Prabhas-47th-Birthday:୪୭ ବର୍ଷରେ ପ୍ରଭାସ, ଆଗରେ ରହିଛି ଦମ୍ଦାର ଫିଲ୍ମ ଲାଇନ୍ଅପ୍
‘ବାହୁବଳୀ’ରୁ ‘ସାଲାର୍’ ଯାଏଁ, ପ୍ରତିଟି ଚରିତ୍ରରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ପ୍ରଭାସ। ୪୭ତମ ଜନ୍ମଦିନରେ ଦେଶବିଦେଶରେ ଫ୍ୟାନ୍ଙ୍କ ଉତ୍ସବ ସାଙ୍ଗକୁ ଆଗାମୀ ଫିଲ୍ମର ସରପ୍ରାଇଜ୍ ତାଙ୍କ ଜନ୍ମଦିନକୁ କରିଛି ଆହୁରି ସ୍ୱତନ୍ତ୍ର।
ସିନେମା ପରଦାରେ ତାଙ୍କ ଦମ୍ଦାର ଉପସ୍ଥିତି ଯେମିତି ଦର୍ଶକଙ୍କୁ ଆକର୍ଷିତ କରେ, ଜନ୍ମଦିନରେ ତାଙ୍କ ପ୍ରତି ପ୍ରଶଂସକଙ୍କ ଭଲପାଇବା ମଧ୍ୟ ସେତିକି ଚର୍ଚ୍ଚାରେ ରହିଛି। ହାଇଦ୍ରାବାଦର ଜୁବିଲି ହିଲ୍ସ ସ୍ଥିତ ତାଙ୍କ ବାସଭବନ ବାହାରେ ମଧ୍ୟରାତ୍ରିରୁ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ହାତରେ ପୋଷ୍ଟର ଓ ପତାକା ଧରି ସେମାନେ ନିଜ ପ୍ରିୟ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜାପାନର ପ୍ରଶଂସକମାନେ କେକ୍ କାଟିବା ସହ ଗୀତ ଗାଇ ପ୍ରଭାସଙ୍କ ଜନ୍ମଦିନ ପାଳନ କରିଛନ୍ତି। ନାଇଜେରିଆରେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ଉତ୍ସବ ପାଳନର ଭିଡିଓ ସାମ୍ନାକୁ ଆସିଛି।ଜନ୍ମଦିନରେ ପ୍ରଭାସଙ୍କ ଆଗାମୀ ଫିଲ୍ମଗୁଡ଼ିକୁ ନେଇ ମଧ୍ୟ ଉତ୍ସାହ ବଢ଼ିଛି। ‘କଲ୍କି ୨୮୯୮ ଏଡି’ର ନିର୍ମାତା ଏକ ବିଶେଷ ଭିଡିଓ ଜାରି କରି ଭୈରବ ଭାବେ ପ୍ରଭାସଙ୍କ ଫେରିବାର ଝଲକ ଦେଖାଇଛନ୍ତି। ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ଏହି ଘୋଷଣା ଫ୍ୟାନ୍ଙ୍କ ଉତ୍ସାହକୁ ଆହୁରି ବଢ଼ାଇଛି। ତେବେ ସିକ୍ୱେଲ୍ର ରିଲିଜ୍ ତାରିଖ ଏଯାଏଁ ଘୋଷଣା ହୋଇନାହିଁ।ଅନ୍ୟପଟେ, ହନୁ ରାଘବପୁଡ଼ିଙ୍କ ନିର୍ଦ୍ଦେଶିତ ପିରିୟଡ୍ ଆକ୍ସନ୍ ଫିଲ୍ମ ‘ଫୌଜି’ର ନୂଆ ପୋଷ୍ଟର ମଧ୍ୟ ଜନ୍ମଦିନରେ ରିଲିଜ୍ ହୋଇଛି। ଏଥିରେ ପ୍ରଭାସଙ୍କୁ ସାମରିକ ପୋଷାକରେ ଦେଖିବାକୁ ମିଳିଛି। ଫିଲ୍ମଟି ୧୯୪୦ ଦଶକର ଔପନିବେଶିକ ଭାରତର ପୃଷ୍ଠଭୂମିରେ ନିର୍ମିତ। ଏହା ବ୍ୟତୀତ ‘ସ୍ପିରିଟ୍’ ଓ ‘ସାଲାର୍ ୨’କୁ ନେଇ ମଧ୍ୟ ଦର୍ଶକଙ୍କ ଅପେକ୍ଷା ରହିଛି।‘ବାହୁବଳୀ’ରୁ ଆରମ୍ଭ କରି ‘ସାଲାର୍’ ପର୍ଯ୍ୟନ୍ତ, ପ୍ରଭାସ ନିଜ ଅଭିନୟ ଓ ଆକ୍ସନ୍ ଅନ୍ଦାଜରେ ଏକ ବିଶାଳ ପ୍ରଶଂସକ ଗୋଷ୍ଠୀ ଗଢ଼ିଛନ୍ତି। ଏବେ ଜନ୍ମଦିନର ଏହି ସରପ୍ରାଇଜ୍ଗୁଡ଼ିକ ତାଙ୍କ ଆଗାମୀ ସିନେମାକୁ ନେଇ ଆଶାକୁ ଆହୁରି ବଢ଼ାଇଛି।
