ଲଣ୍ଡନରେ ସିଜେଆଇଙ୍କୁ କକ୍ରୋଚ ପ୍ରଶ୍ନ!
ଲେକଚର ଦେବାକୁ ଜଷ୍ଟିସ ସୂର୍ଯ୍ୟକାନ୍ତ ଯାଇଥିଲା ବେଳେ କିଛି ଲୋକ କକ୍ରୋଚ ମନ୍ତବ୍ୟ ବାବଦରେ ପଚାରିବାରୁ ମଡେରଟର ପ୍ରଶ୍ନୋତ୍ତରକୁ କାଣ୍ଟଛାଣ୍ଟ କରି କାର୍ଯ୍ୟକ୍ରମ ସାରିବାକୁ ବାଧ୍ୟ ହୋଇଥିଲେ। ଲଣ୍ଡନର ବିରବେକ୍ ୟୁନିଭରସିଟିରେ ଏହି ଲେକଚର ଥିଲା।

ଲଣ୍ଡନରେ କକ୍ରୋଚ। ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ କକ୍ରୋଚ ମନ୍ତବ୍ୟକୁ ନେଇ ଲଣ୍ଡନରେ ପ୍ରଶ୍ନ। ତା ପୁଣି ସିଜେଆଇଙ୍କୁ। ଏଆଇ ଓ ଇଣ୍ଟରନାସନାଲ ଲ ବାବଦରେ ଏକ ଲେକଚର ଦେବାକୁ ଜଷ୍ଟିସ ସୂର୍ଯ୍ୟକାନ୍ତ ଯାଇଥିଲା ବେଳେ କିଛି ଲୋକ କକ୍ରୋଚ ମନ୍ତବ୍ୟ ବାବଦରେ ପଚାରିବାରୁ ମଡେରଟର ପ୍ରଶ୍ନୋତ୍ତରକୁ କାଣ୍ଟଛାଣ୍ଟ କରି କାର୍ଯ୍ୟକ୍ରମ ସାରିବାକୁ ବାଧ୍ୟ ହୋଇଥିଲେ। ଲଣ୍ଡନର ବିରବେକ୍ ୟୁନିଭରସିଟିରେ ଏହି ଲେକଚର ଥିଲା। ଲଣ୍ଡନରେ ଭାରତୀୟ ନ୍ୟାୟପାଳିକା ଓ ଲୋକତନ୍ତ୍ର ସମ୍ପର୍କିତ ଏକ ଆଲୋଚନା ସମୟରେ CJIଙ୍କୁ ଏହି “Cockroach” ବିବାଦ ବିଷୟରେ ପ୍ରଶ୍ନ କରାଯାଇଥିଲା। ଆଲୋଚକମାନେ ପଚାରିଥିଲେ ଯେ ଜଣେ ଉଚ୍ଚ ସାମ୍ୱିଧାନିକ ପଦବୀରେ ଥିବା ବ୍ୟକ୍ତି ଏଭଳି ଶବ୍ଦ ବ୍ୟବହାର କରିବା କେତେଦୂର ଯୁକ୍ତିସଙ୍ଗତ। ଏହି ଘଟଣା ଆନ୍ତର୍ଜାତିକ ମଞ୍ଚରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ସିଜେଆଇଙ୍କ ମନ୍ତବ୍ୟକୁ ନେଇ ଦେଶରେ ଯେପରି ବିବାଦ ସୃଷ୍ଟି ହୋଇଥିଲା, ତାହାର ପ୍ରତିଧ୍ୱନି ବିଦେଶରେ ମଧ୍ୟ ଶୁଣିବାକୁ ମିଳିଛି। ୟୁକେର ଏକ କାର୍ଯ୍ୟକ୍ରମ ସମୟରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ଏହି ବିବାଦୀୟ ମନ୍ତବ୍ୟ ସମ୍ପର୍କରେ ପ୍ରଶ୍ନ କରାଯାଇଥିବା ଖବର ସାମ୍ନାକୁ ଆସିଛି। ଏହା ପୁଣିଥରେ ନ୍ୟାୟପାଳିକା, ଯୁବବର୍ଗ ଓ ମତପ୍ରକାଶ ସ୍ୱାଧୀନତାକୁ ନେଇ ଚର୍ଚ୍ଚାକୁ ତୀବ୍ର କରିଛି। ମେ ୧୫ ତାରିଖରେ ସୁପ୍ରିମକୋର୍ଟର ଏକ ଶୁଣାଣି ସମୟରେ CJI ସୂର୍ଯ୍ୟକାନ୍ତ କିଛି ଲୋକଙ୍କୁ ଉଦ୍ଦେଶ୍ୟ କରି କହିଥିଲେ ଯେ “କିଛି ଯୁବକ ଚାକିରି ପାଆନ୍ତି ନାହିଁ, ପରେ ସେମାନେ ମିଡିଆ, ସୋସିଆଲ ମିଡିଆ କିମ୍ୱା RTI କାର୍ଯ୍ୟକର୍ତ୍ତା ହୋଇ ସିଷ୍ଟମ୍କୁ ଆକ୍ରମଣ କରନ୍ତି।” ଏହି ମନ୍ତବ୍ୟରେ “cockroaches” ଏବଂ “parasites” ଭଳି ଶବ୍ଦ ବ୍ୟବହାର ହୋଇଥିବା ଖବର ପ୍ରକାଶ ପାଇବା ପରେ ବ୍ୟାପକ ସମାଲୋଚନା ଆରମ୍ଭ ହୋଇଥିଲା। ଏହି ମନ୍ତବ୍ୟ ପରେ ଅନେକ ଯୁବକ ଓ ସାମାଜିକ କର୍ମୀ ଅସନ୍ତୋଷ ପ୍ରକାଶ କରିଥିଲେ। କ୍ଷମତା ଦାୟିତ୍ୱବୋଧ ଶିଖାଏ ଓ କର୍ତ୍ତୃତ୍ୱ ଉତ୍ତରଦାୟିତ୍ୱ ଶିଖାଏ ବୋଲି ଚର୍ଚ୍ଚା ହେଲା। “Cockroach Janta Party (CJP)” ନାମରେ ଏକ ଅନଲାଇନ ଆନ୍ଦୋଳନ ମଧ୍ୟ ଆରମ୍ଭ ହୋଇଥିଲା। ଏହି ଗୋଷ୍ଠୀ ବେରୋଜଗାରି, ଶିକ୍ଷା ବ୍ୟବସ୍ଥା ଓ ଯୁବ ସମସ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ କରି ଅଭିଯାନ ଚଳାଇଥିଲା। ବିବାଦ ବଢ଼ିବା ପରେ CJI ସୂର୍ଯ୍ୟକାନ୍ତ ସ୍ପଷ୍ଟ କରିଥିଲେ ଯେ ତାଙ୍କ ମନ୍ତବ୍ୟ ସାଧାରଣ ବେରୋଜଗାର ଯୁବକଙ୍କ ବିରୋଧରେ ନଥିଲା। ସେ କହିଥିଲେ ଯେ ତାଙ୍କ ଆଲୋଚନାର ଲକ୍ଷ୍ୟ ଥିଲେ ସେହି ବ୍ୟକ୍ତିମାନେ, ଯେଉଁମାନେ ନକଲି କିମ୍ୱା ଜାଲି ଡିଗ୍ରୀ ବ୍ୟବହାର କରି ବୃତ୍ତିଗତ କ୍ଷେତ୍ରରେ ପ୍ରବେଶ କରୁଛନ୍ତି। ଗଣମାଧ୍ୟମ ତାଙ୍କ ମନ୍ତବ୍ୟକୁ ଭୁଲ ଭାବରେ ପ୍ରଚାର କରିଥିବା ସେ ଅଭିଯୋଗ କରିଥିଲେ।
