ଦୁଷ୍କର୍ମ କରି ନଦୀକୁ ଜୀଅନ୍ତା ଫିଙ୍ଗିଦେଲା କନଷ୍ଟେବଳ
ଦୁଷ୍କର୍ମ ପରେ ପିଲାଟିର ହାତକୁ ପିଠି ପଛପଟେ ବାନ୍ଧି ଦେଇ ନଦୀକୁ ଜୀଅନ୍ତା ଫିଙ୍ଗିଦେଲା। ଫଳରେ ପିଲାଟିର ମୁଣ୍ଡ ପଥରରେ ବାଡ଼େଇ ହୋଇଯାଇଥିଲା। ବୁଡ଼ିବା ପରେ ପିଲାଟିର ମୃତ୍ୟୁ ହୋଇଗଲା। ଶବ ବ୍ୟବଛେଦ ରିପୋର୍ଟରେ ବର୍ବରତାର ଚିତ୍ର ସାମ୍ନାକୁ ଆସିଛି। ପେଟ, ବେକ ସହ ଶରୀରରେ ୫ଟି ହାଡ଼ ଭାଙ୍ଗିଛି। ଗୁପ୍ତାଙ୍ଗରେ ଗଭୀର ଆଘାତର ଚିହ୍ନ ମିଳିଛି।

ଗୋରଖପୁର କନଷ୍ଟେବଳର ନାରକୀୟ କାଣ୍ଡ। ୧୦ ବର୍ଷର ଝିଅଟିକୁ ଅପହରଣ କରି ଦୁଷ୍କର୍ମ କଲା ଓ ପରେ ମର୍ଡର। ଏ ଜଘନ୍ୟ ମାମଲାରେ ଡାଏଲ ୧୧୨ରେ ମୁତୟନ କନଷ୍ଟେବଳ ଅଭିଷେକ ଯାଦବଙ୍କୁ ପୁଲିସ ଗିରଫ କରିଛି। ୨ଶହରୁ ଅଧିକ ସିସିଟିଭି କ୍ୟାମେରାର ଯାଞ୍ଚ ଓ ବାଇକ ନମ୍ୱରକୁ ଟ୍ରେସ୍ କରି ଗାଜିପୁର ନିବାସୀ ଅଭିଯୁକ୍ତକୁ ଧରିଛି। ଅଭିଯୁକ୍ତର କହିବା ଅନୁସାରେ ଚିଉଟହା ପୋଲ ପାଖ ନଦୀରୁ ପିଲାଟିର ଶବକୁ ଜବତ କରାଯାଇଛି। ପୀଡ଼ିତଙ୍କ ପରିବାର ଆଜମଗଡ଼ରେ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଡ଼ ଭଉଣୀ ଲାଗି ଖାଇବା ନେଇ ଆସିଥିଲା ପୀଡିତା। ଜୁଲାଇ ୨୮ ରାତି ପ୍ରାୟ ୧୦ଟାରେ ଘରକୁ ଫେରୁଥିଲେ। ସେତେବେଳେ ପୁଲିସ ପୋଷାକରେ ଥିବା ଅଭିଷେକ ତାକୁ ଘରେ ଛାଡ଼ିବା ବାହାନାରେ ଫୁସୁଲାଇ ନିଜର ଆପାଚି ବାଇକରେ ବସାଇଥିଲା। ଆଉ ଶ୍ମଶାନକୁ ନେଇ ତା ସହ ପାଶବିକ ଅତ୍ୟାଚାର କରି ମାରିଦେଲା। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଦୁଷ୍କର୍ମ ପରେ ପିଲାଟିର ହାତକୁ ପିଠି ପଛପଟେ ବାନ୍ଧି ଦେଇ ନଦୀକୁ ଜୀଅନ୍ତା ଫିଙ୍ଗିଦେଲା। ଫଳରେ ପିଲାଟିର ମୁଣ୍ଡ ପଥରରେ ବାଡ଼େଇ ହୋଇଯାଇଥିଲା। ବୁଡ଼ିବା ପରେ ପିଲାଟିର ମୃତ୍ୟୁ ହୋଇଗଲା। ଶବ ବ୍ୟବଛେଦ ରିପୋର୍ଟରେ ବର୍ବରତାର ଚିତ୍ର ସାମ୍ନାକୁ ଆସିଛି। ପେଟ, ବେକ ସହ ଶରୀରରେ ୫ଟି ହାଡ଼ ଭାଙ୍ଗିଛି। ଗୁପ୍ତାଙ୍ଗରେ ଗଭୀର ଆଘାତର ଚିହ୍ନ ମିଳିଛି। ଏପଟେ ଝିଅ ଘରକୁ ଫେରିନଥିବାରୁ ଖୋଜିବାରେ ଲାଗିଥିଲେ ପରିବାର ପରିଜନ। ପରେ ପୁଲିସରେ ଏତଲା ଦେଇଥିଲେ। ଅଭିଯୁକ୍ତ ଅଭିଷେକ ଯାଦବ ପୂର୍ବରୁ ବି ଫେବୃଆରୀ ୩, ୨୦୨୫ରେ ଜଣେ ଯୁବତୀକୁ ଦୁଷ୍କର୍ମ ଅଭିଯୋଗରେ ସସପେଣ୍ଡ ହୋଇ ଜେଲ୍ ଯାଇସାରିଛି। ସେ ଗଲା ବର୍ଷ ସେପ୍ଟେମ୍ୱରରେ ଜାମିନରେ ବାହାରିଥିଲା। ଆଉ ଡାଏଲ ୧୧୨ରେ ମୁତୟନ ଥିଲା। ଅଭିଯୁକ୍ତକୁ ଚାକିରୀରୁ ବହିଷ୍କାର ସହ ତା ବିରୁଦ୍ଧରେ ଏନଏସଏ ଆଧାରରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ସଂଧ୍ୟାରେ ପୀଡ଼ିତାର ଅନ୍ତିମସଂସ୍କାର କରାଯାଇଛି। ବାବା ମୁଖାଗ୍ନି ଦେଇଥିଲେ। ଏହାର ୩ ଘଣ୍ଟା ପରେ ପୀଡ଼ିତାଙ୍କ ମା ଏକ ପୁତ୍ରସନ୍ତାନ ଜନ୍ମ ଦେଇଛନ୍ତି। ପୀଡ଼ିତାଙ୍କ ବାପା ଆଜମଗଡ଼ର। ୪ ବର୍ଷ ଧରି ପତ୍ନୀ ଓ ୫ ଝିଅଙ୍କ ସହ ଗୋରଖପୁରରେ ଭଡ଼ା ଘରେ ରହୁଥିଲେ। ଇ-ରିକ୍ସା ଚଳାଇ ପେଟ ପୋଷୁଥିଲେ। ଜୁଲାଇ ୨୭ରେ ୧୩ ବର୍ଷ ଝିଅର ଦେହ ଖରାପ ହୋଇଥିଲା। ପରିବାର ତାକୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଜୁଲାଇ ୨୮ରେ ବଡ଼ ଭଉଣୀ ପାଇଁ ଖାଇବାକୁ ନେଇଯାଇଥିବା ପୀଡିତା ଆଉ ଫେରିଲାନି ଘରକୁ। କାରଣ ସେତିକିବେଳେ ଅଭିଯୁକ୍ତ କନଷ୍ଟେବଳ ଅଭିଷେକ ବି ହସ୍ପିଟାଲକୁ ଔଷଧ ନେବାକୁ ଯାଇଥିଲା। ପିଲାଟିକୁ ବାଇକରେ ବସାଇ ଦୁଷ୍କର୍ମ ପରେ ନଦୀକୁ ଫିଙ୍ଗିଦେଲା। ଏହା ପରେ ପୁଲିସ ଲାଇନ ପହଞ୍ଚି ପୁଲିସ ପୋଷାକରେ ଲାଗିଥିବା ରକ୍ତର ଛିଟାକୁ ଧୋଇଥିଲା। ଆଉ ପରେ ଶୋଇଗଲା। ଗୁରୁବାର ଦ୍ୱିପ୍ରହରରେ ପୁଲିସ ଅଭିଯୁକ୍ତକୁ ମେଡିକାଲ ପରୀକ୍ଷା ପାଇଁ ନେଇଥିଲା। ସେଠାରେ ଉତ୍ୟକ୍ତ ଲୋକେ ତାକୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। କୌଣସିପ୍ରକାର ଲୋକଙ୍କୁ ବୁଝାଇସୁଝାଇ ଶାନ୍ତ କରିଥିଲା ପୁଲିସ। ଆଉ ଫୋର୍ସ ମଗାଇ ପୁଲିସ କଷ୍ଟଡିରେ ବାହାରକୁ ନେଇଥିଲା। ଦୁଇ ଘଣ୍ଟା ଧରି ଜିଲ୍ଲା ହସ୍ପିଟାଲର ସବୁ କାମ ଠପ୍ ହୋଇଯାଇଥିଲା। ଅଭିଯୁକ୍ତର ପତ୍ନୀ କହିଛନ୍ତି, ସ୍ୱାମୀର ଏଭଳି ହୀନ ପ୍ରବୃତ୍ତି ଲାଗି ସେ ଶ୍ୱଶୁରାଳୟ ଛାଡ଼ି ମାଆ ଘରେ ଆସି ରହୁଛନ୍ତି। ୨୦୧୮ରେ ପୁଲିସ ସେବାରେ ଭର୍ତ୍ତି ହୋଇଥିଲା ଅଭିଷେକ। ଏଭଳି ବ୍ୟକ୍ତିକୁ ଫାଶୀ ଦେଇଦେବା ଦରକାର।
