ଡାକ୍ତରଙ୍କୁ ଆକ୍ରମଣରେ ଶିବସେନା କର୍ପୋରେଟର ଗିରଫ
ରମେଶ ମହାତ୍ରେ ନିଜ ଉପରେ ଲାଗିଥିବା ମହିଳା ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ସିସିଟିଭି ଭିଡିଓର କ୍ୟାମେରା ଆଙ୍ଗଲ୍ ଯୋଗୁଁ ଭୁଲ ବାର୍ତ୍ତା ଯାଇଛି ଏବଂ ସେ ମହିଳା ଡାକ୍ତରଙ୍କୁ ଆକ୍ରମଣ କରିନଥିଲେ। ରମେଶ ମହାତ୍ରେ। ପ୍ଲସ-ଟୁ ଫେଲ୍। ୨୦୧୯ ବିଧାନସଭା ନିର୍ବାଚନ ବି ଲଢ଼ି ହାରିଛନ୍ତି। ଡ୍ୟୁଟିରେ ଥିବା ମହିଳା ଡାକ୍ତରଙ୍କୁ ଚାପୁଡା ମାରି ଏବେ ଚର୍ଚ୍ଚାରେ।

ହସ୍ପିଟାଲରେ ପଶିଲେ କର୍ପୋରେଟର। ଆଉ ମହିଳା ଡାକ୍ତର, ନର୍ସଙ୍କୁ ପିଟିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର କଲ୍ୟାଣ-ଡୋମ୍ୱିଭଲି ଅଞ୍ଚଳର ଏକ ପୌର ହସ୍ପିଟାଲରେ। ଶିବସେନା ସିନ୍ଦେ ଗୋଷ୍ଠୀର କର୍ପୋରେଟର ରମେଶ ମହାତ୍ରେ ମାଡ଼ ମାରୁଥିବାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏହି ଘଟଣା ପରେ ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମଚାରୀମାନେ ସୁରକ୍ଷା ଦାବିରେ ଧର୍ମଘଟ ଆରମ୍ଭ କରିଥିଲେ। ଫଳରେ ଓପିଡି ସେବା ବନ୍ଦ ରହିଥିଲା, ଯଦିଓ ଜରୁରୀକାଳୀନ ସେବା ଚାଲୁ ରହିଥିଲା। ପୁଲିସ ରମେଶ ମହାତ୍ରେ ଏବଂ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ଗିରଫ କରାଯିବ ବୋଲି ଆଶ୍ୱାସନା ଦେଇଛି। ଅନ୍ୟପଟେ ରମେଶ ମହାତ୍ରେ ନିଜ ଉପରେ ଲାଗିଥିବା ମହିଳା ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ସିସିଟିଭି ଭିଡିଓର କ୍ୟାମେରା ଆଙ୍ଗଲ୍ ଯୋଗୁଁ ଭୁଲ ବାର୍ତ୍ତା ଯାଇଛି ଏବଂ ସେ ମହିଳା ଡାକ୍ତରଙ୍କୁ ଆକ୍ରମଣ କରିନଥିଲେ। ରମେଶ ମହାତ୍ରେ। ପ୍ଲସ-ଟୁ ଫେଲ୍। ୨୦୧୯ ବିଧାନସଭା ନିର୍ବାଚନ ବି ଲଢ଼ି ହାରିଛନ୍ତି। ଡ୍ୟୁଟିରେ ଥିବା ମହିଳା ଡାକ୍ତରଙ୍କୁ ଚାପୁଡା ମାରି ଏବେ ଚର୍ଚ୍ଚାରେ। ଜଣେ ଗର୍ଭବତୀଙ୍କ ଚିକିତ୍ସାକୁ କେନ୍ଦ୍ର କରି ବଚସାରୁ ମହିଳା ଡାକ୍ତରଙ୍କୁ ଚାପୁଡ଼ା ମାରିଥିଲେ। ହସ୍ପିଟାଲ ପ୍ରଶାସନ ଅନୁସାରେ, ହସ୍ପିଟାଲରେ ଜଣେ ଗର୍ଭବତୀଙ୍କୁ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ଡାକ୍ତର ପରିବାରକୁ କହିଥିଲେ ଯେ, ନବଜାତ ଶିଶୁକୁ NICU (ନିୟୋନେଟେଲ ଇଣ୍ଟେନସିଭ୍ କେୟାର ୟୁନିଟ)ରେ ଭର୍ତ୍ତି କରିବାର ଆବଶ୍ୟକତା ପଡିପାରେ। ଯେହେତୁ ହସ୍ପିଟାଲର କୌଣସି NICU ବେଡ୍ ଖାଲି ନଥିଲା। ସେଥିଲାଗି ଡାକ୍ତର କହିଥିଲେ, ଜରୁରୀ ପଡିଲେ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସିଫ୍ଟ କରାଯାଇପାରେ। ଆଉ ରେଫେରାଲର ଏହି ପରାମର୍ଶ ଦେଖି ରୋଗୀଙ୍କ ସମ୍ପର୍କୀୟ ରାଗିଯାଇଥିଲେ। ଏହା ପରେ ରମେଶ ମହାତ୍ରେ ନିଜ ସମର୍ଥକଙ୍କ ସହ ହସ୍ପିଟାଲ ପହଞ୍ଚିଥିଲେ। ଜଣେ ମହିଳା ଡାକ୍ତର, ଦୁଇ ଅନ୍ୟ ଡାକ୍ତର ଓ ୩ ଜଣ ନର୍ସଙ୍କୁ ଆକ୍ରମଣ କରିଥିଲେ। ଏପରିକି ସୁରକ୍ଷାକର୍ମୀଙ୍କୁ ବି ହସ୍ତକ୍ଷେପ କରିବାକୁ ରୋକିଲେ। ଆକ୍ରମଣ ପରେ ଅନେକ କର୍ମଚାରୀ କାନ୍ଦିବାକୁ ଲାଗିଥିଲେ। ଆଉ ରୋଗୀଙ୍କ ସମ୍ପର୍କୀୟଙ୍କ କହିବା କଥା, ତାଙ୍କ ଝିଅ ଓ ନବଜାତ ଶିଶୁ ଦୁହିଁଙ୍କ ଅବସ୍ଥା ଗୁରୁତର ଥିଲା। କିନ୍ତୁ ହସ୍ପିଟାଲରେ ଠିକ ଚିକିତ୍ସା ହୋଇପାରିଲାନି। ଅନାବଶ୍ୟକ ବିଳମ୍ୱ କରାଯାଉଥିଲା। ଆଉ ସେଥିଲାଗି ସେମାନେ ସ୍ଥାନୀୟ କର୍ପୋରେଟରଙ୍କ ଅଫିସକୁ ଫୋନ୍ କରି ଜଣାଇଥିଲେ। ରମେଶ ନିଜ ସଫେଇରେ କହିଛନ୍ତି, ମହିଳାଙ୍କୁ ସଂଧ୍ୟା ୬ଟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ରାତି ୯ଟା ଯାଏ କୌଣସି ଉଚିତ୍ ଚିକିତ୍ସା ଦିଆଯାଇନଥିଲା। ସେଥିଲାଗି ସେ ହସ୍ପିଟାଲ ଯାଇଥିଲେ। ଅବଶ୍ୟ ମାନିଛନ୍ତି, ଏଭଳି ଘଟଣା ହେବାର ନଥିଲା। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଡାକ୍ତର ଶ୍ରୀକାନ୍ତ ସିନ୍ଦେ ଏକ୍ସରେ ପୋଷ୍ଟ କରି ଘଟଣାର କଡ଼ା ନିନ୍ଦା କରିଛନ୍ତି। ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ଦିନରାତି ଜନସେବାରେ ଲାଗିଛନ୍ତି। ରୋଗୀ ସେବା କେବଳ ପେଶା ନୁହେଁ, ବରଂ ମାନବତାର ସେବା। ଏ ଘଟଣା ସ୍ୱାସ୍ଥ୍ୟକ୍ଷେତ୍ରରେ ବଢ଼ୁଥିବା ହିଂସା ଓ ସାର୍ବଜନୀକ ହସ୍ପିଟାଲର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନଘେରରେ ପକାଇଦେଇଛି। ମହାରାଷ୍ଟ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଯୋଗେଶ କଦମ ବି ଏ ଘଟଣାକୁ ନିନ୍ଦା କରିବା ସହ ଆଇନକୁ କେହି ହାତକୁ ନେବା ଉଚିତ ନୁହେଁ ବୋଲି କହିଛନ୍ତି। ଶେଷରେ ଆଜି ମହାତ୍ରେଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ମହାତ୍ରେ ବି ଖୁବ ଶୀଘ୍ର ଗିରଫ ହେବେ ବୋଲି କହିଥିଲେ ମୁମ୍ୱାଇ ଅତିରିକ୍ତ ପୁଲିସ କମିଶନର ସୁହାସ ହେମାଦେ। ଜୁଲାଇ ୬ର ଘଟଣା। ୩ ଦିନ ପରେ ଆକ୍ସନ ନେଲା ପୁଲିସ।
