Video Viral 3 Arrested: ଯୁବକ-ଯୁବତୀଙ୍କୁ ଅଟକାଇ ଅସଦାଚରଣ ଅଭିଯୋଗରେ ୩ ଗିରଫ
ବିହାର ଭଳି ଘଟଣା ଢେଙ୍କାନାଳରେ! ଯୁବକ-ଯୁବତୀଙ୍କୁ ଅଟକାଇ ଅସଦାଚରଣ ଅଭିଯୋଗ, ୩ ଗିରଫ ।
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଯୁବକ-ଯୁବତୀଙ୍କୁ ବାଇକ୍ରେ ଅଟକାଇ ଗାଳିଗୁଲଜ, ମାଡ଼ ମାରିବା ଏବଂ ଅସଦାଚରଣ କରିବା ସହ ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ଭାଇରାଲ ପରେ ପୋଲିସ ତତ୍ପର ହୋଇଛି। ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ଗଁଦିଆ ପୁଲିସ। ସୂଚନା ଅନୁସାରେ, କିଛି ଯୁବକ-ଯୁବତୀ ସାଙ୍ଗମାନଙ୍କ ସହ ଦର୍ଶନୀୟ ସ୍ଥାନ କପିଳାସରୁ ଫେରୁଥିଲେ। ଏହି ସମୟରେ ସୋରିଷିଆପଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଣରଗଡା ଗ୍ରାମ ନିକଟରେ ଅଭିଯୁକ୍ତମାନେ ସେମାନଙ୍କୁ ଅଟକାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସରୋଜ ନାୟକ, ସମୀର ନାୟକଙ୍କ ସମେତ ଅନ୍ୟମାନେ ନିଶାଗ୍ରସ୍ତ ଅବସ୍ଥାରେ ଯୁବକ-ଯୁବତୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଭଦ୍ରବ୍ୟକ୍ତିମାନେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ତେବେ ଏହାପରେ ଯୁବକ-ଯୁବତୀମାନେ ଆଗକୁ ଯାଉଥିବା ବେଳେ ଅଭିଯୁକ୍ତମାନେ ପୁଣି ସେମାନଙ୍କୁ ଅଟକାଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ଭିଡିଓ କରିବା ସହ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଜାଣିବା ପରେ ଅଭିଯୋଗକାରିଣୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚୌଦ୍ୱାର ଥାନାରେ ରିପୋର୍ଟ କରିଥିଲେ। ଚୌଦ୍ୱାର ଥାନାରୁ ଗଁଦିଆ ଥାନାକୁ ଅଭିଯୋଗ ହେବା ପରେ ଗଁଦିଆ ପୋଲିସ ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ପୋଲିସ ତଦନ୍ତ ପରେ ଗଁଦିଆ ଅଞ୍ଚଳର ସରୋଜ ନାୟକ, ସମୀର ନାୟକ ଏବଂ ସଂଗ୍ରାମ ରଥଙ୍କୁ ଗିରଫ କରିଛି। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଭାଇରାଲ ଭିଡିଓ ସମ୍ପର୍କରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ କରାଯାଉଛି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ପୁଲିସ ପକ୍ଷରୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।
