ମିନାକ୍ଷୀଙ୍କୁ ସୁପ୍ରିମ ଝଟକା
ସୁପ୍ରିମକୋର୍ଟ ଆବେଦନ ଖାରଜ କରିଥିଲେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ରାୟ ଭବିଷ୍ୟତରେ ଦାଖଲ ହୋଇପାରୁଥିବା କୌଣସି ନିର୍ବାଚନୀ ଆବେଦନ ଉପରେ ପ୍ରଭାବ ପକାଇବ ନାହିଁ।

କଂଗ୍ରେସ ନେତ୍ରୀ ଏବଂ ରାଜ୍ୟସଭା ପ୍ରାର୍ଥୀ ମିନାକ୍ଷୀ ନଟରାଜନଙ୍କୁ ଆଜି ବଡ଼ ଝଟକା ଲାଗିଛି। ତାଙ୍କ ରାଜ୍ୟସଭା ନାମାଙ୍କନ ପତ୍ର ରଦ୍ଦ ହେବା ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ ନିର୍ବାଚନ ସମ୍ୱନ୍ଧୀୟ ଏପରି ବିବାଦରେ ଆଇନରେ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅଛି ଓ ନିର୍ବାଚନ କମିଶନ ହିଁ ଉପଯୁକ୍ତ ମଞ୍ଚ। ମଧ୍ୟପ୍ରଦେଶର ରାଜ୍ୟସଭା ନିର୍ବାଚନ ପାଇଁ ମିନାକ୍ଷୀ ନଟରାଜନଙ୍କ ନାମାଙ୍କନ ପତ୍ରକୁ ରିଟର୍ଣ୍ଣିଂ ଅଫିସର ଖାରଜ କରିଥିଲେ। ଅଭିଯୋଗ ଥିଲା ଯେ ସେ ନିଜ ନାମାଙ୍କନ ସହ ଦାଖଲ କରିଥିବା ଫର୍ମ–26ରେ ତେଲେଙ୍ଗାନାର ଏକ ମାମଲା ସମ୍ପର୍କିତ ତଥ୍ୟ ପୂର୍ଣ୍ଣ ଭାବେ ଉଲ୍ଲେଖ କରିନଥିଲେ। ଏହି ଆପତ୍ତି ବିଜେପି ପକ୍ଷରୁ ଉଠାଯାଇଥିଲା। ସୁପ୍ରିମକୋର୍ଟରେ ନଟରାଜନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି ରଖିଥିଲେ ଯେ ତାଙ୍କ ବିରୋଧରେ କୌଣସି ଏପରି ଅପରାଧିକ ମାମଲା ନଥିଲା ଯାହାକୁ ଆଇନ ଅନୁସାରେ ଫର୍ମରେ ଉଲ୍ଲେଖ କରିବା ବାଧ୍ୟତାମୂଳକ। ସେ କହିଥିଲେ ଯେ ମାମଲାରେ ଚାର୍ଜ ଫ୍ରେମ୍ ହୋଇନଥିଲା ଏବଂ କେବଳ ଏକ ବ୍ୟକ୍ତିଗତ ଅଭିଯୋଗ ଆଧାରରେ ନାମାଙ୍କନ ଖାରଜ କରିବା ଉଚିତ ନୁହେଁ। ଅନ୍ୟପକ୍ଷରେ ରିଟର୍ଣ୍ଣିଂ ଅଫିସରଙ୍କ ମତ ଥିଲା ଯେ ନାମାଙ୍କନ ସହ ଦାଖଲ ହୋଇଥିବା ସତ୍ୟପାଠ ଅସମ୍ପୂର୍ଣ୍ଣ ଥିଲା ଏବଂ ଆବଶ୍ୟକ ତଥ୍ୟ ଦିଆଯାଇନଥିଲା। ଏହା ଆଧାରରେ ନାମାଙ୍କନ ପତ୍ରକୁ ଅବୈଧ ଘୋଷଣା କରାଯାଇଥିଲା। ସୁପ୍ରିମକୋର୍ଟ ଆବେଦନ ଖାରଜ କରିଥିଲେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ରାୟ ଭବିଷ୍ୟତରେ ଦାଖଲ ହୋଇପାରୁଥିବା କୌଣସି ନିର୍ବାଚନୀ ଆବେଦନ ଉପରେ ପ୍ରଭାବ ପକାଇବ ନାହିଁ। ଏହା ସହ କଂଗ୍ରେସ ପାଇଁ ଏହା ଏକ ବଡ଼ ରାଜନୈତିକ ଝଟକା ବୋଲି ଦେଖାଯାଉଛି, କାରଣ ମଧ୍ୟପ୍ରଦେଶର ତିନୋଟି ରାଜ୍ୟସଭା ଆସନରେ ବିଜେପିର ସ୍ଥିତି ଏବେ ଅଧିକ ମଜବୁତ ହୋଇଛି। ସଂଖ୍ୟା ଗଣିତରେ ତିନୋଟିରୁ ଦୁଇଟି ଆସନରେ ବିଜେପି ଜିତିବା ପକ୍କା ଥିଲା। ତୃତୀୟ ଆସନ ପାଇଁ ଆବଶ୍ୟକୀୟ ସଂଖ୍ୟା ପାଖରେ ନଥିଲା। କାରଣ ବିଜେପିକୁ ଆହୁରି ଦରକାର ଥିଲା ୧୦ଟି ଭୋଟ୍। ତା ସତ୍ତ୍ୱେ ତୃତୀୟ ପ୍ରାର୍ଥୀ ଦେଇଥିଲା ବିଜେପି। କଂଗ୍ରେସ ପାଖରେ ୬୨ଟି ଭୋଟ ଅଛି। ମିନାକ୍ଷୀଙ୍କୁ ଜିତିବାକୁ ଦରକାର ଥିଲା ୫୮ ଭୋଟ। ହେଲେ ମିନାକ୍ଷୀଙ୍କ ନାମାଙ୍କନ ଖାରଜ ପରେ କଂଗ୍ରେସ ହାତରୁ ଏ ଆସନ ବି ଚାଲିଗଲା କହିଲେ ଚଳେ। ଆଉ ବିଜେପି ୩ରୁ ୩ ଆସନ ନେବା ଥୟ।
