Sickle Cell AT SCB : ସିକଲ୍ ସେଲ୍ ରୋଗ ଚିକିତ୍ସା ପାଇଁ ଏସ୍ସିବିରେ ନୂଆ ସେଣ୍ଟର, ଉଦଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ସିକଲ୍ ସେଲ୍ ରୋଗର ଚିହ୍ନଟ, ଚିକିତ୍ସା, ନିରାକରଣ ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଆଉ ଏକ ବଡ଼ ପଦକ୍ଷେପ। କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ହେମାଟୋଲୋଜି ବିଭାଗରେ Centre of Competenceର ଏକ ନୂତନ ସେଲ୍ ଉଦଘାଟିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହାର ଉଦଘାଟନ କରିଛନ୍ତି।
କଟକ: ସିକଲ୍ ସେଲ୍ ରୋଗର ନିରାକରଣ ଓ ଆଧୁନିକ ପ୍ରଣାଳୀରେ ଚିକିତ୍ସା ପାଇଁ ଓଡ଼ିଶା ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ। କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ହେମାଟୋଲୋଜି ବିଭାଗରେ Centre of Competenceର ଏକ ନୂତନ ସେଲ୍ ଉଦଘାଟିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହାକୁ ଉଦଘାଟନ କରିଛନ୍ତି।
ସିକଲ୍ ସେଲ୍ ରୋଗ ଏକ ବଂଶଗତ ରକ୍ତଜନିତ ରୋଗ। ଏହି ରୋଗରେ ପୀଡ଼ିତଙ୍କୁ ନିୟମିତ ଚିକିତ୍ସା, ରୋଗର ସଠିକ୍ ନିରୀକ୍ଷଣ ଏବଂ ଆବଶ୍ୟକ ସମୟରେ ବିଶେଷଜ୍ଞଙ୍କ ପରାମର୍ଶ ଓ ଚିକିତ୍ସାର ଆବଶ୍ୟକତା ରହିଥାଏ। ଏସ୍ସିବିରେ Centre of Competence ପ୍ରତିଷ୍ଠା ହେବା ଫଳରେ ସିକଲ୍ ସେଲ୍ ରୋଗୀଙ୍କ ପାଇଁ ଉନ୍ନତ ଓ ସମନ୍ୱିତ ଚିକିତ୍ସା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ରୋଗର ଚିହ୍ନଟଠାରୁ ଆରମ୍ଭ କରି ଚିକିତ୍ସା, ନିରୀକ୍ଷଣ, ଗବେଷଣା ଏବଂ ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।
ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ରକ୍ତଜନିତ ରୋଗରେ ପୀଡ଼ିତ ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ଏହି ବିଭାଗ ସହାୟକ ହେବ। ରାଜ୍ୟରେ ସିକଲ୍ ସେଲ୍ ରୋଗ ନିୟନ୍ତ୍ରଣ ସହ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ସେ କହିଛନ୍ତି।
