Double Bomb Attack : ରକ୍ତରଞ୍ଜିତ ୟୁକ୍ରେନ, ଶାନ୍ତି ପାଇଁ ଶେଷ ଆଶା
ମୃତ୍ୟୁର ତାଣ୍ଡବ ରଚିଲା ରୁଷିଆ! ସହାୟତା କେନ୍ଦ୍ରରେ ଦୁଇଥର ବୋମାମାଡ଼, ୨୬ ମୃତ ଓ ୨୭ ନିଖୋଜ… ଏବେ କ’ଣ ହେବ ୟୁକ୍ରେନର ପରବର୍ତ୍ତୀ ପଦକ୍ଷେପ? ଆବୁଧାବି ଶାନ୍ତି ଆଲୋଚନାରେ ଶେଷ ହେବ କି ଯୁଦ୍ଧ?

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଜାପୋରିଝିଆ ଅଞ୍ଚଳର କୋମିଶୁଭାଖା ଗ୍ରାମରେ ଥିବା ଏକ ମାନବିକ ସହାୟତା କେନ୍ଦ୍ର ଉପରେ ରୁଷିଆର ବୋମାମାଡ଼ରେ ଅତି କମ୍ରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ବେଳେ ୨୭ ଜଣ ନିଖୋଜ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଯୁଦ୍ଧର ଅନ୍ତ ଘଟାଇବା ପାଇଁ ନଭେମ୍ବର ୧୦ ଓ ୧୧ ତାରିଖରେ ଆବୁଧାବିଠାରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି।
ସହାୟତା କେନ୍ଦ୍ରକୁ ଟାର୍ଗେଟ୍ କରି ଦୁଇଥର ବୋମାମାଡ଼
ଜାପୋରିଝିଆ ଅଞ୍ଚଳର କୋମିଶୁଭାଖା ଗ୍ରାମର ଏକ ବିଦ୍ୟାଳୟରେ ଏହି ସହାୟତା କେନ୍ଦ୍ର ଚାଲୁଥିଲା। ଯୁଦ୍ଧର ଅଗ୍ରଭାଗ ନିକଟରେ ଗ୍ରାମଟି ଅବସ୍ଥିତ ଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲଟିକୁ ବନ୍ଦ ରଖାଯାଇଥିଲା। ତେବେ ଏହାକୁ ସ୍ଥାନୀୟ ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀ ଓ ମାନବିକ ସହାୟତା ସାମଗ୍ରୀ ବଣ୍ଟନ କେନ୍ଦ୍ର ଭାବେ ବ୍ୟବହାର କରାଯାଉଥିଲା। ପ୍ରତି ସପ୍ତାହରେ ସ୍ଥାନୀୟ ବାସିନ୍ଦାମାନେ ଏଠାକୁ ଆସି ସହାୟତା ସାମଗ୍ରୀର ପ୍ୟାକେଟ୍ ନେଉଥିଲେ। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ତାଙ୍କ ରାତ୍ରିକାଳୀନ ସମ୍ବୋଧନରେ କହିଛନ୍ତି ଯେ, ଲୋକମାନେ ସେଠାରେ ପହଞ୍ଚିବା ମାତ୍ରେ ରୁଷିଆ ପକ୍ଷରୁ ପ୍ରଥମେ ଏୟାର ବୋମାମାଡ଼ କରାଯାଇଥିଲା। ପରେ ଦ୍ୱିତୀୟ ଥର ଆକ୍ରମଣ କରାଯାଇ ଆଶ୍ରୟସ୍ଥଳୀକୁ ଟାର୍ଗେଟ୍ କରାଯାଇଥିଲା। ଏହା ଏକ ଘୃଣ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି ସେ କହିଛନ୍ତି। ଜେଲେନସ୍କି ଆହୁରି କହିଛନ୍ତି ଯେ, ଗ୍ରାମରେ ରହୁଥିବା ଲୋକମାନେ ପ୍ରତି ସପ୍ତାହରେ ମାନବିକ ସହାୟତା ନେବା ପାଇଁ ଏଠାରେ ଏକାଠି ହେଉଥିବା କଥା ରୁଷିଆ ଅଜଣା ଥିଲା ବୋଲି କୁହାଯାଇପାରିବ ନାହିଁ।
