Vijay Rashmika: ମୁହଁ ଖୋଲିଲେ ରଶ୍ମିକା-ବିଜୟ: ସମାଲୋଚକଙ୍କୁ ଦେଲେ କଡ଼ା ଜବାବ
ଟକ୍ ଶୋ’ ‘କଫି ୱିଥ୍ କରଣ’ରେ ରଶ୍ମିକାଙ୍କ ବୟାନକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା । ଇନଷ୍ଟାଗ୍ରାମରେ ରଶ୍ମିକାଙ୍କୁ ଫଲୋ କରୁନାହାନ୍ତି ବିଜୟ । ବିଜୟଙ୍କୁ ‘ରେଡ୍ ଫ୍ଲାଗ୍’ କହିଥିବା ବେଳେ, ରଶ୍ମିକାଙ୍କୁ ସମାଲୋଚନା କଲେ ୟୁଜର୍ସ, ସେପଟେ ଅଯଥା ଚିନ୍ତା କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଲେ ବିଜୟ।
ମୁମ୍ବାଇ: ଦକ୍ଷିଣ ଭାରତୀୟ ସିନେଜଗତର ଚର୍ଚ୍ଚିତ ଯୋଡ଼ି ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡାଙ୍କ ବୈବାହିକ ଜୀବନକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା। ନିକଟରେ ଏକ ଟେଲିଭିଜନ୍ ଶୋ’ରେ ନିଜ ସମ୍ପର୍କକୁ ନେଇ ଦେଇଥିବା ବୟାନ ପରେ ଉଭୟଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ଏବେ ଏହି ବିବାଦ ଉପରେ ମୁହଁ ଖୋଲି ନିଜ ନିଜ ପକ୍ଷ ରଖିଛନ୍ତି ରଶ୍ମିକା ଓ ବିଜୟ। କରଣ ଜୋହରଙ୍କ ଟକ୍ ଶୋ’ ‘କଫି ୱିଥ୍ କରଣ’ରେ ରଶ୍ମିକା କହିଥିଲେ ଯେ, ସେ ପ୍ରଥମେ ବିଜୟଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ବିଜୟ ତାଙ୍କୁ ଶହେ ଥର ବିବାହ ପାଇଁ ପଚାରିବାକୁ କହିଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା। ଏହି ବୟାନ ପରେ ସୋସିଆଲ୍ ମିଡିଆରେ ବିଜୟଙ୍କୁ କିଛି ୟୁଜର୍ସ ସମାଲୋଚନା କରିଥିବା ବେଳେ ରଶ୍ମିକାଙ୍କୁ ମଧ୍ୟ ଟ୍ରୋଲ୍ କରାଯାଇଥିଲା।
ଏହାର ଜବାବରେ ରଶ୍ମିକା କହିଛନ୍ତି, ପ୍ରସଙ୍ଗଟି ଶହେ ଥର ବିବାହ ପାଇଁ ପଚାରିବା କିମ୍ବା ଗୋଟିଏ ବର୍ଷ ଧରି ପ୍ରସ୍ତାବ ଦେବା ନୁହେଁ। ପରସ୍ପରକୁ ବୁଝିବା, ସମ୍ପର୍କକୁ ସମୟ ଦେବା ଏବଂ ଜୀବନର ଭଲ ଓ ଖରାପ ସମୟରେ ଏକାଠି ରହିବା ନେଇ ନିଶ୍ଚିତ ହେବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ରଶ୍ମିକା ଆହୁରି କହିଛନ୍ତି, “ମୁଁ ହଜାର ଥର ବି ଏହା କରିବି। ଶହେ ଥର କିଛି ନୁହେଁ।” ନିଜ ବୈବାହିକ ଜୀବନରେ ସେ ବେଶ୍ ଖୁସି ଥିବା କହିବା ସହ ସୋସିଆଲ୍ ମିଡିଆରେ ପ୍ରଚାରିତ କିଛି ମତାମତକୁ ଭ୍ରମାତ୍ମକ ବୋଲି କହିଛନ୍ତି। ଅନ୍ୟପଟେ ବିଜୟ ଦେବରକୋଣ୍ଡା ମଧ୍ୟ ଇନଷ୍ଟାଗ୍ରାମ୍ରେ ଏକ ପୋଷ୍ଟ କରି ଉଭୟେ ଖୁସିରେ ଥିବା ସ୍ପଷ୍ଟ କରିଛନ୍ତି। ରଶ୍ମିକାଙ୍କୁ ନିଜର ସବୁଠୁ ଭଲ ବନ୍ଧୁ ଓ ଜୀବନର ଏକ ସୁନ୍ଦର ଅଂଶ ବୋଲି ବର୍ଣ୍ଣନା କରିଛନ୍ତି ସେ। ଏଥିସହ ଏହି ଯୋଡ଼ିଙ୍କ ସମ୍ପର୍କକୁ ନେଇ ଚିନ୍ତା ପ୍ରକାଶ କରୁଥିବା ଲୋକଙ୍କୁ ମଧ୍ୟ ଜବାବ ଦେଇଛନ୍ତି ବିଜୟ। ସୂଚନାଯୋଗ୍ୟ, ‘ଗୀତା ଗୋବିନ୍ଦମ୍’ ଓ ‘ଡିଅର୍ କମ୍ରେଡ୍’ ଭଳି ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଥିବା ରଶ୍ମିକା ଓ ବିଜୟଙ୍କ ବିବାହକୁ ନେଇ ମଧ୍ୟ ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲା। ଏହି ଯୋଡ଼ି ଚଳିତ ବର୍ଷ ଫେବୃଆରୀରେ ଉଦୟପୁରରେ ବିବାହ କରିଥିବା ଖବର ରହିଛି। ଏବେ ସୋସିଆଲ୍ ମିଡିଆରେ ଚାଲିଥିବା ଚର୍ଚ୍ଚା ମଧ୍ୟରେ ନିଜ ସମ୍ପର୍କକୁ ନେଇ ଉଭୟେ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି।
