Shahrukh Khan: ୬୧ ବର୍ଷରେ ବଲିଉଡ୍ ବାଦଶାହ ଶାହରୁଖ ଖାନ୍
ଆଜି ବଲିଉଡ୍ ବାଦଶାହ ଶାହରୁଖ ଖାନ୍ ଙ୍କ ୬୧ତମ ଜନ୍ମଦିନ। ରିଲିଜ୍ ହେଲା ଆଗାମୀ ଫିଲ୍ମ ‘କିଙ୍ଗ୍’ର ଝଲକ। ସଂଘର୍ଷମୟ ଯାତ୍ରା, ନେଗେଟିଭ୍ ରୋଲ୍ ରୁ ରୋମାନ୍ସ କିଙ୍ଗ୍ ପାଲଟିବା ଯାତ୍ରା ନଥିଲ ସହଜ..

ବ୍ଯୁରୋ: ବଲିଉଡ୍ କିଙ୍ଗ୍ ଖାନ୍, ରୋମାନ୍ସର ବାଦଶାହ ତଥା ଲକ୍ଷ ଲକ୍ଷ ହୃଦୟର ଧଡ଼କନ୍ ଶାହରୁଖ ଖାନ୍ ଆଜି ୬୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୫ ନଭେମ୍ବର ୨ ତାରିଖରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ଶାହରୁଖଙ୍କ ଜନ୍ମଦିନକୁ ପ୍ରତିବର୍ଷ ତାଙ୍କ ପ୍ରଶଂସକମାନେ ‘SRK Day’ ଭାବେ ପାଳନ କରିଥାନ୍ତି। ଜନ୍ମଦିନରେ ମନ୍ନତ ବାଲକୋନିରୁ ଫ୍ୟାନ୍ଙ୍କୁ ଅଭିବାଦନ ଜଣାଇବା ଶାହରୁଖ ଖାନ୍ଙ୍କ ଏକ ପୁରୁଣା ପରମ୍ପରା। କିନ୍ତୁ ଏଥର ୬୧ତମ ଜନ୍ମଦିନରେ ଏହି ପରମ୍ପରା ଭାଙ୍ଗିଛନ୍ତି କିଙ୍ଗ୍ ଖାନ୍। ମଧ୍ୟରାତ୍ରିରେ ସେ ବାଲକୋନିକୁ ଆସି ଫ୍ୟାନ୍ଙ୍କୁ ଦେଖା ଦେଇନଥିଲେ। ହେଲେ ପ୍ରଶଂସକଙ୍କୁ ନିରାଶ ନକରି ଏକ ସୁନ୍ଦର ହାତଲେଖା ଚିଠି ଜରିଆରେ ଜଣାଇଥିଲେ ନିଜର ଭଲପାଇବା। ଏକ ବଡ଼ ପ୍ରୋଜେକ୍ଟରରେ ଶାହରୁଖଙ୍କ ହାତଲେଖା ଚିଠି ପ୍ରଦର୍ଶିତ କରାଯାଇଥିଲା। ଏଥିରେ ସେ ଲେଖିଥିଲେ, “ଆପଣମାନଙ୍କ ଶୁଭେଚ୍ଛା ଓ ଭଲପାଇବା ପାଇଁ ଧନ୍ୟବାଦ। ମୋର ଭଲପାଇବା ମଧ୍ୟ ଆପଣମାନଙ୍କ ପାଇଁ।”ଏହି ଅବସରରେ ମନ୍ନତ ବାହାରେ ଶାହରୁଖଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍’ର ଝଲକ ମଧ୍ୟ ଦେଖାଯାଇଥିଲା। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ‘କିଙ୍ଗ୍’ ଡିସେମ୍ବର ୨୪, ୨୦୨୬ରେ ଖ୍ରୀଷ୍ଟମାସ ଅବସରରେ ରିଲିଜ୍ ହେବ।

ଦିଲ୍ଲୀରୁ ମୁମ୍ବାଇ, ସଂଘର୍ଷରୁ ସଫଳତାର ଯାତ୍ରା
ଶାହରୁଖ ଖାନ୍ଙ୍କ ପିଲାଦିନ ଦିଲ୍ଲୀର ରାଜେନ୍ଦ୍ର ନଗର ଅଞ୍ଚଳରେ କଟିଥିଲା। ତାଙ୍କ ପିତା ତାଜ୍ ମହମ୍ମଦ ଖାନ୍ ଏବଂ ମାଆ ଲତିଫ୍ ଫାତିମା। ସେଣ୍ଟ କଲମ୍ବସ୍ ସ୍କୁଲ୍ରେ ପାଠପଢ଼ା ଶେଷ କରିବା ପରେ ହଂସରାଜ କଲେଜରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସ୍କୁଲ୍ ଜୀବନରେ ପାଠପଢ଼ା ସହ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସେ ବେଶ୍ ଭଲ ପ୍ରଦର୍ଶନ କରୁଥିଲେ। ଏଥିପାଇଁ ତାଙ୍କୁ ସ୍କୁଲ୍ର ସମ୍ମାନଜନକ ‘ସ୍ୱୋର୍ଡ ଅଫ୍ ଅନର୍’ ମଧ୍ୟ ମିଳିଥିଲା। ଅଭିନୟ ପ୍ରତି ରୁଚି ଥିବାରୁ ସେ ଦିଲ୍ଲୀରେ ବ୍ୟାରି ଜନ୍ଙ୍କ ଥିଏଟର ଗ୍ରୁପ୍ରେ ଅଭିନୟ ଶିଖିଥିଲେ। ୧୯୮୮ରେ ଟେଲିଭିଜନ୍ ଧାରାବାହିକ ‘ଫୌଜି’ ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିଲେ। ଏଥିରେ ସେ ଅଭିମନ୍ୟୁ ରାୟଙ୍କ ଚରିତ୍ରରେ ନଜର ଆସିଥିଲେ। ପରେ ‘ସର୍କସ୍’ ଓ ‘ଦିଲ୍ ଦରିଆ’ ଭଳି ଧାରାବାହିକ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା।
ନେଗେଟିଭ୍ ରୋଲ୍ରୁ ରୋମାନ୍ସ କିଙ୍ଗ୍
୧୯୯୧ରେ ମାଆଙ୍କ ଦେହାନ୍ତ ପରେ ଶାହରୁଖ ମୁମ୍ବାଇ ଆସି ବଲିଉଡ୍ରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ୧୯୯୨ରେ ‘ଦିୱାନା’ ଫିଲ୍ମ ଜରିଆରେ ବଡ଼ ପରଦାରେ ଡେବ୍ୟୁ କରିଥିଲେ। ଏହା ପରେ ୧୯୯୩ରେ ‘ବାଜିଗର’ ଓ ‘ଡର୍’ ଭଳି ଫିଲ୍ମରେ ନେଗେଟିଭ୍ ଚରିତ୍ରରେ ଅଭିନୟ କରି ସମସ୍ତଙ୍କୁ ଚକିତ କରିଥିଲେ। ‘ବାଜିଗର’ ପାଇଁ ସେ ପ୍ରଥମ ଥର ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ହାସଲ କରିଥିଲେ। ୧୯୯୫ରେ ମୁକ୍ତିଲାଭ କରିଥିବା ‘ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ’ ତାଙ୍କ କ୍ୟାରିୟରରେ ଏକ ବଡ଼ ମୋଡ଼ ଆଣିଥିଲା। ଏହି ଫିଲ୍ମ ଭାରତୀୟ ସିନେମାରେ ଏକ ନୂଆ ଇତିହାସ ରଚିଥିଲା। ଆଜି ମଧ୍ୟ ମୁମ୍ବାଇର ମରାଠା ମନ୍ଦିର ସିନେମା ହଲ୍ରେ ଏହା ପ୍ରଦର୍ଶିତ ହେଉଛି। ଏହା