Sanjay Gupta Death:ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ପରଲୋକ
ବଲିଉଡ୍ରେ ଶୋକର ଛାୟା। ୫୭ ବର୍ଷ ବୟସରେ ଆଖି ବୁଜିଛନ୍ତି ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା। ତାଙ୍କ ବିୟୋଗରେ ଭାବପ୍ରବଣ ହୋଇପଡ଼ିଛନ୍ତି ଅନେକ ଅଭିନେତା ଓ ବିଶିଷ୍ଟ ବ୍ୟକ୍ତିମାନେ।
ମୁମ୍ବାଇ: ବଲିଉଡ୍ରୁ ଆସିଛି ଦୁଃଖଦ ଖବର। ୫୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା। କ୍ରାଇମ୍ ଡ୍ରାମା, ଆକ୍ସନ୍ ଓ ଅର୍ବାନ୍ ଥ୍ରିଲର୍ ଫିଲ୍ମ ନିର୍ମାଣ ପାଇଁ ସେ ବେଶ୍ ପରିଚିତ ଥିଲେ। ନିର୍ଦ୍ଦେଶକଙ୍କ ସହ ସ୍କ୍ରିନ୍ପ୍ଲେ ଲେଖକ ଓ ପ୍ରଯୋଜକ ଭାବେ ମଧ୍ୟ ହିନ୍ଦୀ ସିନେମାରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ। ୧୯୯୪ରେ ‘ଆତିଶ୍: ଦ ଫାୟାର୍’ ଫିଲ୍ମ ଜରିଆରେ ନିର୍ଦ୍ଦେଶନା ଜଗତରେ ପାଦ ଥାପିଥିଲେ ସଞ୍ଜୟ। ଏହି ଆକ୍ସନ୍ ଡ୍ରାମାରେ ସଞ୍ଜୟ ଦତ୍ତ ଓ ଆଦିତ୍ୟ ପାଞ୍ଚୋଲି ମୁଖ୍ୟ ଭୂମିକାରେ ଥିଲେ। ଏହି ଫିଲ୍ମରୁ ହିଁ ତାଙ୍କର ଦମ୍ଦାର ଆକ୍ସନ୍, ପଞ୍ଚ୍ ଡାଏଲଗ୍ ଓ ଷ୍ଟାଇଲିସ୍ କାହାଣୀ କହିବାର ଶୈଳୀ ସାମ୍ନାକୁ ଆସିଥିଲା। ପରବର୍ତ୍ତୀ ସମୟରେ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ଓ ଅପରାଧ ଦୁନିଆକୁ ନେଇ ତାଙ୍କ ଫିଲ୍ମଗୁଡ଼ିକ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା। ବିଶେଷକରି ‘କାଣ୍ଟେ’ ଭଳି ଫିଲ୍ମ ପାଇଁ ସେ ପରିଚିତି ହାସଲ କରିଥିଲେ। ସଞ୍ଜୟଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି କମାଲ ଆର୍ ଖାନ୍ ଲେଖିଛନ୍ତି, “ତୁମେ ସବୁ ବିଷୟରେ ବହୁତ ଜ୍ଞାନ ରଖିଥିଲ, ତୁମକୁ ପ୍ରତିଦିନ ମନେ ପକାଇବି ସଞ୍ଜୟ।” ଏହି ଭାବପ୍ରବଣ ପୋଷ୍ଟ ସହ ବଲିଉଡ୍ରେ ଶୋକର ଛାୟା ଖେଳିଯାଇଥିବାବେଳେ, ହିନ୍ଦୀ ସିନେମାକୁ ଅନେକ ସ୍ମରଣୀୟ ଫିଲ୍ମ ଭେଟି ଦେଇଥିବା ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ବିୟୋଗରେ ଝୁରୁଛି ଫିଲ୍ମ ଜଗତ।
