ସିଜେପିରେ ବଡ଼ ବିଦ୍ରୋହ - କେଜ୍ରିଓ୍ୱାଲଙ୍କ ହିତରେ ଦୀପକେଙ୍କ ନୂଆ ଟିମ୍!
ସିଜେପିର ବର୍ତ୍ତମାନର ଢାଞ୍ଚା କେଜ୍ରିଓ୍ୱାଲଙ୍କ ରାଜନୈତିକ ହିତକୁ ଧ୍ୟାନରେ ରଖି କରାଯାଉଛି। ରାଜନୀତିର ଚକ୍ରବ୍ୟୁହରୁ ସଦା ଦୂରରେ ରହିବାକୁ କହୁଥିବା ଅଭିଜିତ ଦୀପକେ ଏବେ ଏଥିରେ ଫସିଯାଉଥିବାର ଦେଖାଯାଉଛି। ଅଭିଜିତଙ୍କ ସିଜେପିରେ ବିଦ୍ରୋହ ଆରମ୍ଭ ହୋଇଯାଇଛି। ସିଜେପିର ଏକ ସଦସ୍ୟ କେବଳ ଦୀପକେଙ୍କ ହାତ ଛାଡ଼ିବାକୁ କହିନାହାନ୍ତି। ବରଂ ଏକ ନୂଆ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି।

ଭାଙ୍ଗୁଛି ସିଜେପି। କକ୍ରୋଚ ଜନତା ପାର୍ଟିରେ ବଡ଼ ଫାଟ। ମେ ମାସରେ ତିଆରି ହୋଇଥିବା ସିଜେପି ଏବେ ସେପ୍ଟେମ୍ୱରରେ ଭାଙ୍ଗିବାକୁ ବସିଛି। ଅଭିଜିତ ଦୀପକେଙ୍କଠୁ ଅଲଗା ହୋଇ ନୂଆ ଗୋଷ୍ଠୀ ସିଜେପି ଉପରେ ଗମ୍ଭୀର ଆରୋପ ଲଦିଛନ୍ତି। ଜଣେ ପୂର୍ବତନ ସଦସ୍ୟ ସଙ୍ଗୀନ ଆରୋପ ଲଦି କହିଛନ୍ତି ଯେ, ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନର ସଫଳତା ପରେ ସିଜେପିକୁ ବିକ୍ରି କରିଦିଆଯାଇଛି। କେବଳ ଏତିକି ନୁହେଁ। ସେ ଏହା ବି ଦାବି କରିଛନ୍ତି ଯେ, ସିଜେପିର ବର୍ତ୍ତମାନର ଢାଞ୍ଚା କେଜ୍ରିଓ୍ୱାଲଙ୍କ ରାଜନୈତିକ ହିତକୁ ଧ୍ୟାନରେ ରଖି କରାଯାଉଛି। ରାଜନୀତିର ଚକ୍ରବ୍ୟୁହରୁ ସଦା ଦୂରରେ ରହିବାକୁ କହୁଥିବା ଅଭିଜିତ ଦୀପକେ ଏବେ ଏଥିରେ ଫସିଯାଉଥିବାର ଦେଖାଯାଉଛି। ଅଭିଜିତଙ୍କ ସିଜେପିରେ ବିଦ୍ରୋହ ଆରମ୍ଭ ହୋଇଯାଇଛି। ସିଜେପିର ଏକ ସଦସ୍ୟ କେବଳ ଦୀପକେଙ୍କ ହାତ ଛାଡ଼ିବାକୁ କହିନାହାନ୍ତି। ବରଂ ଏକ ନୂଆ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି। ପେପର ଲିକ୍ ଆନ୍ଦୋଳନ ସହ ଜଡ଼ିତ କକ୍ରୋଚ ପାର୍ଟି ସଦସ୍ୟ ମନୀଷ ବ୍ରହ୍ମାଭଟ୍ଟ ଦିଲ୍ଲୀରେ ପ୍ରେସମିଟ୍ କରି ନିଜକୁ ସିଜେପିରୁ ଅଲଗା କରିଦେଇଛନ୍ତି। ଏହା ସହ ତାଙ୍କର ଅଲଗା ଗୋଷ୍ଠୀ କକ୍ରୋଚ ଜନତା ପାର୍ଟି- ଡେମୋକ୍ରାଟିକ୍ (CJP-D) କରିବାକୁ ଘୋଷଣା କରିଛନ୍ତି। ବ୍ରହ୍ମାଭଟ୍ଟ ହିଁ ଦଳର ପ୍ରତିଷ୍ଠାତା ଅଭିଜିତଙ୍କ ଉପରେ ଗମ୍ଭୀର ଆରୋପ ଲଦିଛନ୍ତି। ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତା ଓ ଛାତ୍ରଙ୍କୁ ନେଇ ସଉଦା କରି ସଂଗଠନକୁ ଏବେ ଟିମ୍ କେଜ୍ରିଓ୍ୱାଲରେ ବଦଳାଇଦେଇଥିବା କହିଛନ୍ତି। ବ୍ରହ୍ମାଭଟ୍ଟଙ୍କ କହିବା କଥା, ଆନ୍ଦୋଳନ ସଫଳତା ପରେ ଯେଉଁ ୧୨ ସଦସ୍ୟ ବିଶିଷ୍ଟ ରାଷ୍ଟ୍ରୀୟ ଟିମ୍ କରାଗଲା। ସେଥିଲାଗି କୌଣସି ବି ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତା, ଛାତ୍ର ବା ସୋସିଆଲ ମିଡିଆ ଭଲ୍ୟୁଣ୍ଟରଙ୍କ ପରାମର୍ଶ ନିଆଗଲାନି। ଏ ଆନ୍ଦୋଳନ ଦେଶର ଥିଲା। କିନ୍ତୁ ସଫଳ ହାସଲ ମାତ୍ରେ ଏହାକୁ ବିକିଦିଆଗଲା। ନୂଆ ଟିମର ୮ ସଦସ୍ୟ ଆମ୍ ଆଦମୀ ଦଳ ସହ ଜଡ଼ିତ। ଏ ପୁରା ଟିମ୍ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ରାଜନୀତିକ ହିତକୁ ଧ୍ୟାନରେ ରଖି କରାଗଲା। ବ୍ରହ୍ମାଭଟ୍ଟ ଆରୋପ ଲଦିଛନ୍ତି ଯେ, ଆନ୍ଦୋଳନରେ ଶିବସେନା, ସପା, ଆରଜେଡି, ବିଜେପି, କଂଗ୍ରେସ ଓ ଏନସିପି ସହ ଜଡ଼ିତ ଯୁବବର୍ଗ ବି ଅଂଶଗ୍ରହଣ କରିଥିଲେ। କିନ୍ତୁ ନୂଆ ଟିମରେ କାହାକୁ ବି ଜାଗା ମିଳିଲାନି। ଏହା ସହ ମହିଳା, ଶିଖ୍ ଓ ମୁସଲିମ ଚେହେରାଙ୍କୁ ବି କଣଠେସା କରିଦିଆଗଲା। ଯେଉଁ ଆନ୍ଦୋଳନର ଆଧାର ପେପରଲିକ୍ ବିରୁଦ୍ଧରେ ଆରମ୍ଭ ହୋଇଥିଲା। ଏବେ ଆନ୍ଦୋଳନର ନେତୃତ୍ୱ ମେରିଟ୍ ବା ମେଧାବୀକୁ ଅଣଦେଖା କରିଦେଲେ। CJP-D କୁ ଲୋକତାନ୍ତ୍ରିକ ଓ ରାଷ୍ଟ୍ରବ୍ୟାପୀ ସଂଗଠନ କରାଯିବ। ପ୍ରତି ରାଜ୍ୟର ସ୍ଥାନୀୟ ଆନ୍ଦୋଳନକାରୀ ଓ ସ୍ୱେଛାସେବୀଙ୍କ ଭିତରୁ ୫-୫ ଜଣ ପ୍ରତିନିଧିଙ୍କୁ ଚୟନ କରାଯିବ। ଏମିତି ହେଲେ ପ୍ରତି ଜାଗାରୁ ସ୍ୱର ଶାଣିତ ହେବ ଓ ସମସ୍ତଙ୍କର ସମାନ ପ୍ରତିନିଧିତ୍ୱ ରହିବ। ସେପଟେ ବ୍ରହ୍ମାଭଟ୍ଟଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିଜିତ ଦୀପକେ। ତାଙ୍କ ଦଳ କେବଳ ଛାତ୍ରଙ୍କର ଏ ଟିମ୍ ଅଟେ। ଏହା ଛଡ଼ା ଆଉ କାହାର ବି ସିଜେପି ସହ ସମ୍ୱନ୍ଧ ନାହିଁ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହୁଛନ୍ତି ସିଜେପି କଂଗ୍ରେସର ବି-ଟିମ୍। ଆଉ କିଛି ଲୋକ କହିଲେଣି, ଆମ ଆଦମୀ ଦଳର ବି-ଟିମ୍। ସେଥିଲାଗି ଏଭଳି କହୁଥିବା ନେତାଏ ଏକାସାଙ୍ଗରେ ବସି ସ୍ଥିର କରନ୍ତୁ। ସିଜେପି ପକ୍ଷରୁ ତ ସ୍ପଷ୍ଟ ହୋଇସାରିଛି, ସିଜେପି କେବଳ ଛାତ୍ରଙ୍କ ଏ-ଟିମ୍ ଅଟେ। ଦେଶର ପ୍ରଧାନବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଏକ ବୟାନକୁ ବିରୋଧ କରି ମହାରାଷ୍ଟ୍ରର ଅଭିଜିତ ଦୀପକେ ସିଜେପି ଅନଲାଇନ ଅଭିଯାନ ଆରମ୍ଭ କରିଥିଲେ। ଦେଖୁ ଦେଖୁ ଏହା ସହ ଲକ୍ଷ ଲକ୍ଷ ଯୁବକ ଯୋଡ଼ିହୋଇଗଲେ। ଏହା ପରେ ପାର୍ଟି ଜନ୍ତରମନ୍ତରରେ ପେପର ଲିକ୍ ବିରୁଦ୍ଧରେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସିଜେପି ଚାପରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ। ଅଧାରାତିରେ ଇନଷ୍ଟାରେ ଭିଡିଓ ପୋଷ୍ଟ କରି ଦେଶର ଯୁବଶକ୍ତିକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ, କୌଣସି ମେଧାବୀର ଭବିଷ୍ୟତକୁ ନଷ୍ଟ କରିବାକୁ ଦିଆଯିବନି ବୋଲି ବାର୍ତ୍ତା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଆରଏସଏସ ପ୍ରମୁଖ ମୋହନ ଭାଗଓ୍ୱତ ବି କହିଥିଲେ, ଯୁବବର୍ଗଙ୍କ କଥା ସରକାର ଶୁଣିବା ଉଚିତ। ସେମାନଙ୍କର ଅପରାଧିକ ମାନସିକତା ଥିବା କହି ସେମାନଙ୍କୁ ଲଜ୍ଜିତ କରନ୍ତୁନି। ସେମାନେ ରାଷ୍ଟ୍ରପ୍ରେମୀ। ରାଷ୍ଟ୍ରଦ୍ରୋହୀ କହି ସେମାନଙ୍କୁ ବ୍ରାଣ୍ଡିଂ କରାନଯାଉ। ସେମାନଙ୍କୁ ଆଦେଶ ଦେବା ବଦଳରେ ଆପୋଷ ସହମତି ଓ ତାର୍କିକ ଆଲୋଚନାର ଆବଶ୍ୟକତା ଅଛି।
