ଆଜି ଦେବଦମ୍ପତିଙ୍କ ଦିବ୍ୟ ବିବାହ, ଶୀତଳଷଷ୍ଠୀରେ ଝୁମିବ ସମ୍ବଲପୁର
ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ସବୁଠୁ ପ୍ରତୀକ୍ଷିତ ପର୍ବ ଶିବ-ପାର୍ବତୀଙ୍କ ବିବାହ ଆଜି ଅନୁଷ୍ଠିତ ହେବ। ଭବ୍ୟ ବରଯାତ୍ରା, ଲୋକନୃତ୍ୟ, ବାଜା, ବାଣ ଓ ରୋଷଣୀରେ ଉତ୍ସବମୁଖର ହେବ ସାରା ସହର। ବୈଦିକ ରୀତିନୀତି ଅନୁସାରେ ସମ୍ପନ୍ନ ହେବ ଦେବଦମ୍ପତିଙ୍କ ବିବାହ।

ସମ୍ବଲପୁରର ଐତିହ୍ୟବାହୀ ଶୀତଳଷଷ୍ଠୀ ଯାତ୍ରାରେ ଆଜି ସବୁଠୁ ବଡ଼ ଓ ଆକର୍ଷଣୀୟ ମୁହୂର୍ତ୍ତ। ଆଜି ଲୋକାଚାର ଓ ବୈଦିକ ପରମ୍ପରା ଅନୁସାରେ ଦେବାଦିଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଭବ୍ୟ ବରଯାତ୍ରା, ଲୋକକଳା, ରୋଷଣୀ ଓ ବାଜାର ତାଳେ ତାଳେ ଉତ୍ସବମୁଖର ହୋଇଉଠିବ ସମ୍ବଲପୁର ସହର। ଆଜି ରାତିରେ ସମ୍ବଲପୁରର ବିଭିନ୍ନ ଶିବାଳୟରୁ ବର ବେଶରେ ସଜ୍ଜିତ ହୋଇ ବାହାରିବେ ଭୋଲାବାବା। ବନ୍ଦାପଣା ଓ ଆଳତି ପରେ ସ୍ୱର୍ଣ୍ଣ ଓ ରୂପା ଅଳଙ୍କାରରେ ଭୂଷିତ ହୋଇ ବିମାନରେ ବିରାଜମାନ କରିବେ ମହାଦେବ। ଶତାଧିକ କଳାକାରଙ୍କ ଲୋକଗୀତ, ଲୋକନୃତ୍ୟ, ଆଧୁନିକ ନୃତ୍ୟ, ବାଜା, ବାଣ ଓ ଆକର୍ଷଣୀୟ ରୋଷଣୀରେ ଝଲସିବ ବିବାହ ଶୋଭାଯାତ୍ରା। କନ୍ୟାଘରେ ପହଞ୍ଚିବା ପରେ ବରଯାତ୍ରୀଙ୍କୁ ପାରମ୍ପରିକ ଓ ବୈଦିକ ରୀତିରେ ସ୍ୱାଗତ କରାଯିବ। ଏହାପରେ ସମସ୍ତ ଲୋକାଚାର ଓ ବୈଦିକ ବିଧି ଅନୁଯାୟୀ ମହାଦେବ ଓ ମା’ ପାର୍ବତୀଙ୍କ ଦିବ୍ୟ ବିବାହ ସମ୍ପନ୍ନ ହେବ। ଏହାପୂର୍ବରୁ ଗତକାଲି 'ହନୁମାନ ନିଉତା' ଓ 'ସାକ୍ଷୀଗୋପୀନାଥ ନିମନ୍ତ୍ରଣ' କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ପରମ୍ପରା ଅନୁସାରେ ପ୍ରଭୁ ହନୁମାନ ସହରର ବିଭିନ୍ନ ଦେବଦେବୀଙ୍କ ମନ୍ଦିରକୁ ଯାଇ ଶିବ ବିବାହ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ। ସେହିପରି ବାବା ବାଲୁଙ୍କେଶ୍ୱର ଓ ମାତା ପାର୍ବତୀଙ୍କ ବିବାହରେ ସାକ୍ଷୀ ରହିବା ପାଇଁ ସାକ୍ଷୀଗୋପୀନାଥଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଶତାବ୍ଦୀ ପୁରୁଣା ପରମ୍ପରା, ଧାର୍ମିକ ଆସ୍ଥା ଓ ଲୋକସଂସ୍କୃତିର ଅନନ୍ୟ ସମନ୍ୱୟ ହେଉଛି ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା। ଦେବଦମ୍ପତିଙ୍କ ଦିବ୍ୟ ବିବାହକୁ ନେଇ ଆଜି ସମ୍ବଲପୁରରେ ସୃଷ୍ଟି ହୋଇଛି ଉତ୍ସବର ମାହୋଲ, ଯେଉଁଠାରେ ଭକ୍ତି, ପରମ୍ପରା ଓ ସଂସ୍କୃତିର ଅପୂର୍ବ ସଙ୍ଗମ ଦେଖିବାକୁ ମିଳିବ।
