Heavy Rain: ଆଜି ରାତିରେ ସ୍ଥଳଭାଗ ଅତିକ୍ରମ, ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷା
ଗଭୀର ଅବପାତ ପ୍ରଭାବରେ ଓଡ଼ିଶାରେ ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷା। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡିକୁ ରେଡ୍ ଆଲର୍ଟ। ୨୭ ଯାଏଁ ବର୍ଷା ସମ୍ଭାବନା।
ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଓଡ଼ିଶା-ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହା ୨୩ ସେପ୍ଟେମ୍ବର ରାତି ସୁଦ୍ଧା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ, କଳିଙ୍ଗପଟ୍ଟଣମ ନିକଟରେ ଗଭୀର ଅବପାତ ଭାବେ ସ୍ଥଳଭାଗ ଅତିକ୍ରମ କରିପାରେ। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅତିବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ, ଆକସ୍ମିକ ବନ୍ୟା ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି। ଗଭୀର ଅବପାତର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ପବନ ମଧ୍ୟ ବହିବ। ଉପକୂଳ ସମୁଦ୍ର ଅଶାନ୍ତ ରହିବା ସହ ସମୁଦ୍ର ଅବସ୍ଥା ରଫ୍ରୁ ଭେରି ରଫ୍ ରହିବା ନେଇ ପାଣିପାଗ ବିଭାଗ ସତର୍କ କରିଛି। ଓଡ଼ିଶାର ବନ୍ଦରଗୁଡ଼ିକରେ ଲୋକାଲ୍ କସନାରୀ ସିଗନାଲ୍ ନମ୍ବର-୩ ଜାରି ରହିଛି।
ଆଜି ଅତି ପ୍ରବଳ ବର୍ଷା ଆଶଙ୍କାରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି। ଅନ୍ୟପଟେ କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତାକାଲି ମଧ୍ୟ ଦକ୍ଷିଣ ଓଡ଼ିଶାର ଏକାଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି ରହିବ। ୨୭ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିବା ସମ୍ଭାବନା ଥିବା ବେଳେ ୨୮ ତାରିଖରୁ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି।
ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ସତର୍କ କରାଯାଇଛି। ଉପକୂଳ ଅଞ୍ଚଳରେ ମଧ୍ୟ ପ୍ରଶାସନ ପକ୍ଷରୁ ସତର୍କତା ଜାରି ରହିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। କୋରାପୁଟର ଶିମିଳିଗୁଡ଼ାରେ ସର୍ବାଧିକ ୨୩୦.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି।