ପରେ ‘ଦିଲ୍ ତୋ ପାଗଲ୍ ହୈ’, ‘କୁଛ୍ କୁଛ୍ ହୋତା ହୈ’, ‘ପରଦେଶ’, ‘ଦିଲ୍ ସେ’ ଓ ‘ବାଦଶାହ’ ଭଳି ଫିଲ୍ମ ତାଙ୍କୁ ରୋମାନ୍ସର କିଙ୍ଗ୍ ଭାବେ ପରିଚିତ କରାଇଥିଲା। ‘ଦେବଦାସ’, ‘ସ୍ୱଦେଶ’, ‘ମେଁ ହୁଁ ନା’, ‘ଚକ୍ ଦେ ଇଣ୍ଡିଆ’, ‘ଓମ୍ ଶାନ୍ତି ଓମ୍’, ‘ଚେନ୍ନାଇ ଏକ୍ସପ୍ରେସ୍’, ‘ହାପି ନ୍ୟୁ ଇୟର୍’ ଭଳି ଫିଲ୍ମ ଶାହରୁଖଙ୍କୁ ଜଣେ ଗ୍ଲୋବାଲ୍ ଷ୍ଟାର୍ ର ପରିଚୟ ଦେଇଥିଲା। ୨୦୧୮ରେ ‘ଜିରୋ’ ଫିଲ୍ମ ପରେ ସେ କିଛି ବର୍ଷର ବିରତି ନେଇଥିଲେ। ହେଲେ ୨୦୨୩ରେ ତାଙ୍କ କମ୍ବ୍ୟାକ୍ ସମସ୍ତଙ୍କୁ ଚକିତ କରିଥିଲା। ସେହି ବର୍ଷ ‘ପଠାନ୍’, ‘ଜୱାନ୍’ ଓ ‘ଡଙ୍କି’ ଭଳି ଫିଲ୍ମରେ ନଜର ଆସିଥିଲେ। ବିଶେଷ କରି ‘ପଠାନ୍’ ଓ ‘ଜୱାନ୍’ ବକ୍ସ ଅଫିସ୍ ରେ ବଡ଼ ସଫଳତା ହାସଲ କରିଥିଲା। ‘ଜୱାନ୍’ ପାଇଁ ଶାହରୁଖ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ପାଇଥିଲେ।
ଗୌରୀଙ୍କ ସହ ପ୍ରେମ, ତିନି ସନ୍ତାନଙ୍କୁ ନେଇ ପରିବାର
ଶାହରୁଖଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ କୌଣସି ଫିଲ୍ମ କାହାଣୀଠାରୁ କମ ନୁହେଁ। ୧୯୯୧ ଅକ୍ଟୋବର ୨୫ରେ ସେ ନିଜ ପିଲାଦିନର ବନ୍ଧୁ ଗୌରୀ ଛିବ୍ବରଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ତିନି ସନ୍ତାନ ଅଛନ୍ତି। ସେମାନେ ହେଲେ ଆର୍ୟନ ଖାନ୍, ସୁହାନା ଖାନ୍ ଓ ଅବରାମ ଖାନ୍।
କେବଳ ଅଭିନେତା ନୁହେଁ, ଏକ ଭାବନା ଶାହରୁଖ
ଦିଲ୍ଲୀର ଜଣେ ସାଧାରଣ ପରିବାରରୁ ଆସି ନିଜ ପରିଶ୍ରମ, ଆତ୍ମବିଶ୍ୱାସ ଓ ଅଭିନୟ ଦକ୍ଷତା ବଳରେ ବଲିଉଡ୍ର ବାଦଶାହ ପାଲଟିଥିବା ଶାହରୁଖ ଖାନ୍ ଙ୍କ ଯାତ୍ରା ଅନେକଙ୍କ ପାଇଁ ପ୍ରେରଣା। ତାଙ୍କ ପାଇଁ ଦେଶରେ ଯେତିକି ଭଲପାଇବା ରହିଛି, ବିଦେଶରେ ମଧ୍ୟ ସେତିକି ଲୋକପ୍ରିୟତା ରହିଛି। ସେଥିପାଇଁ ଶାହରୁଖ କେବଳ ଜଣେ ସୁପରଷ୍ଟାର୍ ନୁହନ୍ତି, ବରଂ କୋଟି କୋଟି ପ୍ରଶଂସକଙ୍କ ପାଇଁ ଏକ ଭାବନା।
