Naseeruddin Shah:"ମୁଁ ଦିମାଗୀ ନକ୍ସଲ" କହି ସରକାରଙ୍କୁ ଘେରିଲେ ନସିରୁଦ୍ଦିନ ଶାହ
ଅଭିନେତା ନସିରୁଦ୍ଦିନ ଶାହ ଜାମିଆ ମିଲିଆ ଇସଲାମିଆରେ ଛାତ୍ର ଆନ୍ଦୋଳନକୁ ସମର୍ଥନ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି | ସେ ନିଜକୁ ‘ଦିମାଗୀ ନକ୍ସଲ’ ଏବଂ କେନ୍ଦ୍ର ସରକାରଙ୍କୁ ନାଜାୟେଜ୍ ସରକାର ବୋଲି କହିଥିବା ଏକ ଭିଡିଓକୁ ନେଇ ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।
କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍ର ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହ। ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ସମର୍ଥନ କରି ସେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି। ଏଥିରେ ସେ ନିଜକୁ ‘ଦିମାଗୀ ନକ୍ସଲ’ ବୋଲି କହିବା ସହ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି।ଶାହ କହିଛନ୍ତି, “ମୁଁ ଗର୍ବର ସହ କହୁଛି, ମୁଁ ଦିମାଗୀ ନକ୍ସଲ। ମୋ ଭଳି ଲୋକଙ୍କୁ ଆଉ କେତେ ନାମ ଦିଆଯିବ? ଆଣ୍ଟି-ନ୍ୟାସନାଲ୍, ଟୁକ୍ଡେ ଟୁକ୍ଡେ ଗ୍ୟାଙ୍ଗ୍ ଓ ଆହୁରି କେତେ କ’ଣ! ଏହି ଦେଶରେ ଯଦି କେହି ଟୁକ୍ଡେ ଟୁକ୍ଡେ ଗ୍ୟାଙ୍ଗ୍ ଅଛି, ତେବେ ତାହା ହେଉଛି ଏହି ନାଜାୟେଜ୍ ସରକାର।” ଏହା ପରେ ସେ ଯୁବପିଢ଼ିଙ୍କ ମନୋବଳ ଭାଙ୍ଗିବା, ଶିକ୍ଷାନୁଷ୍ଠାନକୁ ଦୁର୍ବଳ କରିବା ଓ ଗଣତନ୍ତ୍ରକୁ ବିପଦରେ ପକାଇବା ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।ନିଜ ଭିଡିଓରେ ସେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU), ସତ୍ୟଜିତ ରାୟ ଫିଲ୍ମ ଇନଷ୍ଟିଚ୍ୟୁଟ୍ ଏବଂ ଜାମିଆ ମିଲିଆ ଇସଲାମିଆରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇଛନ୍ତି। ଛାତ୍ରଙ୍କ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରି ଏହାକୁ ମନେ ରଖାଯିବ ବୋଲି ସେ କହିଛନ୍ତି। ଜାମିଆରେ ଛାତ୍ର ସଂସଦ ନିର୍ବାଚନ ପୁନଃ ଆରମ୍ଭ, ମୁଖ୍ୟ ପ୍ରକ୍ଟରଙ୍କୁ ହଟାଇବା ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର ଦାବିରେ ପ୍ରତିବାଦ ଚାଲିଛି। କିଛି ଛାତ୍ର ଅନଶନ ମଧ୍ୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଶାହଙ୍କ ମନ୍ତବ୍ୟ ଛାତ୍ର ଆନ୍ଦୋଳନକୁ ନେଇ ଚାଲିଥିବା ଜାତୀୟ ବିତର୍କକୁ ପୁଣି ତୀବ୍ର କରିଛି।
