Indian sailor killed:ଓମାନ ନିକଟରେ ଭାରତୀୟ ଜାହାଜକୁ ଟାର୍ଗେଟ୍
ଓମାନ ତଟ ନିକଟରେ ଭାରତୀୟ ପତାକା ଥିବା ମାଲବାହୀ ଜାହାଜ ଉପରେ ଆକ୍ରମଣ। ଏଥିରେ ଗୁଜରାଟର ଜଣେ ନାବିକଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ୧୩ ଜଣଙ୍କୁ ଓମାନ କୋଷ୍ଟ ଗାର୍ଡ ସୁରକ୍ଷିତ ଉଦ୍ଧାର କରିଛି |
ଓମାନ ତଟ ନିକଟରେ ଭାରତୀୟ ପତାକା ଲାଗିଥିବା ଏକ ମାଲବାହୀ ଜାହାଜ ଉପରେ ହୋଇଛି ଆକ୍ରମଣ। ଏଥିରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତ ନାବିକ ଜଣକ ଗୁଜରାଟର ବୋଲି ଜଣାପଡ଼ିଛି। କେନ୍ଦ୍ରୀୟ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୋସିଆଲ ମିଡିଆରେ ଏହି ଘଟଣାର ସୂଚନା ଦେଇଛନ୍ତି। ତାଙ୍କ ଅନୁସାରେ, ନଭେମ୍ବର ୨ ତାରିଖରେ ଏମ୍ଏସ୍ଭି ଅଲ୍ ୟୁସୁଫି ନାମକ ମାଲବାହୀ ଜାହାଜରେ ୧୪ ଜଣ ଭାରତୀୟ ନାବିକ ଥିଲେ। ଏହି ସମୟରେ ଏକ ଅଜଣା ଉଡ଼ନ୍ତା ବସ୍ତୁ ଜାହାଜ ଆଡକୁ ତୀବ୍ରଗତିରେ ମାଡିଆସିଥିଲା | ଆକ୍ରମଣ ପରେ ଓମାନ କୋଷ୍ଟ ଗାର୍ଡ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୧୩ ଜଣ ନାବିକଙ୍କୁ ସୁରକ୍ଷିତ ବାହାର କରିଥିଲା। ତେବେ ଗୁଜରାଟର ନାବିକ ଗାନ୍ଧାର ନାହିମ୍ ଅଜିଜ୍ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସୋନୋୱାଲ ସୋସିଆଲ ମିଡିଆ ‘ଏକ୍ସ’ରେ ଶୋକ ପ୍ରକାଶ କରିବା ସହ ମୃତ ନାବିକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମନ୍ତ୍ରଣାଳୟ ଏବଂ ଓମାନସ୍ଥିତ ଭାରତୀୟ ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି। ଉଦ୍ଧାର ହୋଇଥିବା ୧୩ ନାବିକଙ୍କୁ ସମସ୍ତ ପ୍ରକାର ସହାୟତା ଦିଆଯାଉଛି। ମୃତ ନାବିକଙ୍କ ମରଶରୀର ସମେତ ସମସ୍ତଙ୍କୁ ଯଥାଶୀଘ୍ର ଭାରତ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଉଛି। ଅନ୍ୟପଟେ ଆମେରିକା-ଇରାନ ଉତ୍ତେଜନା ଏବଂ ଖାଡ଼ି ଅଞ୍ଚଳରେ ଜାରି ସଂଘର୍ଷ ଯୋଗୁଁ ସମୁଦ୍ର ପଥରେ ଜାହାଜ ଚଳାଚଳ ପ୍ରଭାବିତ ହେଉଛି। ହର୍ମୁଜ୍ ପ୍ରଣାଳୀ ଏହି ସଂଘର୍ଷର ଏକ ପ୍ରମୁଖ କେନ୍ଦ୍ର ପାଲଟିଥିବାବେଳେ ବାଣିଜ୍ୟିକ ଜାହାଜଗୁଡ଼ିକ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣର ବିପଦରେ ରହିଛନ୍ତି। ସରକାରୀ ତଥ୍ୟ ଅନୁସାରେ, ଚଳିତ ବର୍ଷ ଫେବୃଆରୀରେ ଇରାନ ଉପରେ ଆକ୍ରମଣ ପରଠାରୁ ଖାଡ଼ି ଅଞ୍ଚଳରେ ଅତି କମ୍ରେ ୨୨ ଜଣ ଭାରତୀୟଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ୧୪ ଜଣ ନାବିକ ରହିଛନ୍ତି।
