କୋରାପୁଟ ପାଇନ୍ ଜଙ୍ଗଲରେ ଉଦୀୟମାନ ମଡେଲଙ୍କୁ ଗଣଦୁଷ୍କର୍ମ: ୨ ଅଭିଯୁକ୍ତ ଗିରଫ, ଜଣେ ଫେରାର
ପାଇନ୍ ଜଙ୍ଗଲରେ ଜଣେ ଉଦୀୟମାନ ମଡେଲଙ୍କୁ ଗଣଦୁଷ୍କର୍ମ । ମାମଲାରେ କୋରାପୁଟ ସଦର ଥାନା ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ତୃତୀୟ ଅଭିଯୁକ୍ତକୁ ଧରିବା ପାଇଁ ଛାନ୍ଭିନ୍ ଜାରି ।

କୋରାପୁଟ : କୋରାପୁଟ-ଜୟପୁର ଜାତୀୟ ରାଜପଥ କଡ଼ରେ ଥିବା ପାଇନ୍ ଜଙ୍ଗଲରେ ଜଣେ ଉଦୀୟମାନ ମୋଡେଲଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଭଳି ଏକ ସଂବେଦନଶୀଳ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଏହି ମାମଲାରେ କୋରାପୁଟ ସଦର ଥାନା ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ତୃତୀୟ ଅଭିଯୁକ୍ତକୁ ଧରିବା ପାଇଁ ଛାନ୍ଭିନ୍ ଜାରି ରଖିଛି।
ପୋଲିସ ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୬ ତାରିଖ ଅପରାହ୍ନରେ ପୀଡ଼ିତା ଯୁବତୀ ଜଣକ ନିଜର ଜଣେ ପୁରୁଷ ବନ୍ଧୁଙ୍କ ସହ ଫୋଟୋସୁଟ୍ କରିବା ପାଇଁ ପାଇନ୍ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସେଠାରେ ପହଞ୍ଚି ଛୁରୀ ଦେଖାଇ ଉଭୟଙ୍କୁ ଭୟଭୀତ କରାଇଥିଲେ। ଦୁର୍ବୃତ୍ତମାନେ ବାଧ୍ୟକରି ସେମାନଙ୍କଠାରୁ ନଗଦ ଟଙ୍କା ଏବଂ ଅନଲାଇନ୍ ମାଧ୍ୟମରେ ମୋଟ ୮,୩୦୦ ଟଙ୍କା ଲୁଟି ନେଇଥିଲେ। ଏହାପରେ ଅଭିଯୁକ୍ତମାନେ ଯୁବତୀଙ୍କୁ ଜବରଦସ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ପୀଡ଼ିତା କୋରାପୁଟ ସଦର ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କୋରାପୁଟ ଏସପି ରୋହିତ ବର୍ମାଙ୍କ ସୂଚନା ଅନୁଯାୟୀ, ଅଭିଯୋଗ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଘଟଣାରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି। ଫରାର୍ ଥିବା ତୃତୀୟ ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସନ୍ଧାନ ଜାରି ରଖିଛି।
ନାରୀ ସୁରକ୍ଷା ଓ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ବଡ଼ ପ୍ରଶ୍ନବାଚୀ:
ଏହି ବିଭତ୍ସ କାଣ୍ଡ କେବଳ କୋରାପୁଟ ନୁହେଁ, ବରଂ ସାରା ଓଡ଼ିଶାରେ ନାରୀ ସୁରକ୍ଷାକୁ ନେଇ ପୁଣି ଗମ୍ଭୀର ସନ୍ଦେହ ସୃଷ୍ଟି କରିଛି। ଦିନବେଳେ ଜାତୀୟ ରାଜପଥ କଡ଼ରେ ଥିବା ଏକ ଜନପ୍ରିୟ ପର୍ଯ୍ୟଟନ ସ୍ଥଳରେ ଏଭଳି ପାଶବିକ ଆକ୍ରମଣ ସାଧାରଣ ନାଗରିକଙ୍କ ମନରେ ପ୍ରବଳ ଭୟ ସଞ୍ଚାର କରିଛି।
ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ଓ ଅପରାଧିକ ଘଟଣା ଆଜି ଗୋଟିଏ ବଡ଼ ପ୍ରଶ୍ନ ଛିଡ଼ା କରିଛି—ନିଜ ସ୍ୱପ୍ନ ଓ କର୍ମକ୍ଷେତ୍ରକୁ ଆଗେଇ ନେବା ପାଇଁ ଘରୁ ବାହାରୁଥିବା ଆମ ଝିଅମାନେ ନିଜ ମାଟିରେ ଆଉ କେତେଦିନ ଭୟ ଓ ଆଶଙ୍କା ଭିତରେ ଜୀବନ ବିତାଇବେ? ଆଇନ ଶୃଙ୍ଖଳା ପରିସ୍ଥିତି କେବେ ଏତେ କଠୋର ହେବ, ଯେଉଁଠି ଦୁର୍ବୃତ୍ତମାନେ ଅପରାଧ କରିବା ପୂର୍ବରୁ ଶହେ ଥର ଭାବିବାକୁ ବାଧ୍ୟ ହେବେ?
