ଧର୍ମ ପରିବର୍ତ୍ତନ ବିବାଦ: ୨୪ ଘଣ୍ଟା ଧରି ଗାଁରେ ପଡ଼ିରହିଛି ଶବ
ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ରାୟଗଡ଼ା ଜିଲ୍ଲାର ଗାଜିଗାଁ ଗାଁରେ ଜଣେ ଆଦିବାସୀ ବୃଦ୍ଧଙ୍କ ଶ୍ମଶାନରେ କବର ଦେବାକୁ ଗ୍ରାମବାସୀଙ୍କ ବିରୋଧ । ପ୍ରାୟ ୨୪ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଶେଷକୃତ୍ୟ ହୋଇପାରିନି ।
ରାୟଗଡ଼ା: ଧର୍ମ ପରିବର୍ତ୍ତନ ପାଇଁ ମିଳିଲାନି ଶ୍ମଶାନ । ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ୟଗଡ଼ା ଜିଲ୍ଲାର ଗାଜିଗାଁ ଗାଁରେ ଜଣେ ଆଦିବାସୀ ବୃଦ୍ଧଙ୍କ ଶ୍ମଶାନରେ କବର ଦେବାକୁ ଗ୍ରାମବାସୀଙ୍କ ବିରୋଧ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଶେଷକୃତ୍ୟ ହୋଇପାରିନି । ସୂଚନା ଅନୁସାରେ ଗାଜିଗାଁ ଗାଁରେ ଆଦିବାସୀ ସମ୍ପ୍ରଦାୟର ମୃତକ ଜାକାକା ଦାମ (୬୫) ପ୍ରାୟ ୪ରୁ ୫ ବର୍ଷ ପୂର୍ବେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ। କିଛି ମାସ ଧରି ସେ ଅସୁସ୍ଥ ଥିବାବେଳେ ଗତକାଲି ସକାଳ ପ୍ରାୟ ୮ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଖ୍ରୀଷ୍ଟ ଧର୍ମର ରୀତିନୀତି ଅନୁଯାୟୀ ସ୍ଥାନୀୟ ଶ୍ମଶାନରେ କବର ଦେବାକୁ ପରିବାର ଲୋକେ ପ୍ରସ୍ତୁତି କରିଥିବାବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ, ଉକ୍ତ ଶ୍ମଶାନଟି ପାରମ୍ପରିକ ଭାବେ ଆଦିବାସୀ ସମ୍ପ୍ରଦାୟର ଶବଦାହ ପାଇଁ ବ୍ୟବହୃତ , କବର ଦେବା ପାଇଁ ନୁହେଁ । ମୃତଦେହ ପୋଡ଼ା ଯାଉଥିବାରୁ ଦାମଙ୍କ ମୃତଦେହକୁ କବର ଦେବା ପାଇଁ ଗ୍ରାମବାସୀମାନେ ବାରଣ କରିଛନ୍ତି । ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଶେଷକୃତ୍ୟ ହୋଇପାରିନାହିଁ। । ଗ୍ରାମର ପରମ୍ପରା ଅନୁଯାୟୀ କେହି ମୃତ୍ୟୁବରଣ କଲେ ଗାଁରେ ରୋଷେଇ ବନ୍ଦ ରହେ । ଗୋଟିଏ ପଟେ ଗ୍ରାମର ପରମ୍ପରା, ଅନ୍ୟପଟେ ଶେଷକୃତ୍ୟକୁ ନେଇ ବିବାଦ ଯୋଗୁଁ ପ୍ରାୟ ୨୪ ଘଣ୍ଟା ଧରି ମୃତଦେହ ବର୍ତ୍ତମାନ ସୁଦ୍ଧା ଶେଷକୃତ୍ୟ ହୋଇପାରିନଥିବା ଜଣାପଡିଛି । ଘଟଣାକୁ ନେଇ ଗାଁରେ ବୈଠକ ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ । ଗ୍ରାମରେ ପ୍ରାୟ ୪ରୁ ୫ଟି ଆଦିବାସୀ ପରିବାର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା ସୂଚନା ମିଳିଛି। ମୃତକଙ୍କ ୩ ପୁଅ ଏବଂ ପରିବାର ସଦସ୍ୟ ରହିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଭିଯୋଗ ଦାଖଲ ହୋଇନଥିବା ଜଣାପଡ଼ିଛି। ମୃତକଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ କରାଯାଇନଥିବା ବେଳେ ବର୍ତମାନ ସୁଦ୍ଧା କୌଣସି ସମାଧାନର ବାଟ ବାହାରିପାରିନାହିଁ । ଗ୍ରାମରେ ଧର୍ମ ଓ ପରମ୍ପରାକୁ କେନ୍ଦ୍ର କରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି।
