ଅଧାରୁ ବିଲଡର ଗାଏବ- ବିନା ବିଜୁଳିରେ ୫ଶହ ପରିବାର!
ପଞ୍ଜାବ ଷ୍ଟେଟ ପାଓ୍ୱାର କର୍ପୋରେସନ ଲିମିଟେଡ୍ କହିଥିଲା କି, ଯଦି ଲୋକମାନେ ସାମୂହିକ ଭାବେ ୪.୪୪କୋଟି ଟଙ୍କା ଜମା କରିବେ। ତାହେଲେ ଯାଇ ବିଜୁଳି ସଂଯୋଗ ଜାରି ଦିଆଯାଇପାରିବ।
ବିଲଡରର ଅବହେଳା ପାଇଁ କ୍ରେତା କାହିଁକି ହଇରାଣ ହେବେ। ୫ଶହରୁ ଅଧିକ ପରିବାରକୁ ଅସ୍ଥାୟୀ ଭାବେ ବିଜୁଳି ସଂଯୋଗ ଦେବାକୁ ହାଇକୋର୍ଟ ଦେଲେ ଆଦେଶ। ତେବେ କେଉଁ ପରିସ୍ଥିତିରେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଏଭଳି ରାୟ ଦେଲେ ଆଉ ମାମଲାଟି କଅଣ। ଜିରକପୁର ସ୍ଥିତ ସୁଷମା ଓ୍ୱେଲେନ୍ସିଆ ଆପାର୍ଟମେଣ୍ଟରେ ୫ଶହରୁ ଅଧିକ ପରିବାର ରହୁଛନ୍ତି। ଭୀଷଣ ଗରମରେ ସେମାନେ ବିନା ବିଜୁଳି ସଂଯୋଗରେ ଦହଗଞ୍ଜ ହେଉଥିଲେ। କାରଣ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନ ଅଭିଯୋଗ କରିଥିଲା କି, ପ୍ରକଳ୍ପ ଡେଭେଲପମେଣ୍ଟର ଦାୟିତ୍ୱ ନେଇଥିବା ସୁଷମା ଡେଭେଲପର୍ସ ପ୍ରାଇଭେଟ୍ ଲିମିଟେଡ୍ ପ୍ରକଳ୍ପକୁ ଅଧୁରା କରି କୁଆଡ଼େ ଗାଏବ ହୋଇଗଲା। ଏହି କାରଣରୁ ସେଠାରେ ରହୁଥିବା ଲୋକଙ୍କୁ ନିୟମିତ ବିଜୁଳି ସଂଯୋଗ ମିଳିପାରୁନି। ଶୁଣାଣୀ ବେଳେ ପଞ୍ଜାବ ଷ୍ଟେଟ ପାଓ୍ୱାର କର୍ପୋରେସନ ଲିମିଟେଡ୍ କହିଥିଲା କି, ଯଦି ଲୋକମାନେ ସାମୂହିକ ଭାବେ ୪.୪୪କୋଟି ଟଙ୍କା ଜମା କରିବେ। ତାହେଲେ ଯାଇ ବିଜୁଳି ସଂଯୋଗ ଜାରି ଦିଆଯାଇପାରିବ। ଏହା ବ୍ୟତୀତ ୪୩.୫୫ ଲକ୍ଷ ଟଙ୍କାର ଅତିରିକ୍ତ ଦଣ୍ଡାତ୍ମକ ରାଶି ବି ଦେୟ ପୈଠ କରିବାକୁ ହେବ। ଆସୋସିଏସନ ପକ୍ଷରୁ କୁହାଯାଇଥିଲା, ୯ଶହ ଫ୍ଲାଟରୁ ପ୍ରାୟ ୭ଶହ ଫ୍ଲାଟରେ କାମ ହୋଇସାରିଛି। ପ୍ରାୟ ୧୨୫ ଫ୍ଲାଟରେ ପୂର୍ବରୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଏମିତି ସ୍ଥିତିରେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନୁହେଁ। ହାଇକୋର୍ଟ କହିଛନ୍ତି, ଲୋକେ ନିଜ ଜୀବନତମାମ ପୁଞ୍ଜିକୁ ଘର କିଣିବାରେ ଲଗାଇଦେଲେ। ହେଲେ ବିଲଡରର ଭୁଲ ଲାଗି ଲୋକେ କାହିଁକି ଭୋଗିବେ। ଏହା ସହ ଟିପ୍ପଣୀ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ବି ଦାୟିତ୍ୱ ଥିଲା। ବିଲଡରର ଲାଇସେନ୍ସ ଓ ଅନୁମତି ଅବଧିକୁ ରଦ୍ଦ କରି ତତ୍କାଳ ପ୍ରଭାବୀ କରିବାର ଥିଲା। ଜଷ୍ଟିସ ସଞ୍ଜୟ ବଶିଷ୍ଟ କହିଛନ୍ତି, ବହୁ ଲୋଭନୀୟ ଓ ଆକର୍ଷଣୀୟ ଯୋଜନା ଦେଖାଇ ଲୋକଙ୍କୁ କୋଟି କୋଟି ଟଙ୍କା ନିବେଶ କରିବାକୁ ବିଲଡର ସ୍ୱପ୍ନ ଦେଖାନ୍ତି। ଟଙ୍କା ନେବା ପରେ ପ୍ରକଳ୍ପକୁ ଅଧପନ୍ତରିଆ କରି ଗାଏବ ହୋଇଯାଆନ୍ତି। ଯେଉଁଥିରେ ବିନା ଭୁଲରେ କ୍ରେତା ହଇରାଣ ହୁଅନ୍ତି। ଏ ମାମଲାର ଆଗାମୀ ଶୁଣାଣୀ ଜୁନ୍ ୧୯ରେ ହେବ। ସେପର୍ଯ୍ୟନ୍ତ ଅନ୍ତରୀଣ ବ୍ୟବସ୍ଥା ଆଧାରରେ ପ୍ରତି କ୍ରେତାଙ୍କୁ ସାମାନ୍ୟ ଶୁଳ୍କ ସହ ୨୦ହଜାର ଟଙ୍କା ଜମା କରି ବିଜୁଳି ସଂଯୋଗ ନେଇପାରିବେ। ତେବେ ଏ ବ୍ୟବସ୍ଥା କେବଳ ଅସ୍ଥାୟୀ ରୂପେ ବୋଲି ସ୍ପଷ୍ଟ କରିଛନ୍ତି ଅଦାଲତ। ଉପଭୋକ୍ତାଙ୍କୁ ବାସ୍ତବିକ ବିଜୁଳି ବ୍ୟବହାର ଅନୁସାରେ ବିଲ୍ ଦେବାକୁ ପଡ଼ିବ। ଏହି ସାମୟିକ ବ୍ୟବସ୍ଥା ଆଧାରରେ ସ୍ଥାୟୀ ବିଜୁଳି କନେକ୍ସନ ଦିଆଯିବ ବୋଲି ବିବେଚନା କରାଯିବନି।
