Russian Woman: ପ୍ରେମ ପାଇଁ ରୁଷରୁ ବିହାର!
ହଜାର ହଜାର କିଲୋମିଟର ଡେଇଁ ପ୍ରେମିକ ପାଖରେ ପହଞ୍ଚିଲେ ରୁଷୀୟ ଯୁବତୀ, ପ୍ରେମ ଆଗରେ ହାର ମାନିଲା ଧନସମ୍ପତ୍ତି! ବିହାରର ରାହୁଲଙ୍କୁ ବାହା ହେବେ ଜୁଲି।
ବିହାର: ପ୍ରେମ ମାନେ ନା ଧନସମ୍ପତ୍ତିର ମୋହ, ନା ଦେଶ ବିଦେଶର ସୀମା! ଏହାକୁ ସତ କରି ଦେଖାଇଛନ୍ତି ରୁଷର ଜଣେ ଯୁବତୀ। ନିଜ ପ୍ରେମିକଙ୍କୁ ଜୀବନସାଥୀ କରିବା ପାଇଁ ହଜାର ହଜାର କିଲୋମିଟର ଦୂର ରୁଷରୁ ବିହାରର ଭାଗଲପୁରରେ ପହଞ୍ଚିଛନ୍ତି ଜୁଲି। ପ୍ରେମିକ ରାହୁଲ ଯାଦବଙ୍କ ଘରର ଅବସ୍ଥା ଦେଖିବା ପରେ ମଧ୍ୟ ବିବାହ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ସେ। ଏବେ ଏହି ନିଆରା ପ୍ରେମ କାହାଣୀ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟୁଛି। ସୂଚନା ଅନୁସାରେ, ଚାକିରି ପାଇଁ ରୁଷ ଯାଇଥିବା ବିହାରର ରାହୁଲ ଯାଦବଙ୍କ ସହ ସେଠାରେ ଜୁଲିଙ୍କ ପରିଚୟ ହୋଇଥିଲା। ଧୀରେ ଧୀରେ ଏହି ପରିଚୟ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ପ୍ରାୟ ୬ ମାସ ତଳେ ରାହୁଲ ନିଜ ଘରକୁ ଫେରି ଆସିଥିଲେ। ହେଲେ ଦୂରତା ଉଭୟଙ୍କ ପ୍ରେମରେ ପ୍ରତିବନ୍ଧକ ସାଜିପାରିନଥିଲା। ଶେଷରେ ଜୁଲି ନିଜ ପରିବାର ସହ ଭାରତ ଆସି ରାହୁଲଙ୍କ ନିକଟରେ ପହଞ୍ଚିଥିଲେ। ରାହୁଲ ତାଙ୍କୁ ନିଜ ଘରକୁ ନେଇଥିଲେ। ରାହୁଲଙ୍କ ପରିବାର ଆର୍ଥିକ ଅନଟନ ମଧ୍ୟରେ ରହୁଥିବା ବେଳେ ତାଙ୍କ ଘରର ଅବସ୍ଥା ମଧ୍ୟ ଭଲ ନାହିଁ। କିନ୍ତୁ ଏସବୁ ସତ୍ତ୍ୱେ ରାହୁଲଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଜୁଲି। ସୋସିଆଲ ମିଡିଆ ସୂଚନା ଅନୁସାରେ, ରାହୁଲ ଓ ଜୁଲିଙ୍କ ପରିବାର ଏହି ବିବାହ ପାଇଁ ସମ୍ମତି ଦେଇଥିବା କୁହାଯାଉଛି। ଆସନ୍ତା ନଭେମ୍ବରରେ ଉଭୟଙ୍କ ବିବାହ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ବିବାହ ତାରିଖ ସମ୍ପର୍କରେ କୌଣସି ସ୍ୱାଧୀନ ଭାବେ ଯାଞ୍ଚ ହୋଇଥିବା ସୂଚନା ଉପଲବ୍ଧ ନାହିଁ।
ଏହି ପ୍ରେମ କାହାଣୀକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି। ଅନେକ ୟୁଜର ଜୁଲିଙ୍କ ନିଷ୍ପତ୍ତିକୁ ପ୍ରଶଂସା କରି କହୁଛନ୍ତି, ପ୍ରକୃତ ପ୍ରେମ ଧନସମ୍ପତ୍ତି ଦେଖେନାହିଁ। ଅନ୍ୟପଟେ କିଛି ୟୁଜର ତାଙ୍କ ଭାରତ ଆସିବା ପଛରେ ଅନ୍ୟ ଉଦ୍ଦେଶ୍ୟ ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି।
ବର୍ତ୍ତମାନ ରାହୁଲ ଓ ଜୁଲିଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଜାରି ରହିଛି। ପ୍ରେମ ପାଇଁ ରୁଷରୁ ବିହାର ଆସିଥିବା ଜୁଲିଙ୍କ ଏହି ନିଷ୍ପତ୍ତି ଆଗାମୀ ଦିନରେ ବିବାହର ରୂପ ନେଉଛି କି ନାହିଁ, ତାହା ଉପରେ ରହିଛି ସମସ୍ତଙ୍କ ନଜର।
