Jadi Box Office Blast:ଦମନ’ ଓ ‘କର୍ମ’କୁ ପଛରେ ପକାଇଲା ‘ଯଦି’, ଏବେ ତେଲୁଗୁରେ ଏଣ୍ଟ୍ରି
କମ୍ ବଜେଟ୍ରେ ନିର୍ମିତ ଓଡ଼ିଆ ଫିଲ୍ମ ‘ଯଦି’ ବକ୍ସ ଅଫିସ୍ରେ ରଚିଛି ସଫଳତାର ନୂଆ କାହାଣୀ।

ଓଡ଼ିଆ ସିନେମା ଜଗତରେ ଚର୍ଚ୍ଚାରେ ରହିଛି ଚଳଚ୍ଚିତ୍ର ‘ଯଦି’ (Jadi)। ରିଲିଜ୍ର ୪୭ ଦିନ ପରେ ମଧ୍ୟ ଫିଲ୍ମଟିକୁ ଦର୍ଶକଙ୍କ ଭଲପାଇବା ମିଳୁଥିବା ଦାବି କରାଯାଉଛି। ସେପ୍ଟେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ୪୭ ଦିନରେ ୭.୨୮ କୋଟି ଟଙ୍କାର ବକ୍ସ ଅଫିସ୍ କଲେକ୍ସନ୍ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଆକଳନ ଅନୁଯାୟୀ, ଫିଲ୍ମଟି ‘ଦମନ’ ଓ ‘କର୍ମ’ଠାରୁ ପ୍ରାୟ ୫୯ ଲକ୍ଷ ଟଙ୍କା ଅଧିକ ଆୟ କରିଛି। କମ୍ ବଜେଟ୍ରେ ନିର୍ମିତ ଏହି ଫିଲ୍ମ ଏବେ ଏକ ବଡ଼ ସଫଳତା ଭାବେ ଚର୍ଚ୍ଚା ସାଉଁଟୁଛି।
ଦିବ୍ୟଜ୍ୟୋତି ଉଦୟ ସିଂହଙ୍କ କାହାଣୀ ଓ ନିର୍ଦ୍ଦେଶନାରେ ନିର୍ମିତ ‘ଯଦି’ର ଟ୍ୟାଗ୍ଲାଇନ୍ ହେଉଛି ‘What If’। ଶ୍ରୀଅଂଶ ପ୍ରଡକ୍ସନ୍ସ ବ୍ୟାନର୍ରେ କାଜଲ ରାୟ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି। ଏଥିରେ ଶୈଳେନ୍ଦ୍ର ସାମନ୍ତରାୟ, ପ୍ରିୟମ୍ବଦା ସ୍ୱାଇଁ ଓ ଆକାଶ ହୋତା ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ସୁଶାନ୍ତ ଦାଶ ମହାପାତ୍ର, ରବି ମିଶ୍ର, ବଳକୃଷ୍ଣ ନାୟକ ଓ କୃଷ୍ଣ ରାଉତ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିଛନ୍ତି। ଏହା ଏକ କମେଡି କ୍ରାଇମ୍ ଡ୍ରାମା।
ଗ୍ରାମୀଣ ପରିବେଶ, ପ୍ରେମ ଓ ବନ୍ଧୁତାର କାହାଣୀ
ଫିଲ୍ମର କାହାଣୀରେ ଗ୍ରାମୀଣ ଜୀବନ, ଯୁବପିଢ଼ିର ବନ୍ଧୁତା, ପ୍ରେମ ଓ ସଂଘର୍ଷକୁ ଗୁରୁତ୍ୱ ଦିଆଯାଇଛି। ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ଉଦୟ ସିଂହ ଏହି ଦିଗଗୁଡ଼ିକୁ ଆକର୍ଷଣୀୟ ଢଙ୍ଗରେ ପରଦାରେ ଉପସ୍ଥାପନ କରିଛନ୍ତି। ସିନେମାଟୋଗ୍ରାଫର୍ ରୁଦ୍ରକାନ୍ତ ସିଂହଙ୍କ ଚିତ୍ରଗ୍ରହଣ ଗାଁର ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଜୀବନ୍ତ କରିଥିବା ବେଳେ ଅଭିଷେକ ପାଣିଗ୍ରାହୀଙ୍କ ବ୍ୟାକ୍ଗ୍ରାଉଣ୍ଡ ସ୍କୋର୍ କାହାଣୀର ଭାବନାତ୍ମକ ଦିଗକୁ ଆହୁରି ପ୍ରଭାବଶାଳୀ କରିଛି। ସୋମେଶ ସତପଥୀ ଫିଲ୍ମର ସଙ୍ଗୀତ ସଂଯୋଜନା କରିଛନ୍ତି।
ତେଲୁଗୁ ଦର୍ଶକଙ୍କ ପାଖରେ ପହଞ୍ଚିବ ‘ଯଦି’
ଓଡ଼ିଆ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚିତ ହେବା ପରେ ଏବେ ତେଲୁଗୁ ଭାଷାରେ ମଧ୍ୟ ଫିଲ୍ମଟିକୁ ପହଞ୍ଚାଇବାକୁ ପ୍ରସ୍ତୁତି ଚାଲିଛି। ଉଦୁଗୁଳା ଅଶ୍ୱିନୀ କୁମାର ଗୌଡ଼ଙ୍କ ନେତୃତ୍ୱାଧୀନ ମେଗା ପ୍ରଡକ୍ସନ୍ସ ଏହି ଚଳଚ୍ଚିତ୍ରକୁ ତେଲୁଗୁ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ଯାଉଛି।
ଏହି ସଂସ୍କରଣର ପ୍ରଚାର ପାଇଁ ନିର୍ମାତାମାନେ ଏକ ସ୍ୱତନ୍ତ୍ର ଗ୍ଲିମ୍ପ୍ସ ମଧ୍ୟ ରିଲିଜ୍ କରିଛନ୍ତି। ଏଥିରେ କଲେଜରେ ପଢ଼ୁଥିବା ଯୁବକଯୁବତୀଙ୍କ ବନ୍ଧୁତା ଓ ଆତ୍ମୀୟତାରୁ ଆରମ୍ଭ କରି ପ୍ରେମ, ମତଭେଦ ଓ ସଂଘର୍ଷର ବିଭିନ୍ନ ଝଲକ ଦେଖିବାକୁ ମିଳିଛି। ଗ୍ଲିମ୍ପ୍ସଟି ଫିଲ୍ମର କାହାଣୀ ଓ ଚରିତ୍ରଗୁଡ଼ିକ ପ୍ରତି ଦର୍ଶକଙ୍କ ଆଗ୍ରହ ବଢ଼ାଇବାର ଆଶା ରଖାଯାଇଛି।
ତେଲୁଗୁ ସଂସ୍କରଣର ସଂଳାପ ଓ ଲେଖା ଦାୟିତ୍ୱ ରାକେନ୍ଦୁ ମୌଳି ତୁଲାଉଥିବା ବେଳେ ମାନସ କୁମାର ସାହୁ ସମ୍ପାଦନା କରିଛନ୍ତି। ତେବେ ଏହି ସଂସ୍କରଣର ରିଲିଜ୍ ତାରିଖ ନିର୍ମାତାଙ୍କ ପକ୍ଷରୁ ଖୁବ୍ଶୀଘ୍ର ଘୋଷଣା କରାଯିବା ନେଇ ସୂଚନା ରହିଛି। ଏବେ ତେଲୁଗୁ ବଜାରରେ ‘ଯଦି’ କେତେ ଦର୍ଶକୀୟ ସମର୍ଥନ ହାସଲ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।