ମୃତକଙ୍କ ମଧ୍ୟରେ ୨ ଉଦ୍ଧାରକାରୀ, ୪ ପୋଲିସ
ୟୁକ୍ରେନର ଜରୁରୀକାଳୀନ ସେବା ବିଭାଗର ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ଉଦ୍ଧାରକାରୀ ଦଳର ୨ ଜଣ ସଦସ୍ୟ ଓ ୪ ଜଣ ପୋଲିସ କର୍ମଚାରୀ ଅଛନ୍ତି। ଆହତ ୫ ଜଣଙ୍କ ମଧ୍ୟରେ ୨ ଜଣ ଉଦ୍ଧାରକାରୀ କର୍ମଚାରୀ ରହିଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଜାପୋରିଝିଆ ନଗର ପରିଷଦର ସଚିବ ରେଜିନା ଖାରଚେଙ୍କୋଙ୍କ ସୂଚନା ଅନୁଯାୟୀ, ୨୭ ଜଣ ନିଖୋଜ ଅଛନ୍ତି। ଧ୍ୱଂସାବଶେଷ ତଳେ ଲୋକମାନେ ଫସି ରହିଥିବା ଆଶଙ୍କା କରି ପୋଲିସ ଓ ଉଦ୍ଧାରକାରୀ ଦଳ ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ରୁଷିଆର ବଡ଼ ଆକ୍ରମଣ ଆଶଙ୍କା, ଚେତାବନୀ ଦେଲେ ଜେଲେନସ୍କି
ଏହି ଆକ୍ରମଣ ମଧ୍ୟରେ ରୁଷିଆ ଆଗକୁ ଆହୁରି ବଡ଼ ଧରଣର ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଥିବା ନେଇ ଚେତାବନୀ ଦେଇଛନ୍ତି ଜେଲେନସ୍କି। ୟୁକ୍ରେନୀୟ ଗୁଇନ୍ଦା ବିଭାଗ ରୁଷିଆର ଶକ୍ତି ଓ ଲଜିଷ୍ଟିକ୍ ନେଟୱର୍କ ଉପରେ ନଜର ରଖିଥିବା ସେ କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଜେଲେନସ୍କି କହିଛନ୍ତି ଯେ, ଆମେରିକାର ମଧ୍ୟାବଧି ନିର୍ବାଚନ ସମୟରେ ବିଶ୍ୱର ଧ୍ୟାନ ଅନ୍ୟ ଦିଗରେ ରହିବାର ସୁଯୋଗ ନେଇ ମସ୍କୋ ବଡ଼ ଆକ୍ରମଣ କରିପାରେ। ଏହାଦ୍ୱାରା ୟୁକ୍ରେନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଓ ପ୍ୟାଟ୍ରିଅଟ୍ ମିସାଇଲ୍ର ଅଭାବ ସମସ୍ୟା ପ୍ରତି ବିଶ୍ୱର ଧ୍ୟାନ କମିଯାଇପାରେ। ଏହି ଯୁଦ୍ଧ ଶେଷ କରିବା ପାଇଁ ରୁଷିଆ ଉପରେ ଆମେରିକା ଅଧିକ ଚାପ ପକାଇବାକୁ ସେ ଅନୁରୋଧ କରିଛନ୍ତି।
ନଭେମ୍ବର ୧୦ ଓ ୧୧ରେ ଆବୁଧାବିରେ ଶାନ୍ତି ଆଲୋଚନା
ଅନ୍ୟପକ୍ଷରେ, ଆକ୍ରମଣର କିଛି ଘଣ୍ଟା ପରେ ଆମେରିକାର ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ ନୂଆ ଶାନ୍ତି ଆଲୋଚନା ନେଇ ଘୋଷଣା କରିଛନ୍ତି। ନଭେମ୍ବର ୧୦ ଓ ୧୧ ତାରିଖରେ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିଠାରେ ୟୁକ୍ରେନ ଓ ରୁଷିଆର ପ୍ରତିନିଧିମଣ୍ଡଳ ମଧ୍ୟରେ ଆଲୋଚନା ହେବ। ୱିଟକଫ୍ଙ୍କ କହିବା ଅନୁଯାୟୀ, ଏହି ଆଲୋଚନାରେ ଯୁଦ୍ଧ ପରବର୍ତ୍ତୀ ସୁରକ୍ଷା ବ୍ୟବସ୍ଥା, ଉତ୍ତେଜନା