ସାଲେପୁରରେ ଲଗାଣ ବର୍ଷା। ଚାଷଜମି ଜଳମଗ୍ନ, ଧାନ ଫସଲ ନଷ୍ଟ ଆଶଙ୍କା
କଟକ ଜିଲ୍ଲା ସାଲେପୁର ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷଜମି ଜଳମଗ୍ନ। ଧାନ ତଳି ଓ ରୁଆ ଧାନ ନଷ୍ଟ ଆଶଙ୍କା, ସ୍ଥାୟୀ ସମାଧାନ ଦାବି କଲେ ଚାଷୀ।
S
By Subhadra DasPublished: Jul 29, 2026, 11:33 AM •1 min read •6 Views
ସାଲେପୁର: ଲଘୁଚାପ ଜନିତ ଲଗାଣ ବର୍ଷା କଟକ ଜିଲ୍ଲା ସାଲେପୁର ବ୍ଲକର ଚାଷୀମାନଙ୍କ ପାଇଁ ଚିନ୍ତା ବଢ଼ାଇଛି। ଲଗାତାର ବର୍ଷା ଯୋଗୁଁ ଚାଷଜମି ଜଳମଗ୍ନ ହୋଇପଡ଼ିଥିବାରୁ ଧାନ ତଳି ଏବଂ ରୁଆ ହୋଇଥିବା ଧାନ ଫସଲ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି। ସାଲେପୁର ବ୍ଲକର ଛୋଟିନଟରା, ଛୋଟିପଡ଼ା, ମିର୍ଜାପୁର, ମଢ଼ଙ୍ଗା, ମାତନଗର, ରାଇସୁଙ୍ଗୁଡା, କେରଙ୍ଗା, କରମୁଆଁ, ଓରବାରି ଏବଂ ସିଢ଼ୋ ଅଞ୍ଚଳର ଅନେକ ଚାଷଜମିରେ ବର୍ଷା ପାଣି ଲହରି ମାରୁଛି। ଫଳରେ ଚାଷୀମାନଙ୍କ ମଧ୍ୟରେ ଫସଲ ନେଇ ଅନିଶ୍ଚିତତା ଦେଖାଦେଇଛି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଗୋବରୀ ନଦୀ ଉପରେ ଥିବା ପୁରୁଣା ପୋଲ ତଳେ ଦଳ ଜମି ରହିବା ସହ ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ପୋତାଯାଇଥିବା ଘେରିବନ୍ଧ ଯୋଗୁଁ ପାଣିର ସ୍ୱାଭାବିକ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ଫଳରେ, ସାମାନ୍ୟ ବର୍ଷାରେ ଚାଷଜମି ଜଳମଗ୍ନ ହେଉଥିବା ସେମାନେ କହିଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି।
S
Subhadra DasContent Writer
Comments0
Leave a Reply
Loading comments...
