ଉଦ୍ଧବଙ୍କୁ ଝଟକା- ସଂସଦୀୟ ବୈଠକକୁ ଗଲେନି ୬ ସାଂସଦ
ସିନ୍ଦେ ଶିବସେନାକୁ ଦ୍ୱିତୀୟ ଥର ଭାଙ୍ଗିଦେଲେ। ଶିବସେନା ୟୁବିଟିର ୯ ସାଂସଦଙ୍କ ଭିତରୁ ୬ ସାଂସଦ ଅଲଗା ଗ୍ରୁପ କରି ବାଚସ୍ପତିଙ୍କୁ ଚିଠି ଦେଇଛନ୍ତି। ଯଦି ଏନଡିଏକୁ ଏହି ୬ ସାଂସଦଙ୍କ ସମର୍ଥନ ମିଳିବ, ତାହେଲେ ଲୋକସଭାରେ ଏନଡିଏର ସଂଖ୍ୟା ୩୧୮କୁ ବୃଦ୍ଧି ପାଇବ।

ଶିବସେନା ୟୁବିଟିରେ ବଡ଼ ବିବାଦ, ବିଦ୍ରୋହ ଓ ବିଭାଜନ। ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା। ପଶ୍ଚିମବଙ୍ଗରେ ଟିଏମସି ବିଧାୟକ ଓ ସାଂସଦ ଯେଭଳି ବିଭାଜନ ମୁଦ୍ରାରେ। ଅନୁରୂପ ଶିବସେନା ୟୁବିଟିରେ ଚିତ୍ର ଓ ଚରିତ୍ର ପ୍ରାୟ ସମାନ। ଯେଉଁ ଏକନାଥ ସିନ୍ଦେଙ୍କୁ ଏକଦା ଅଟୋ ଓ ରିକ୍ସା ବାଲା କହି ଉପହାସ କରୁଥିଲେ ସଞ୍ଜୟ ରାଉତ। ସେହି ସିନ୍ଦେ ଶିବସେନାକୁ ଦ୍ୱିତୀୟ ଥର ଭାଙ୍ଗିଦେଲେ। ଶିବସେନା ୟୁବିଟିର ୯ ସାଂସଦଙ୍କ ଭିତରୁ ୬ ସାଂସଦ ଅଲଗା ଗ୍ରୁପ କରି ବାଚସ୍ପତିଙ୍କୁ ଚିଠି ଦେଇଛନ୍ତି। ଯଦି ଏନଡିଏକୁ ଏହି ୬ ସାଂସଦଙ୍କ ସମର୍ଥନ ମିଳିବ, ତାହେଲେ ଲୋକସଭାରେ ଏନଡିଏର ସଂଖ୍ୟା ୩୧୮କୁ ବୃଦ୍ଧି ପାଇବ। କାରଣ ଏନଡିଏର ଏବେ ଲୋକସଭାରେ ୨୯୨ ସାଂସଦ ଥିଲା ବେଳେ ଟିଏମସିର ୨୦ ବିଦ୍ରୋହୀ ସାଂସଦ ଏନସିପିଆଇରେ ବିଲୟ ହେଲେଣି। ଏହାକୁ ମିଶାଇଲେ ମୋଟ ସଂଖ୍ୟା ୩୧୮ ହେବ। ସେପଟେ ଶିବସେନା ସାଂସଦ ନରେଶ ମହାସକେ ଗୁରୁତର ଆରୋପ ଲଦିଛନ୍ତି। କଂଗ୍ରେସଠୁ ଟଙ୍କା ଖାଇ ସଞ୍ଜୟ ୟୁବିଟି ପାର୍ଟିକୁ ଶେଷ କରିବାକୁ ଚକ୍ରାନ୍ତ କରିଛନ୍ତି। ସଞ୍ଜୟ କହିଛନ୍ତି, ଗଣତନ୍ତ୍ରକୁ କେମିତି ହତ୍ୟା ହେଉଛି, ସେଥିଲାଗି ସୁପ୍ରିମକୋର୍ଟ ଓ ନିର୍ବାଚନ କମିଶନ ହିଁ ଦାୟୀ। ଯେଉଁ ସାଂସଦ ଦଳ ସହ ରହିବେ ଭଲ କଥା। ନରହିଲେ ସେମାନଙ୍କୁ ବେଇମାନ ଓ ଗଦ୍ଦାର ବୋଲି କୁହାଯିବ। ଆଜି ଶିବସେନା ୟୁବିଟି ସଂସଦୀୟ ଦଳ ବୈଠକରେ ମାତ୍ର ୩ ସାଂସଦ ଅରବିନ୍ଦ ସାଓ୍ୱନ୍ତ, ରାଜା ଭାଉ ଓ ଅନୀଲ ଦେଶାଇ ସାମିଲ ହୋଇଥିଲେ। ସଂସଦୀୟ ଦଳ ବୈଠକରେ ଅନୁପସ୍ଥିତ ସାଂସଦଙ୍କ ବାବଦରେ ଅପମାନଜନକ ଟିପ୍ପଣୀ ଦେଇଛନ୍ତି ସଞ୍ଜୟ। ତେବେ ନାସିକ ସାଂସଦ ରାଜାଭାଉ ଓ୍ୱାଜେ ବି ବିଦ୍ରୋହୀ କ୍ୟାମ୍ପକୁ ଡେଇଁବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ହେଲେ ଏହାକୁ ଖଣ୍ଡନ କରିଛନ୍ତି ରାଜାଭାଉ। ସେ ଉଦ୍ଧବଙ୍କ ପ୍ରତି ସବୁବେଳେ ଆନୁଗତ୍ୟ ରହିବେ ବୋଲି ସ୍ପଷ୍ଟ କରିଛନ୍ତି। ହ୍ୱିପ ସତ୍ତ୍ୱେ କାହିଁକି ୬ ସାଂସଦ ଅନୁପସ୍ଥିତ ରହିଲେ। ତାକୁ ନେଇ ନୋଟିସ ଇସ୍ୟୁ ହୋଇଛି। ଓ୍ୱାଟସଆପ ଓ ଇମେଲ ପଠାଯିବା ସତ୍ତ୍ୱେ ସେମାନେ ଦଳୀୟ ବୈଠକକୁ ଆସିବେନି ବୋଲି କୌଣସି ଜବାବ ରଖିଲେନି ବୋଲି କହିଛନ୍ତି ଅନୀଲ ଦେଶାଇ। ଶିବସେନା ସାଂସଦ କ୍ରିଷ୍ଣା ହେଗଡେ କହିଛନ୍ତି, କୌଣସି ବ୍ୟକ୍ତିଗତ ବୈଠକରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରାଯାଏନା। ଏହାକୁ ଅନୁଶାସନହୀନ ବୋଲି କହିବା ହାସ୍ୟାସ୍ପଦ। ମହାରାଷ୍ଟ୍ରରେ ଅପରେସନ ଟାଇଗର। ଅପରେସନ ଟାଇଗର ଉପରେ ଭାରି ପଡ଼ିବ ଅପରେସନ ଗଧିଆ ବୋଲି ଦୁଇ ଦିନ ତଳେ କହିଥିଲେ ସଞ୍ଜୟ। ହେଲେ ଶିବସେନା ୟୁବିଟି ସାଂସଦଙ୍କ ଅପରେସନ ଗଧିଆ ଫେଲ୍ ମାରିଗଲା।