ହ୍ରାସ, ମାନବିକ ସହାୟତା ଓ ଯୁଦ୍ଧର ଅନ୍ତ ଘଟାଇବା ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ। ଗତ ଅକ୍ଟୋବର ୨୧ ତାରିଖରେ ସେଣ୍ଟ ପିଟର୍ସବର୍ଗଠାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଆମେରିକାର ସ୍ୱତନ୍ତ୍ର ଦୂତ ୱିଟକଫ୍ଙ୍କ ମଧ୍ୟରେ ବୈଠକ ପରେ ନୂତନ ତ୍ରିପାକ୍ଷିକ ଆଲୋଚନା ପାଇଁ ପୁଟିନ୍ ସହମତି ପ୍ରକାଶ କରିଥିଲେ।
ରୁଷିଆକୁ ଅନ୍ତର୍ଜାତୀୟ କ୍ରୀଡ଼ାରେ ଫେରାଇବାକୁ ୟୁକ୍ରେନର ବିରୋଧ
ରୁଷିଆକୁ ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚକୁ ପୁନର୍ବାର ଫେରାଇବା ନିଷ୍ପତ୍ତିକୁ ବିରୋଧ କରିଛି ୟୁକ୍ରେନ। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହା କହିଛନ୍ତି ଯେ, ରୁଷିଆକୁ ନିନ୍ଦା କରାଯିବା ସହ ଅନ୍ତର୍ଜାତୀୟ ସ୍ତରରେ ଅଲଗା ରଖାଯିବା ଉଚିତ। କ୍ରୀଡ଼ା ପାଇଁ ମଧ୍ୟସ୍ଥତା ଅଦାଲତ (CAS) ରୁଷିଆକୁ ପ୍ରମୁଖ ଆଇସ୍ ହକି ପ୍ରତିଯୋଗିତାରେ ପୁନଃ ସାମିଲ କରିବା ନେଇ ନିର୍ଦ୍ଦେଶ ଦେବା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।
ଅନ୍ୟ ଅଞ୍ଚଳରେ ମଧ୍ୟ ଡ୍ରୋନ୍ ଆକ୍ରମଣ
ଗତକାଲି ୟୁକ୍ରେନର ଖାର୍କିଭ୍ ଅଞ୍ଚଳରେ ଡ୍ରୋନ୍ ଆକ୍ରମଣରେ ୧୨ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ଏକ ଶୀତଳୀକରଣ କେନ୍ଦ୍ର, ଗ୍ରୀନ୍ହାଉସ୍ ଓ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ସେହିପରି କଳା ସାଗର ଉପକୂଳର ବନ୍ଦର ସହର ଓଡେସାରେ ଏକ ଗୋଦାମ ଉପରେ ଆକ୍ରମଣ ହେବାରୁ ୫ ଜଣ ଆହତ ହୋଇଛନ୍ତି। ନିକଟସ୍ଥ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି |ଅନ୍ୟପକ୍ଷରେ, ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ରାତିସାରା ଏହାର ସେନା ୨୧୨ଟି ୟୁକ୍ରେନୀୟ ଡ୍ରୋନ୍କୁ ଖସାଇ ଦେଇଛି। ରୁଷିଆର ସାମାରା ଅଞ୍ଚଳର ଗଭର୍ଣ୍ଣର ଭ୍ୟାଚେସ୍ଲାଭ୍ ଫେଡୋରିଶ୍ଚେଭ୍ ମଧ୍ୟ ସେଠାରେ ଏକ ଡ୍ରୋନ୍ ଆକ୍ରମଣକୁ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପ୍ରତିହତ କରିଥିବା ଦାବି କରିଛନ୍ତି | ଯୁଦ୍ଧର ଭୟାବହତା ମଧ୍ୟରେ ଶାନ୍ତି ଆଲୋଚନାକୁ ନେଇ ଆଶା ସୃଷ୍ଟି ହୋଇଥିବା ବେଳେ ଆବୁଧାବି ବୈଠକ ଉପରେ ଏବେ ସମଗ୍ର ବିଶ୍ୱର ନଜର।
