Eetha Trailer Release: ଡିସେମ୍ବର ୪ରେ ରିଲିଜ୍ ହେବ ଶ୍ରଦ୍ଧା କପୁରଙ୍କ ‘EETHA’
ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘EETHA’ର ଟ୍ରେଲର ରିଲିଜ୍। ଲାବଣୀ କିମ୍ବଦନ୍ତୀ ଈଥା ବାଇଙ୍କ ଜୀବନୀକୁ ନେଇ ନିର୍ମିତ ଏହି ଫିଲ୍ମ ଡିସେମ୍ବର ୪ରେ ମୁକ୍ତିଲାଭ କରିବ।

ବ୍ଯୁରୋ: ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଆଗାମୀ ଫିଲ୍ମ ‘ଇଠା’(Eetha)ର ଟ୍ରେଲର ରିଲିଜ୍ ହୋଇଛି। ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ ଏହି ମ୍ୟୁଜିକାଲ୍ ଡ୍ରାମାରେ ଶ୍ରଦ୍ଧା ମହାରାଷ୍ଟ୍ରର କିମ୍ବଦନ୍ତୀ ଲାବଣୀ ନୃତ୍ୟଶିଳ୍ପୀ ଈଥା ବାଇଙ୍କ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମଟି ଆସନ୍ତା ଡିସେମ୍ବର ୪ରେ ପ୍ରେକ୍ଷାଳୟକୁ ଆସିବ। ରିଲିଜ୍ ହୋଇଥିବା ଟ୍ରେଲରରେ ମହାରାଷ୍ଟ୍ରର ପାରମ୍ପରିକ ଲାବଣୀ ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ସାମାଜିକ ପ୍ରତିବନ୍ଧକ, ସଂଘର୍ଷ ଓ ବ୍ୟକ୍ତିଗତ ଚ୍ୟାଲେଞ୍ଜକୁ ସାମ୍ନା କରି ଜଣେ ମହିଳା କଳାକାର କିପରି ନିଜର ପରିଚୟ ଗଢ଼ିଥିଲେ, ତାହା ଏହି ଫିଲ୍ମର ମୁଖ୍ୟ ବିଷୟବସ୍ତୁ। ଏହି ଫିଲ୍ମରେ ଶ୍ରଦ୍ଧା କପୁରଙ୍କ ସହ ରଣଦୀପ ହୁଡ୍ଡା ଓ ମହମ୍ମଦ ଜିଶାନ ଅୟୁବ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ନିର୍ମାତା ଦିନେଶ ବିଜନଙ୍କ କହିବା ଅନୁସାରେ, ଏହା ଏକ ଅସାଧାରଣ କାହାଣୀ, ଯାହା ଲାବଣୀ କଳାକୁ ଜୀବନ୍ତ ରଖିଥିବା ମହିଳାମାନଙ୍କ ସାହସ ଓ ସଂଘର୍ଷକୁ ଦର୍ଶାଇବ। ‘ଛାଭା’ ପରେ ଏକ ଭିନ୍ନ ଦୁନିଆକୁ ଦର୍ଶକଙ୍କ ସାମ୍ନାକୁ ଆଣିବ ‘EETHA’ ବୋଲି ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର କହିଛନ୍ତି। ଅନ୍ୟପକ୍ଷରେ ଶ୍ରଦ୍ଧା କପୁର କହିଛନ୍ତି, ଈଥା ବାଇ ଏମିତି ଜଣେ ମହିଳା, ଯାହାଙ୍କ କଳା, ସାହସ ଓ ବ୍ୟକ୍ତିତ୍ୱ ତାଙ୍କୁ ସ୍ମରଣୀୟ କରିଛି। ଏହି ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ଏକ ରୋମାଞ୍ଚକର ଅନୁଭୂତି। ଏହା ସହିତ ‘ସ୍ତ୍ରୀ’ ଓ ‘ସ୍ତ୍ରୀ ୨’ର ସଫଳତା ପରେ ମ୍ୟାଡକ୍ ଫିଲ୍ମସ୍ ସହ ତାଙ୍କର ପୁନର୍ମିଳନକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି।
