ସରକାରୀ ସ୍କୁଲରେ ତେଲୁଗୁ ସର୍ଟ ଫିଲ୍ମ ସୁଟିଂ, ଭାଇରାଲ ଭିଡିଓକୁ ନେଇ ବିବାଦ
ଗଜପତି ଜିଲ୍ଲା ସିଙ୍ଗିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତେଲୁଗୁ ସର୍ଟ ଫିଲ୍ମ ସୁଟିଂକୁ ନେଇ ବିବାଦ। ସୁଟିଂର ଭିଡିଓ ଭାଇରାଲ ପରେ ଉଠିଛି ପ୍ରଶ୍ନ। କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ ଜିଲ୍ଲା ଶିକ୍ଷାଧିକାରୀ।
ଗଜପତି: ସରକାରୀ ଶିକ୍ଷାନୁଷ୍ଠାନ ପରିସରରେ ତେଲୁଗୁ ସର୍ଟ ଫିଲ୍ମ ସୁଟିଂକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ. ସୀତାପୁର ପଞ୍ଚାୟତର ସିଙ୍ଗିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୁଟିଂ ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ଉକ୍ତ ସର୍ଟ ଫିଲ୍ମରେ ସ୍ଥାନୀୟ ସରପଞ୍ଚ କାଲିପିଲି ତେଜା ଅଭିନୟ କରିଛନ୍ତି। ଭିଡିଓଟି ସେ ନିଜ ସୋସିଆଲ ମିଡିଆରେ ମଧ୍ୟ ପ୍ରଚାର କରିଥିବା ଜଣାପଡ଼ିଛି। ଏହାକୁ ନେଇ ଶିକ୍ଷାବିତ୍, ରାଜନୈତିକ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସରକାରୀ ସ୍କୁଲ ପରିସରକୁ ଫିଲ୍ମ ସୁଟିଂ ପାଇଁ ବ୍ୟବହାର କରିବାକୁ କିଏ ଅନୁମତି ଦେଇଥିଲା ଏବଂ ଏଥିପାଇଁ କୌଣସି ବିଭାଗୀୟ ଅନୁମତି ନିଆଯାଇଥିଲା କି ନାହିଁ, ତାହା ଏବେ ମୁଖ୍ୟ ପ୍ରଶ୍ନ ହୋଇଛି। ବିଶେଷକରି ସ୍କୁଲର ଚାବି ସରପଞ୍ଚଙ୍କୁ କିପରି ଦିଆଗଲା, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏନେଇ ସରପଞ୍ଚ କାଲିପିଲି ତେଜା କହିଛନ୍ତି ଯେ, ଉଲ୍ଲାସ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାର ପାଇଁ ଭିଡିଓ କରାଯାଇଥିଲା। ଅନ୍ୟପକ୍ଷରେ, ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବା ଅନୁସାରେ, ଉଲ୍ଲାସ ସମ୍ପର୍କିତ ବୈଠକ ପାଇଁ ସରପଞ୍ଚ ଚାବି ନେଇଥିଲେ। ସେ ସୁଟିଂ କରିଥିବା ସମ୍ପର୍କରେ ତାଙ୍କୁ ଜଣାନଥିବା କହିଛନ୍ତି। ଘଟଣାକୁ ନେଇ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ କହିଛନ୍ତି ଯେ, ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯିବ। ସରକାରୀ ସ୍କୁଲ ପରିସରରେ ସୁଟିଂ ପାଇଁ ଅନୁମତି ନଥିଲେ କିମ୍ବା ନିୟମ ଉଲ୍ଲଂଘନ ହୋଇଥିଲେ, ସମ୍ପୃକ୍ତଙ୍କ ବିରୋଧରେ ନିୟମାନୁଯାୟୀ ପଦକ୍ଷେପ ନିଆଯିବ।
ତେବେ ତଦନ୍ତ ପରେ ହିଁ ସୁଟିଂ ପାଇଁ ଅନୁମତି ଥିଲା କି ନାହିଁ ଏବଂ ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ। ପ୍ରଶାସନର ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ଏବେ ସମସ୍ତଙ୍କ ନଜର।
