କବାଡ଼ିଖାନା ପାଲଟିଛି ବଞ୍ଚିବାର ରାହା
ଛିଣ୍ଡା ଜରିପାଲ ତଳେ ତିନି ନିଷ୍ପାପ ଶିଶୁଙ୍କ ସହ ରୋଗାକ୍ରାନ୍ତ ସ୍ବାମୀଙ୍କୁ ନେଇ ବିତୁଛି ରୁପାଲୀଙ୍କ ଜୀବନ। । ସରକାରୀ ସହାୟତା ନକହିବା ଭଲ। କେବେ ପଡିବ ପ୍ରଶାସନର ନଜର ତାହାକୁ ଅପେକ୍ଷା।
ବେଗୁନିଆ ରାଜ୍ୟରେ ଗରୀବ ଶୂନ୍ୟ ପାଇଁ ସରକାର ନାରା ଦେଉଛନ୍ତି। ହେଲେ ଏ ଦୃଶ୍ୟ ବୟାନ କରୁଛି, ଏହି ନାରାର ସତ୍ୟତା କେତେ। ଏହି ଦୃଶ୍ୟ ଦେଖିଲେ ଆଖିରୁ ଆପେ ଆପେ ଆସିଯିବ ଲୁହ। କେମିତି ଗରିବୀର ଚରମସୀମାରେ ନିଜ ଜୀବନକୁ ବଞ୍ଚାଇବା ଲାଗି ଆଜି ବି ସଂଘର୍ଷ ଜାରି ରହିଛି। ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପୋଡାଡିହ ଗାଁର ରୁପାଲି ନାୟକଙ୍କ ଅଭାବୀ ଗରିବୀର ବାସ୍ତବ ଚିତ୍ର । ଟିକେ ଭଲ କରି ଦେଖନ୍ତୁ, ଅଜନ୍ତରା ଘାସ ବଣ ଭିତରେ ରାସ୍ତାକଡ ସରକାରୀ ଜାଗାରେ, କେମିତି ଛିଣ୍ଡା ଜରିପାଲ ତଳେ ବିତୁଛି ତିନି ନିଷ୍ପାପ ଶିଶୁଙ୍କ ସହ ରୋଗାକ୍ରାନ୍ତ ସ୍ବୀମୀଙ୍କୁ ନେଇ ରୁପାଲୀଙ୍କ ଜୀବନ। ଅଧାଅଧା ମାଟି କାନ୍ଥ ଆଉ ବତା ବାଉଁଶ ଭିତରେ ଦିନରେ ଖରା ଆଉ ରାତିରେ ତାରା ଦେଖାଯାଏ । ରାତି ପାହିଲେ ଭଙ୍ଗା ଦଦରା ଟଲିକୁ ଭିଡି ତିନି ନିଷ୍ପାପ ଶିଶୁଙ୍କୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ବାହାରି ପଡନ୍ତି ରାଜରାସ୍ତାକୁ। ଆଉ ରାସ୍ତା କଡରେ ପଡିଥିବା ପ୍ଲାଷ୍ଟିକ, କାଚ ବୋତଲ ଇତ୍ୟାଦି ଗୋଟାଇ କବାଡିଆରେ ବିକ୍ରି କରି ତାଙ୍କର ଗୁଜୁରାଣ ମେଣ୍ଟାନ୍ତି । ସେମାନଙ୍କ ପେଟ ଚାଖଣ୍ଡକ ପାଇଁ ଖରା ବର୍ଷା ଶୀତ ସବୁକିଛି ହାର ମାନେ ବୋଲି କହିଛନ୍ତି ରୁପାଲି ନାୟକ ।
ପୋଡାଡିହ ହରିଜନ ପରିବାରର ରୁପାଲି ଡେଲାଙ୍ଗ ଅଞ୍ଚଳର ଚନ୍ଦନଙ୍କୁ ପ୍ରେମ ବିବାହ କରିଥିବା ବେଳେ ଏକ ଦୁର୍ଘଟଣାରେ ଚନ୍ଦନଙ୍କର ହାତ ଭାଙ୍ଗି ଯାଇଛି । ଚିକିତ୍ସା ପାଇଁଚନ୍ଦନ ତାଙ୍କର ଡେଲାଙ୍ଗ ଘର ବିକ୍ରି କରି ଦେଇଥିବା ବେଳେ ଆର୍ଥିକ ସମସ୍ୟା ହେତୁ ଚନ୍ଦନ ଆସି ରୁପାଲିଙ୍କ ପୈତୃକ ଘରେ ଆଶ୍ରୟ ନେଇଥିଲେ । ହେଲେ ଅଗ୍ନିକାଣ୍ଡରେ ଘର ପୋଡିଯିବା ପରେ ପୋଡାଡିହ ଗ୍ରାମବାସୀଙ୍କ ସହଯୋଗରେ ଏହି ସରକାରୀ ଜାଗାରେ ଆଶ୍ରୟ ନେଇଛନ୍ତି । ତେବେ ସରକାରୀ ସହାୟତା ନକହିବା ଭଲ। ଏମାନଙ୍କୁ ଚାଉଳ ଗଣ୍ଡେ ବି ମିଳୁନି । ଓଳିଏ ଖାଇଲେ ଦୁଇ ଓଳି ଓପାସ ରହିବାକୁ ପଡୁଥିବା ବେଳେ ଏହାରି ଭିତରେ ତିନି ନିଷ୍ପାପ ଶିଶୁଙ୍କ ଜୀବନ ବି ଦୁର୍ବିସହ ହୋଇଗଲାଣି ।
ସରକାରଙ୍କ ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ଥାଇ ମଧ୍ୟ ଏମାନଙ୍କ ପାଁଇ ଯେମିତି ସାତ ସପନ ପାଲଟିଛି ସରକାରୀ ଯୋଜନା। କେବେ ପଡୁଛି ସ୍ଥାନୀୟ ପ୍ରଶାସନର ନଜର ଆଉ କେବେ ସୁଧୁରୁଛି ଏହି ଅସହାୟ ଦମ୍ପତ୍ତିଙ୍କ ଅବସ୍ଥା, ତାହା ଦେଖିବାକୁ ବାକି ରହିଲା ।
ରିପୋର୍ଟ- ସଞ୍ଜିବ ସେଠୀ
