ୍ଟୋନିକ୍ ପ୍ଲେଟ୍ର ଜଟିଳ ଗତିବିଧି ଯୋଗୁଁ ଏହାର ପ୍ରଭାବ ଅଧିକ ଭୟଙ୍କର ହୋଇଛି।
