ଜମି ବିବାଦରେ ୟୁସୁଫ ପଠାନ୍
କୌଣସି ବ୍ୟକ୍ତି ସେଲିବ୍ରିଟି କିମ୍ୱା ପ୍ରସିଦ୍ଧ ହୋଇଥିଲେ ମଧ୍ୟ ଆଇନ ସମସ୍ତଙ୍କ ପାଇଁ ସମାନ। ସାର୍ବଜନୀନ ସମ୍ପତ୍ତିର ଆବଣ୍ଟନ ସ୍ୱଚ୍ଛ ପ୍ରକ୍ରିୟା ଏବଂ ସାଧାରଣତଃ ନିଲାମ ମାଧ୍ୟମରେ ହେବା ଦରକାର

ପୂର୍ବତନ ଭାରତୀୟ କ୍ରିକେଟର ଏବଂ ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ ପଠାନ କେତେବେଳେ ରାଜନୈତିକ ବିବାଦରେ ଫସିଛନ୍ତି ତ କେତେବେଳେ ଆଇନଗତ ବିବାଦରେ। ଭଦୋଦରାର ଏକ ସରକାରୀ ଜମି ଦଖଲ ମାମଲାରେ ଗୁଜରାଟ ହାଇକୋର୍ଟ ୟୁସୁଫ ପଠାନଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି। ଭଦୋଦରାର ତାଣ୍ଡଲଜା ଅଞ୍ଚଳରେ ଥିବା ଏକ ମ୍ୟୁନିସିପାଲ କର୍ପୋରେସନ ଜମିକୁ ନେଇ ଏହି ବିବାଦ ଉଠିଛି। ୨୦୧୨ ମସିହାରେ ୟୁସୁଫ ପଠାନ ଜମିକୁ ନିଜ ନାଁରେ ଆବଣ୍ଟନ କରିବା ପାଇଁ ଭଦୋଦରା ମହାନଗର ନିଗମ ନିକଟରେ ଆବେଦନ କରିଥିଲେ। ନିଗମ ପକ୍ଷରୁ କିଛି ପ୍ରସ୍ତାବ ପାସ୍ ହୋଇଥିଲେ ମଧ୍ୟ ଏହା ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ ଥିଲା। କିନ୍ତୁ ୨୦୧୪ରେ ଗୁଜରାଟ ସରକାର ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ସରକାରଙ୍କ ଅନୁମୋଦନ ମିଳିନଥିବା ସତ୍ତ୍ୱେ ୟୁସୁଫ ଉକ୍ତ ଜମିକୁ ଦଖଲରେ ରଖିଥିଲେ ଏବଂ ସେଠାରେ ଏକ ବାଉଣ୍ଡାରୀ ୱାଲ୍ ନିର୍ମାଣ କରିଥିଲେ। ହାଇକୋର୍ଟ କହିଥିଲେ, ବିନା ଆଇନଗତ ପ୍ରକ୍ରିୟା ପୂରଣରେ ସେ ଜମିକୁ କେମିତି ଦଖଲ ନେଲ। ଆଉ ମହାନଗର ନିଗମ ଅଧିକାରୀ ବି କେମିତି ଏ ଦଖଲକୁ ବର୍ଷ ବର୍ଷ ଧରି ପ୍ରଶ୍ରୟ ଦେଉଥିଲେ। ହାଇକୋର୍ଟ କହିଛନ୍ତି ଯେ, କୌଣସି ବ୍ୟକ୍ତି ସେଲିବ୍ରିଟି କିମ୍ୱା ପ୍ରସିଦ୍ଧ ହୋଇଥିଲେ ମଧ୍ୟ ଆଇନ ସମସ୍ତଙ୍କ ପାଇଁ ସମାନ। ସାର୍ବଜନୀନ ସମ୍ପତ୍ତିର ଆବଣ୍ଟନ ସ୍ୱଚ୍ଛ ପ୍ରକ୍ରିୟା ଏବଂ ସାଧାରଣତଃ ନିଲାମ ମାଧ୍ୟମରେ ହେବା ଦରକାର। ନିଗମ ବିବାଦୀୟ ଜମିକୁ ପୁନର୍ବାର ନିଜ ଅଧୀନକୁ ନେବା ପାଇଁ ପଦକ୍ଷେପ ଜାରି ରଖିଛି। ୟୁସୁଫ ପଠାନଙ୍କ ପକ୍ଷରୁ ମଧ୍ୟ ଆଇନଗତ ଲଢ଼େଇ ଚାଲିଛି। ଏହି ମାମଲା ଗୁଜରାଟରେ ଏବେ ଏକ ଚର୍ଚ୍ଚିତ ରାଜନୈତିକ ଓ ଆଇନଗତ ପ୍ରସଙ୍ଗ ଭାବେ ଉଭା ହୋଇଛି। ୨୦୨୫ରେ ବି ଗୁଜରାଟ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଜମି ଆବଣ୍ଟନ ଖାରଜ ନିଷ୍ପତ୍ତିକୁ ବୈଧ ବୋଲି ମାନିଥିଲେ। କୋର୍ଟ ସ୍ପଷ୍ଟ କରିଥିଲେ ଯେ, କୌଣସି ବୈଧ ଆବଣ୍ଟନ ଆଦେଶ ନଥିବାରୁ ଦୀର୍ଘଦିନ ଧରି ଜମି ଦଖଲରେ ରହିଲେ ମଧ୍ୟ କୌଣସି ଆଇନଗତ ଅଧିକାର ସୃଷ୍ଟି ହୁଏ ନାହିଁ। କୋର୍ଟ ତାଙ୍କୁ ‘ଅନଧିକୃତ ଦଖଲକାରୀ’ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ। ଗୁଜୁରାଟର ଏହି ବିବାଦୀୟ ଜମି ବଡୋଦରା ଅଞ୍ଚଳରେ ଥିବା ପଠାନଙ୍କ ବଙ୍ଗଳା ନିକଟରେ ଅବସ୍ଥିତ ୯୭୮ ବର୍ଗ ମିଟରର ଏକ ଖାଲି ଆବାସିକ ପ୍ଲଟ୍। ୨୦୧୨ ମସିହାରେ ପରିବାରର ସୁରକ୍ଷା ଦୃଷ୍ଟିରୁ ୟୁସୁଫ ଏହି ଜମିକୁ ବଜାର ଦରରେ ତାଙ୍କୁ ବଣ୍ଟନ କରିବାକୁ ଆବେଦନ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୧୫ରେ ହେବ। ଦଖଲ କରାଯାଇଥିବା ଜମି ପାଇଁ କ୍ଷତିପୂରଣ ବାବଦକୁ ଭଡ଼ା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମୁଖ୍ୟ ବିଚାରପତି ସୁନିତା ଅଗ୍ରୱାଲ ଏବଂ ଡି.ଏନ୍ ରଏଙ୍କ ଖଣ୍ଡପୀଠ ପଠାନଙ୍କ ଆବେଦନ ଉପରେ ଶୁଣାଣି କରି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୧୫ ପାଇଁ ଧାର୍ଯ୍ୟ କରିଛନ୍ତି।
