NEETରେ ସଫଳ କବିତାଙ୍କୁ ଏବେ ଅର୍ଥାଭାବର ଚିନ୍ତା
ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଗରିବୀ। ଦିନ ମଜୁରିଆ ବାପାର ଝିଅ ହେବ ଡାକ୍ତର। NEETରେ ସଫଳତା ପରେ ଅର୍ଥାଭାବ ବଢ଼ାଇଲା ଚିନ୍ତା।
ରାୟଗଡ଼ା: ଦୃଢ଼ ଇଚ୍ଛାଶକ୍ତି, ଅକ୍ଲାନ୍ତ ପରିଶ୍ରମ ଓ ସଫଳତାର ଅଦମ୍ୟ ଇଚ୍ଛା ଆଗରେ ହାର ମାନିଛି ଗରିବୀ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ୍ର ସାହାଡ଼ା ସଦର ପଞ୍ଚାୟତର ଝିଅ କବିତା ହିକକା ନିଜ ପରିଶ୍ରମ ବଳରେ ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ହାସଲ କରିଛନ୍ତି। ତେବେ ଉଚ୍ଚଶିକ୍ଷାର ପଥରେ ଏବେ ଅର୍ଥାଭାବ ବାଧକ ସାଜିଛି। ଚଳିତ ବର୍ଷ NEET ପରୀକ୍ଷାରେ କବିତା ରାଜ୍ୟ ସ୍ତରରେ ୪୧୭୮ ଏବଂ ST କାଟେଗୋରୀରେ ୧୩୭ ରାଙ୍କ୍ ହାସଲ କରିଛନ୍ତି। ଏହାସହ କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରୀ ପଢ଼ିବା ପାଇଁ ମଧ୍ୟ ସେ ତାଲିକାଭୁକ୍ତ ହୋଇଛନ୍ତି। ସାହାଡ଼ା ପ୍ରାଥମିକ ବିଦ୍ୟାଳୟରୁ କବିତାଙ୍କ ଶିକ୍ଷାଯାତ୍ରା ଆରମ୍ଭ ହୋଇଥିଲା। ପରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଭାଲେରୀରେ ପାଠ ପଢ଼ି ଦଶମ ଶ୍ରେଣୀରେ ୯୦ ପ୍ରତିଶତ ନମ୍ବର ରଖିଥିଲେ। ଉଚ୍ଚଶିକ୍ଷା ପାଇଁ ସେ ଭୁବନେଶ୍ୱରର ଆଇକୋନିକ୍ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଥିଲେ। ବାଲ୍ୟକାଳରୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିବା କବିତା ନିରନ୍ତର ପରିଶ୍ରମ କରି ଏବେ ସେହି ସ୍ୱପ୍ନ ପୂରଣର ଦ୍ୱାରଦେଶରେ ପହଞ୍ଚିଛନ୍ତି। କବିତା ହିକକା ହେଉଛନ୍ତି ଲବ ହିକକା ଓ କମଳା ହିକକାଙ୍କ ଝିଅ। ଉଭୟେ ଦିନମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି। ଦିନ ମଜୁରିରୁ ମିଳୁଥିବା ଆୟରେ ପରିବାରର ଦୈନନ୍ଦିନ ଖର୍ଚ୍ଚ ଚଳାଇବା ହିଁ କଷ୍ଟକର ହୋଇଥିବା ବେଳେ ଝିଅର ଡାକ୍ତରୀ ପାଠପଢ଼ାର ଖର୍ଚ୍ଚ ବହନ କରିବା ସେମାନଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଛି।
ଝିଅର ପ୍ରତିଭା ଓ ସଫଳତାକୁ ଦେଖି ପରିବାରର ଆଶା ବଢ଼ିଥିବା ବେଳେ ଅର୍ଥାଭାବ ଚିନ୍ତାର କାରଣ ହୋଇଛି। କବିତାଙ୍କ ଡାକ୍ତର ହେବାର ସ୍ୱପ୍ନକୁ ସାକାର କରିବା ସହ ତାଙ୍କ ଉଚ୍ଚଶିକ୍ଷା ଜାରି ରଖିବା ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ଓଡ଼ିଶା ସରକାରଙ୍କ ନିକଟରେ ପରିବାର ଅନୁରୋଧ କରିଛି। କବିତାଙ୍କ ଭଳି ପ୍ରତିଭାବାନ ଓ ଆର୍ଥିକ ଅନଗ୍ରସର ଛାତ୍ରୀଙ୍କୁ ଯଦି ସରକାରୀ ସହାୟତାର ହାତ ବଢ଼ାଯାଏ, ତେବେ ଜଣେ ଦିନମଜୁରିଆ ପରିବାରର ଝିଅର ଡାକ୍ତର ହେବାର ସ୍ୱପ୍ନ ସାକାର ହେବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏହା ପ୍ରେରଣାର ଉତ୍ସ ହୋଇପାରିବ।
