୧୦ଲକ୍ଷ ଟଙ୍କାର ସୁନାଗହଣା ଗାଏବ କରିନେଲା ମୂଷା!
ପ୍ରଥମେ ଚୋରି ହୋଇଛି ବୋଲି ସନ୍ଦେହ ହୋଇଥିଲା। ସିସିଟିଭି ଫୁଟେଜ ଚେକ୍ କରିବା ପରେ ବି କୌଣସି ସୁରାକ୍ ମିଳିନଥିଲା। ହେଲେ ଜଣେ କର୍ମଚାରୀଙ୍କ ଦୃଷ୍ଟି ପଡ଼ିଥିଲା ଯେ, ମୁଦି ଗୁଡ଼ିକର ପ୍ରାଇଜଟ୍ୟାଗ୍ ଗାଏବ ଥିଲା।

ମୂଷା ମଦ ପିଇବା କଥା ସମସ୍ତେ ଜାଣିଥିଲେ। ହେଲେ ଏବେ ଗହଣା ବି ଚୋରି କରିବାକୁ ଲାଗିଲେଣି। ତା ପୁଣି ପ୍ରାୟ ୧୦ଲକ୍ଷ ଟଙ୍କାର ଗହଣା ଗାଏବ କରିଦେଲେ। ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ସତ। କର୍ଣ୍ଣାଟକର ତୁମକୁରରେ ଥିବା ଏକ ଜୁଏଲାରୀ ଦୋକାନରୁ ୧୦ଲକ୍ଷ ଟଙ୍କାର ସୁନା ଗହଣା ରହସ୍ୟଜନକ ଭାବେ ଗାଏବ ହୋଇଯାଇଥିଲା। ଆଉ ଯେତେବେଳେ ଦୋକାନ ମାଲିକ ସିସିଟିଭି ଫୁଟେଜ୍ ଖୋଳତାଡ଼ କଲେ। ଦେଖି ତାଜୁବ୍ ହୋଇଗଲେ। କାରଣ ଦୋକାନର ତାଲା ଭାଙ୍ଗିନଥିଲା। କୌଣସି ଚୋର ବି ଭିତରେ ପଶିନଥିଲା। ନା କୌଣସି ସିନ୍ଧିଚୋରୀ ହୋଇଥିଲା। କିଛି ତ ଅଜବ ହୋଇଛି ଭାବି ସନ୍ଦେହ କରିଥିଲେ ଦୋକାନ ମାଲିକ। ଆଉ ସାରା ରାତି ସିସିଟିଭି ତନାଘନା କରିବା ପରେ ଫୁଟେଜରେ ଦେଖାଗଲା ଯେ, ସୁନା ଟ୍ରେରେ ଲାଗିଥିବା ଟ୍ୟାଗ୍ ସହ ରେଟ୍ ଚାର୍ଟ ସାଙ୍ଗକୁ ମୁଦି ଓ ଚେନ ନେଇଥିବା ଦେଖାଯାଇଥିଲା। ୧୦ରୁ ଅଧିକ ହୀରା ଖଚିତ ସୁନା ମୁଦି ଓ ଦୁଇଟି ଚେନ୍ ଗାଏବ ଥିଲା। ଏ ସବୁ ଗହଣାକୁ ନିଜ ଗାତକୁ ନେଇଥିଲା ମୂଷା। ପରେ ଦୋକାନର ଯାଞ୍ଚ କରାଗଲା। ଆଉ କର୍ମଚାରୀଙ୍କୁ ଲଗାଇ ମୂଷାଗାତକୁ ଖୋଳି ସମସ୍ତ ଗହଣା ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସୋସିଆଲ ମିଡିଆରେ ଏହି ନିଆରା ଘଟଣା ଜୋରଦାର ଭାଇରାଲ ହେବାରେ ଲାଗିଛି। ଦୋକାନ ମାଲିକ ବିଶ୍ୱାସ କହିଛନ୍ତି, ଯେତେବେଳେ ଦୋକାନର କର୍ମଚାରୀ ସୁନା ଗହଣା ଗଣିଥିଲେ, ସେତେବେଳେ ୧୦ଟି ମୁଦି ଗାଏବ ଥିବା କଥା ଜଣାପଡ଼ିଥିଲା। ପ୍ରଥମେ ଚୋରି ହୋଇଛି ବୋଲି ସନ୍ଦେହ ହୋଇଥିଲା। ସିସିଟିଭି ଫୁଟେଜ ଚେକ୍ କରିବା ପରେ ବି କୌଣସି ସୁରାକ୍ ମିଳିନଥିଲା। ହେଲେ ଜଣେ କର୍ମଚାରୀଙ୍କ ଦୃଷ୍ଟି ପଡ଼ିଥିଲା ଯେ, ମୁଦି ଗୁଡ଼ିକର ପ୍ରାଇଜଟ୍ୟାଗ୍ ଗାଏବ ଥିଲା। ସେଥିଲାଗି ଦ୍ୱିତୀୟ ଥର ସିସିଟିଭି ଫୁଟେଜ ଚେକ୍ କରାଗଲା। ଆଉ ଫୁଟେଜରେ ଏକ ମୂଷା ସୁନା ମୁଦିକୁ ଟାଣି ଟାଣି ନେଉଥିବା ଦେଖାଯାଇଥିଲା। ଆଉ ଏହା ପରେ ମୂଷାଗାତକୁ ଠାବ କରି ସବୁ ଗହଣା ଉଦ୍ଧାର କରାଯାଇଛି।
