Akka Review:‘ଆକ୍କା’ ରେ କୀର୍ତ୍ତି-ରାଧିକାଙ୍କ ଦମଦାର ଅଭିନୟ
ମହିଳାଙ୍କ ଶାସନ, ୮୦୦ ବର୍ଷର ପରମ୍ପରା ଓ କ୍ଷମତା ଦଖଲର ଷଡ଼ଯନ୍ତ୍ର। କୀର୍ତ୍ତି ସୁରେଶ ଓ ରାଧିକା ଆପ୍ଟେଙ୍କ ଦମଦାର ଅଭିନୟ ସିରିଜ୍ର ମୁଖ୍ୟ ଆକର୍ଷଣ ହୋଇଥିବାବେଳେ, ଦୁର୍ବଳ ସ୍କ୍ରିନ୍ପ୍ଲେ କିନ୍ତୁ କାହାଣୀର ଗତିକୁ କିଛିଟା ପ୍ରଭାବିତ କରିଛି। ତେବେ,କେମିତି ହୋଇଛି ‘ଅକ୍କା’?
ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇଛି କୀର୍ତ୍ତି ସୁରେଶ ଓ ରାଧିକା ଆପ୍ଟେଙ୍କ ଅଭିନୀତ ପିରିୟଡ୍ କ୍ରାଇମ୍ ଡ୍ରାମା ସିରିଜ୍ ‘ଆକ୍କା’। ମାତୃସତ୍ତାକୁ ଆଧାର କରି ନିର୍ମିତ ଏହି କାହାଣୀରେ ରହିଛି କ୍ଷମତା ଦଖଲ, ଚୋରା ଚାଲାଣ, ଅପରାଧ ଓ ବିଶ୍ୱାସଘାତକତାର ରୋଚକ ମିଶ୍ରଣ। ଧର୍ମରାଜ ଶେଟ୍ଟୀ ଏହାର ନିର୍ଦ୍ଦେଶନା ଓ ଲେଖନୀ ଦାୟିତ୍ୱ ତୁଲାଇଥିବାବେଳେ ଯଶରାଜ ଫିଲ୍ମସ୍ ଏହାକୁ ପ୍ରଯୋଜନା କରିଛି। ଭାରତର ସ୍ୱାଧୀନତା ପରବର୍ତ୍ତୀ ସମୟର ପୃଷ୍ଠଭୂମିରେ ଗଢ଼ିଉଠିଛି ଏହାର କାହାଣୀ। ୮୦୦ ବର୍ଷର ପୁରୁଣା ଇତିହାସ ଥିବା କାଳ୍ପନିକ ସାମ୍ରାଜ୍ୟ ପେର୍ନୁରୁରେ ମହିଳାଙ୍କ ଶାସନ ଚାଲିଥାଏ। ଏଠାରେ ଶାସନ ଗାଦିରେ ବସନ୍ତି ‘ଆକ୍କା’ ଏବଂ ଉତ୍ତରାଧିକାରୀ ମଧ୍ୟ ଜଣେ ମହିଳା ହୋଇଥାନ୍ତି। କୀର୍ତ୍ତି ସୁରେଶ ଏଥିରେ ମାଲେମାରର ଶାସକ ଭବାନୀ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ସାମ୍ରାଜ୍ୟର ଉତ୍ତରାଧିକାରକୁ ଚ୍ୟାଲେଞ୍ଜ କରି ମୁମ୍ବାଇରୁ ଆସନ୍ତି ରାଧିକା ଆପ୍ଟେ ଅଭିନୀତ ରୁଦ୍ରା। ସେ ମଧ୍ୟ ଏହି ବଂଶ ସହ ଜଡ଼ିତ ବୋଲି ଦାବି କରିବା ସହ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଚାହାନ୍ତି। ଏଥିପାଇଁ ସେ ଯେକୌଣସି ସୀମା ଲଂଘିବାକୁ ପ୍ରସ୍ତୁତ। ଅଭିନୟ ଦୃଷ୍ଟିରୁ କୀର୍ତ୍ତି ଓ ରାଧିକା ଉଭୟ ନିଜ ନିଜ ଚରିତ୍ରରେ ପ୍ରଭାବଶାଳୀ। ତନ୍ୱୀ ଆଜମୀ, ମହେଶ ମାଞ୍ଜରେକର ଓ ଅଂଶୁମାନ ପୁଷ୍କରଙ୍କ ଅଭିନୟ ମଧ୍ୟ କାହାଣୀକୁ ଶକ୍ତି ଦେଇଛି। ପୋଷାକ, ଚରିତ୍ରଙ୍କ ଲୁକ୍, ସଙ୍ଗୀତ ଓ ସିନେମାଟୋଗ୍ରାଫି ଦର୍ଶକଙ୍କୁ ସେହି ସମୟର ପରିବେଶର ଅନୁଭବ ଦେବାରେ ସହାୟକ ହୋଇଛି। ତେବେ ସିରିଜ୍ର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଏହାର ସ୍କ୍ରିନ୍ପ୍ଲେ। ୮୦୦ ବର୍ଷର ପୁରୁଣା ମାତୃସତ୍ତାମୂଳକ ସାମ୍ରାଜ୍ୟ ଜଣେ ନୂଆ ମହିଳାଙ୍କ ଆଗମନରେ ଏତେ ସହଜରେ ଦୋହଲିଯିବା ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରେ। ହତ୍ୟା ଓ ଅନ୍ୟାୟ ଘଟୁଥିଲେ ମଧ୍ୟ ଲୋକଙ୍କ ପ୍ରତିବାଦ ନ ଦେଖାଯିବା କାହାଣୀକୁ ଅବାସ୍ତବ କରିଛି। ମୋଟାମୋଟି ଭାବେ ୫ଟି ଏପିସୋଡ୍ ବିଶିଷ୍ଟ ଏହି ସିରିଜ୍ର ପ୍ରତ୍ୟେକ ଏପିସୋଡ୍ ପ୍ରାୟ ୩୦ ମିନିଟ୍ର। କୀର୍ତ୍ତି ଓ ରାଧିକାଙ୍କ ଦମଦାର ଅଭିନୟ ପାଇଁ ଏହାକୁ ଥରେ ଦେଖିହେବ।
